Friday , June 9 2023
Home / ସ୍ୱାସ୍ଥ୍ୟ / କିମ୍ସ-ଭୁବନେଶ୍ୱରରେ ଏଓଆଇବିବିସିଓଏନ୍ ବାର୍ଷିକ ସମ୍ମିଳନୀ

କିମ୍ସ-ଭୁବନେଶ୍ୱରରେ ଏଓଆଇବିବିସିଓଏନ୍ ବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର, ୦୧/୦୫/୨୦୨୩ (ଓଡ଼ିଶା ସମାଚାର)- କିମ୍ସ-ଭୁବନେଶ୍ୱରରେ ତିନି ଦିନ ଧରି ଚାଲିଥିବା ଆସୋସିଏସନ ଅଫ ଅଟୋରିନୋଲାରିନୋଲୋଜିଷ୍ଟ ଅଫ ଇଣ୍ଡିଆ (ଏଓଆଇବିବିସିଓଏନ୍) ଭୁବନେଶ୍ୱର ଶାଖାର ବାର୍ଷିକ ସମ୍ମିଳନୀ ରବିବାର ଉଦଯାପିତ ହୋଇଛି । ଏଥିରେ କର୍ଣ୍ଣ-ନାସା-ଗଳା ବିଭାଗ ଡାକ୍ତର ଏବଂ ସ୍ନାତକୋତର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି ସମ୍ମିଳନୀରେ ହାଇଦ୍ରାବାଦର ଡା. ଉମାନାଥ ନାୟକ ଏବଂ ଗୁରୁଗ୍ରାମର ଡା. ଦୀପକ ସରିନ, ଏଆଇଏମଏସ୍ ଭୁବନେଶ୍ୱରର ଡା. ସି ପ୍ରୀତମ ଏବଂ କିମସ-ଭୁବନେଶ୍ୱରର ଡା.ଖଗେଶ୍ୱର ରାଉତ ଯୋଗଦେଇ କର୍ଣ୍ଣ-ନାସା-ଗଳାର ଚିକିତ୍ସା ଓ ଗବେଷଣା କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ଆଲୋକପାତ କରିଥିଲେ ।
ଏଓଆଇବିବିସିଓଏନ୍ ର ସମ୍ପାଦକ ତଥା କିମସ-ଭୁବନେଶ୍ୱର ଇଏନଟି ସର୍ଜନ ଡା. କବିକାନ୍ତ ସାମନ୍ତରାୟ କହିଲେ, ସର୍ଜରୀ କରୁଥିବା ବିଶେଷଜ୍ଞଙ୍କ ବ୍ୟତୀତ ଯୁବ ଅଟୋରିନୋଲାରିନୋଲୋଜିଷ୍ଟ ମାନେ ଏହି ସମ୍ମିଳନୀରେ ସେମାନଙ୍କ ଅଭିଜ୍ଞତା ଆଦାନ ପ୍ରଦାନ କରିବା ସହ ଏ କ୍ଷେତ୍ରରେ ଅଧିକ ଜ୍ଞାନ ଆହରଣରୁ ସୁଯୋଗ ମିଳିଥିଲା । ଦୀର୍ଘ ୭ବର୍ଷ ଧରି ଏହି ସମ୍ମିଳନୀ ବିଭିନ୍ନ ବିଷୟବସ୍ତୁକୁ ନେଇ ଭୁବନେଶ୍ୱରର ବିଭିନ୍ନ ହସପିଟାଲ ରେ ଆୟୋଜିତ ହୋଇଆସୁଛି । ଚଳିତ ବର୍ଷ ଏହି ସମ୍ମିଳନୀ କିମସ-ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ବେଳେ ଏହାର ବିଷୟବସ୍ତୁ ଥିଲା “ବେସିକ ଟୁ ଆଡଭାନ୍ସ ଇଏନଟି’ । ଏହି ଅବସରରେ ଥାଇରଇଡେକ୍ଟୋମି (ଥାଇରଏଡ୍ ଗ୍ରନ୍ଥି ସହ ଜଡିତ), ପାରୋଟିଡେକ୍ଟୋମି (ପାରୋଟିଡ୍ ଗ୍ରନ୍ଥି ସହିତ ଜଡିତ), କୋକ୍ଲିୟର ପ୍ରତିରୋପଣ ଏବଂ ଇନଭରଟେଡ୍ ପାପିଲୋମା (ନାସାଲ୍ ମାସ୍ ଅପସାରଣ) ଆଦି ଶିକ୍ଷଣ ଅସ୍ତ୍ରୋପଚାର କରାଯାଇଥିଲା । ଏଥିରେ ଜଣେ ମୂକ ଏବଂ ବଧିର ଶିଶୁକନ୍ୟାର କୋକ୍ଲିୟର ପ୍ରତିରୋପଣ ଅସ୍ତ୍ରୋପଚାର କରାଯାଇଥିଲା । ଏହି ସମ୍ମିଳନୀରେ କିମ୍ସ-ଭୁବନେଶ୍ୱର ଆନାଟୋମି ବିଭାଗ ସହଯୋଗରେ ଟେମ୍ପୋରାଲ ବୋନ୍ ଏବଂ ଫଙ୍କସନାଲ ଏଣ୍ଡୋସ୍କୋପିକ୍ ସାଇନସ୍ ସର୍ଜରୀ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ଯୋଗ ଦେଇଥିବା ସର୍ଜନମାନଙ୍କ ଦ୍ୱାରା ବିଭିନ୍ନ ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପିତ ହୋଇଥିଲା । ଅଟୋରିନୋଲାରିନୋଲୋଜି ସ୍ନାତକୋତର ଛାତ୍ରଛାତ୍ରୀଙ୍କ ପାଇଁ ଏକ କୁଇଜ୍ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସମଗ୍ର ରାଜ୍ୟରୁ ୨୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସମ୍ମିଳନୀରେ ଦେଶର ବିଭିନ୍ନ ହସପିଟାଲ ଓ ମେଡିକାଲ କଲେଜରୁ ୧୫୦ରୁ ଊଦ୍ଧ୍ୱର୍ ପ୍ରତିନିଧି ଯୋଗ ଦେଇଥିଲେ ।

Leave a Reply

Your email address will not be published.