ସୋନପୁର,୦୨/୦୪/୨୦୨୩ (ଓଡ଼ିଶା ସମାଚାର)- ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚିନାଜୁରି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ବୋହୂଙ୍କୁ ବଞ୍ଚାଇବାକୁ ଯାଇ ନିଶାସକ୍ତ ପୁଅ ର ଗୁଳି ମାଡ଼ରେ ବାପା ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ବାପା ହେଉଛନ୍ତି ଗଙ୍ଗାଜଳ ମେହେର । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ ପୁଅ ଓ ବୋହୂଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା । ଏହି ଝଗଡ଼ାରେ ନିଶାସକ୍ତ ପୁଅ ବିକ୍ରମ ମେହର ରାଗିଯାଇ ସ୍ତ୍ରୀକୁ ଚଢେଇମରା ବନ୍ଧୁକରେ ଗୁଳି ମାରିବାକୁ ବନ୍ଧୁକ ଉଠାଇଥିଲା । ସେହି ସମୟରେ ବାପା ଗଙ୍ଗାଜଳ ସେଠାରେ ପହଂଚି ବୋହୂକୁ କାହିଁକି ମାରିବୁ, ମୋତେ ମାର ବୋଲି କହି ବୋହୁକୁ ରକ୍ଷା କରିବା ପାଇଁ ସାମ୍ନାକୁ ଚାଲି ଆସିଥିଲେ । ଫଳରେ ଗୁଳିଟି ତାଙ୍କ ଦେହରେ ବାଜିଥିଲା ଓ ସେ ଗୁରୁତର ଆହତ ହୋଇଛନ୍ତି । ଘଟଣାକୁ ନେଇ ଡୁଙ୍ଗୁରିପାଲି ଥାନାରେ ଏକ ମାମଲା ରୁଜୁ ହୋଇଛି ।ଅଭିଯୁକ୍ତ ପୁଅ ବିକ୍ରମ ମେହର ଫେରାର ରହିଛି । ୪ ଦିନ ତଳେ ବିକ୍ରମ ଏକ ଚଢ଼େଇମରା ବନ୍ଧୁକ କିଣିଥିଲେ । ଡୁଙ୍ଗୁରିପାଲି ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ସେ କେଉଁଠୁ ବନ୍ଧୁକ କିଣିଲେ ତାହା ଜଣାପଡ଼ିନାହିଁ । ତେବେ ଚିକିତ୍ସା ପରେ ଗୁରୁତର ଆହତ ଗଙ୍ଗାଜଳ ମେହେର ସୁସ୍ଥ ଥିବା ଜଣା ପଡ଼ିଛି । ଓଡ଼ିଶା ସମାଚାର