କଟକ, ୦୨/୦୫/୨୦୨୩ (ଓଡ଼ିଶା ସମାଚାର)- ବିଦ୍ୟାଧରପୁର ସ୍ଥିତ ଏସିଆର ସର୍ବବୃହତ ଧାନ ଗବେଷଣା କେନ୍ଦ୍ର “ଜାତୀୟ ଧାନ ଗବେଷଣା କେନ୍ଦ୍ର”ର ଅଠସ୍ତରି ତମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି । ଚଳିତ ବର୍ଷ ଏହି ଉତ୍ସବକୁ “ଧାନ ଦିବସ’ ଭାବେ ପାଳିତ କରାଯାଇ ଥିଲା । ଅନୁଷ୍ଠାନର ନିର୍ଦେଶକ ଡଃ. ଅମରେଶ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ଉଦ୍ଭିଦ କିସମ ସୁରକ୍ଷା ଏବଂ କୃଷକ ଅଧିକାର ପ୍ରାଧିକରଣ ର ଅଧ୍ୟକ୍ଷ ଡଃ ତ୍ରିଲୋଚନ ମହାପାତ୍ର, ସମ୍ମାନିତ ଅତିଥି ଭାବେ ନୂଆଦିଲ୍ଲୀ ସ୍ଥିତ ଏଏଫଏଫସିର ସହାୟକ ମହା ନିର୍ଦେଶକ ଡଃ ଏସ କେ ପ୍ରଧାନ,ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ର ବିତ୍ତ ବିଭାଗର ଯୁଗ୍ମ ସଚିବ ଜି ପି ଶର୍ମା ପ୍ରମୁଖ ଯୋଗ ଦେଇ କ୍ରମ ବର୍ଦ୍ଧିଷ୍ଣୁ ଜନ ସଂଖ୍ୟା ସମୟରେ ମିଲେଟ ଚାଷ ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ । ଏହି ସଭାରେ ସି ଏମ ସି ୫୯ ନମ୍ବର ୱାର୍ଡ ଅନ୍ତର୍ଗତ ତେଲେଙ୍ଗାପେଣ୍ଠ ସ୍ଥିତ ରାମନଗର ଗ୍ରାମର ଚାଷୀ ଚିତ୍ତରଞ୍ଜନ ବେହେରା ଙ୍କ ସମେତ ମୋଟ ୧୧ ଜଣଙ୍କୁ “ପ୍ରଗତିଶୀଳ କୃଷକ ସମ୍ମାନ “ରେ ସମ୍ମାନିତ କରାଯାଇଥିଲା । ଏତଦ ବ୍ୟତୀତ ୨୮ ଜଣ ଅବସରପ୍ରାପ୍ତ କର୍ମଚାରୀ,୮ ଜଣ ଶ୍ରେଷ୍ଠ କର୍ମୀ ଏବଂ ୪ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । କୃଷି ସମ୍ବଦ୍ଧିୟ ଏକ ପ୍ରଦର୍ଶନୀ ର ମଧ୍ୟ ଆୟୋଜନ ହୋଇଥିଲା । ଏହି ଉତ୍ସବ ରେ ଓଡିଶା ଏବଂ ଆନ୍ଦ୍ରପ୍ରଦେଶରୁ ଶତାଧିକ କୃଷକ ଯୋଗଦାନ କରିଥିଲେ ।