ଭୁବନେଶ୍ୱର, ୦୧/୦୫/୨୦୨୩ (ଓଡ଼ିଶା ସମାଚାର)- ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା(ସିଫା)ତରଫରୁ ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାର ଅନୁସୂଚିତ ଜାତିର ମତ୍ସ୍ୟ ଚାଷୀଙ୍କ ନିମନ୍ତେ ତିନିଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଡିଏସଟି ପ୍ରକଳ୍ପ ଅଧିନରେ ଓ ଜି-୨୦ ଶିକ୍ଷାୱାର୍କିଂ ଗ୍ରୁପ୍ ବୈଠକର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାର ୫୦ ଜଣ ଚାଷୀ ଅଂଶଗ୍ରହଣ କରିଥିଲେ । ଅନୁସୂଚିତ ଜାତିର କୃଷକ ମାନଙ୍କର ରୋଜଗାର ବୃଦ୍ଧି ଓ ସେମାନଙ୍କୁ ମତ୍ସ୍ୟ ଚାଷ ସମ୍ବନ୍ଧରେ ଆଧୁନିକ ଜ୍ଞାନକୌଶଳ ଓ ବୈଜ୍ଞାନିକ ପଦ୍ଧତି ସମ୍ବନ୍ଧରେ ଅବଗତ କରାଇବା ନିମନ୍ତେ ଉଭୟ ଜିଲ୍ଲାର ବିଭିନ୍ନ ବ୍ଲକର ବଚ୍ଛାବଚ୍ଛା କୃଷକଙ୍କୁ ଏହି ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।
ଅଭିଜ୍ଞ ବୈଜ୍ଞାନିକମାନେ ସମନ୍ୱିତ ମାଛଚାଷ, ମାଛଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ, ମୃତିକା ଓ ଜଳଗୁଣ ପରିଚାଳନା, ମତ୍ସ୍ୟବୀଜ ଉତ୍ପାଦନ, ରଂଗୀନ ମାଛଚାଷ, ମଧୁରଜଳ ମାଛର ସ୍ୱାସ୍ଥ୍ୟ ପରିଚାଳନା ଉପରେ ପ୍ରଶିକ୍ଷାର୍ଥୀ ମାନଙ୍କୁ ଶିକ୍ଷା ପ୍ରଦାନ କରିଥିଲେ ।ଏହା ସହିତ କୃଷକ ମାନେ କୃଷିକ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ନିୟମିତ ଓ ଆପତକାଳୀନ ସମସ୍ୟାର ସମାଧାନ କିପରି ନିଜେ କରୁଛନ୍ତି ଓ ସେମାନଙ୍କର ଅନୁଭୁତିକୁ ସହପ୍ରଶିକ୍ଷାର୍ଥୀ ଓ ପ୍ରଶିକ୍ଷକଙ୍କ ନିକଟରେ ଉପସ୍ଥାପନ କରିଥିଲେ ।
ବୈଜ୍ଞାନିକ ଓ ବୈଷୟିକ ଅଧିକାରୀମାନେ ତାର ନିରାକରଣର ନୂତନ ବୈଜ୍ଞାନିକ ଉପାୟ ଗୁଡ଼ିକ ସଂପର୍କରେ ଅବଗତ କରାଇଥିଲେ ।ଶେଷ ଦିବସରେ ପ୍ରଶିକ୍ଷାର୍ଥୀମାନେ ସିଫାର ଜୟନ୍ତୀ ରୋହି ୟୁନିଟ୍, ଟିଲାପିଆ ଓ କାର୍ପ ୟୁନିଟ୍, ବାୟୋଫ୍ଲକ୍ ୟୁନିଟ୍, ମଧୁରଜଳ ଚିଙ୍ଗୁଡ଼ି ୟୁନିଟ୍, ଶେଉଳ ଓ କଉ ମାଛ ୟୁନିଟ୍ ଏବଂଖୋର୍ଦ୍ଧା କୃଷି ବିଜ୍ଞାନ କେନ୍ଦ୍ର ବୁଲି ଦେଖିଥିଲେ ।ଏହି କାର୍ଯ୍ୟକ୍ରମକୁ ସିଫାର ଏକ୍ସପର୍ଟ ଟିମ୍ ସଂଯୋଜନା କରିଥିଲେ ।