ଭୁବନେଶ୍ୱର/ କଟକ , ୦୧/୦୪/୨୦୨୩ (ଓଡ଼ିଶା ସମାଚାର/ ଦେବାଶିଷ ରଥ)- ଭୁବନେଶ୍ୱର ଓ କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଚି। ଭୁବନେଶ୍ୱର ବିମାନ ବନ୍ଦର ଛକରୁ ସଚିବ ସ୍ତରୀୟ କମିଟିର ଫିଲଡ୍ ଭିଜିଟ ହୋଇଛି । ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ସମେତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ମନୋଜ ମିଶ୍ର, ଉଷା ପାଢ଼ୀ, ଅନୁ ଗର୍ଗ, ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି ମାଥିଭାଥନାନ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଉପସ୍ଥିତ ଥିଲେ। ଭୋର ୪ଟା ୩୦ମିନିଟ ସମୟରେ ଭୁବନେଶ୍ୱର ବିମାନବନ୍ଦର ଛକରୁ ଶିଶୁଭବନ ଛକ, ରାଜମହଲ ଛକ, ମାଷ୍ଟର କ୍ୟାଣ୍ଟିନ, ବାଣୀବିହାର ଛକ, ଜୟଦେବବିହାର ଦେଇ କଳିଙ୍ଗ ହସ୍ପିଟାଲ ଛକ, ପଟିଆ, ନନ୍ଦନକାନନ ଛକ ଦେଇ ତ୍ରିଶୂଳିଆ ଛକରେ ପହଞ୍ଚିଥିଲେ ଏହି ବରିଷ୍ଠ ଅଧିକାରୀମାନେ ।
ଏହି ଟିମ୍ ର ଉପକୋ୍ତି ସଦସ୍ୟ ମାନେ ରାସ୍ତାରେ ବିଭିନ୍ନ ସ୍ଥାନରେ ସରଜମିନ ସ୍ଥିତି ଅନୁଧ୍ୟାନ କରିଥିଲେ ।
ଦୈତ ନଗରୀ ଭୁବନେଶ୍ୱର ଓ କଟକ ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ ହେଲେ କେଉଁଠି କି ପ୍ରକାର ସମସ୍ୟା ରହିବ ତାହାର କିଭଳି ସ୍ଥାୟୀ ପ୍ରତିକାର କରାଯିବ, ସରକାରୀ ଜମି କେତେ ଅଛି, କେତେ ଜମି ଅଧିଗ୍ରହଣ କରିବାକୁ ପଡ଼ିବ , ଟ୍ରାଫିକ ସମସ୍ୟା କିଭଳି ଉପୁଜିବ ନାହିଁ , ସେଥିପାଇଁ କେଉଁ କେଉଁ ସ୍ଥାନରେ ଭୂତଳ ବା ଅଣ୍ଡର ଗ୍ରାଉଣ୍ଡ ବ୍ୟବସ୍ଥା କରିବାକୁ ହେବ, ସମ୍ପୂର୍ଣ୍ଣ ମେଟ୍ରୋ ବ୍ୟବସ୍ଥା କେତେ ଦୂରତା ବିଶିଷ୍ଟ ହେବ ସେ ସମସ୍ତ ଦିଗକୁ ନେଇ ଗ୍ରାଉଣ୍ଡ ଜିରୋରେ ମ୍ୟାପ୍ ସହ ଆଲୋଚନା କରାଯାଇଛି । ତ୍ରିଶୂଳିଆ ଛକରେ କଟକ ଜିଲ୍ଲାପାଳ ଡ଼ ଭବାନା ଶଙ୍କର ଚୟନୀ ଓ ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ସାମିଲ ହୋଇଥିଲେ। ପରେ ଟିମ୍ ମଧୁପୁର ଓ ସତ୍ୟଭାମାପୁର ଗସ୍ତ କରିଥିଲେ ।ଓଡ଼ିଶା ସମାଚାର