ଭୁବନେଶ୍ୱର, ୦୯/୦୫/୨୦୨୩ (ଓଡ଼ିଶା ସମାଚାର)- ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚି ସିଧାସଳଖ ନୀତୀଶ କୁମାର ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ନବୀନଙ୍କ ସହ ପ୍ରାୟ ଦେଢ଼ ଘଣ୍ଟା ସମୟ ବିତାଇଥିଲେ। ନବୀନ ନିବାସରେ ଦୁଇ ମୁଖ୍ୟମନ୍ତ୍ରୀ ଏକାଠି ମଧ୍ୟାହ୍ନ ଭୋଜନ ମଧ୍ୟ କରିଛନ୍ତି ।ଏହାପରେ ଦୁଇ ନେତା ମିଳିତ ଭାବେ ଗଣମାଧ୍ୟମରେ ବିବୃତି ରଖିଥିଲେ।
ଏହି ସାକ୍ଷାତ ଅବସରରେ କୌଣସି ପ୍ରକାରର ରାଜନୈତିକ ଆଲୋଚନା ହୋଇନାହିଁ ବୋଲି ନବୀନ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି। ବିହାର ଭବନ ନିର୍ମାଣ ଲାଗି ରାଜ୍ୟ ସରକାର ଦେଢ଼ ଏକର ଜାଗା ବିହାର ସରକାରଙ୍କୁ ମାଗଣାରେ ପ୍ରଦାନ କରିବେ। ବିହାରର ଯେଉଁ ତୀର୍ଥଯାତ୍ରୀ ପୁରୀ ଆସି ଜଗନ୍ନାଥ ଦର୍ଶନ କରିବାକୁ ଆସୁଛନ୍ତି, ସେମାନେ ଏଠାରେ ରହିପାରିବେ। ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ। ଏହା ସମ୍ପୂର୍ଣ୍ଣ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି କହିଛନ୍ତି ନବୀନ । ଠିକ୍ ସେହିପରି ନୀତୀଶ କୁମାର ମଧ୍ୟ ପୁରୁଣା ବନ୍ଧୁଙ୍କୁ ସାକ୍ଷାତ କରିବାକୁ ସେ ଆସିଥିଲେ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ସମୟ ଆସିଲେ ସବୁ ଜଣାପଡିବ ।
ଏଣେ ଦେଶର ସମସ୍ତ ଅଣ ବିଜେପି ଦଳକୁ ଏକାଠି କରି ବିରୋଧୀଙ୍କ ମହାମେଣ୍ଟ ଗଠନ କରିବା ଉଦ୍ୟମରେ ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି କୁହାଯାଉଥିଲା। ନବୀନ-ନୀତୀଶଙ୍କ ଭେଟଘାଟକୁ ନେଇ ରାଜ୍ୟ ରାଜନୀତି ଠାରୁ ଜାତୀୟ ରାଜନୀତି ଅଧିକ ଚଳଚଞ୍ଚଳ ହୋଇ ଉଠିଥିଲା। କିନ୍ତୁ ଦୁହେଁ ଏହି ପ୍ରସଙ୍ଗକୁ ଚତୁରତାର ସହ ଏଡ଼ାଇ ଦେଇଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି।