Monday , June 5 2023
Breaking News
Home / ବିଶେଷ / ଶେଷ ହେଲା ବିଧାନସଭାର ବଜେଟ ଅଧିବେଶନ

ଶେଷ ହେଲା ବିଧାନସଭାର ବଜେଟ ଅଧିବେଶନ

ଭୁବନେଶ୍ୱର, ୩୧/୦୩/୨୦୨୩ (ଓଡ଼ିଶା ସମାଚାର)- ବିଧାନସଭାର ବଜେଟ୍ ଅଧିବେଶନ ଶେଷ ହୋଇଛି। ଆସନ୍ତା ଏପ୍ରିଲ ୬ ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନକୁ ଶୁକ୍ରବାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଏହି ୬ ଦିନ ଭିତରେ ଆଉ ୪ଟି କାର୍ୟ୍ୟ ଦିବସ ଥିଲା। ଏହି ଅଧିବେଶନ ଦୁଇଟି ପର୍ୟ୍ୟାୟରେ ମୋଟ ୨୩ଟି କାର୍ୟ୍ୟ ଦିବସ ଚାଲିଥିଲା। ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ ଏହି ଅଧିବେଶନରେ ପାରିତ ହୋଇଥିଲା । ରାଜ୍ୟ ସରକାର ଗୃହରେ ଉପସ୍ଥାପନ କରିଥିବା ତିନୋଟି ବିଲ୍ କୁ ପ୍ରତ୍ୟାହାର କରି ନେଇଥିଲେ। ତେବେ ଏହି ଅଧିବେଶନ ଆରମ୍ଭରୁ ଶେଷ ଯାଏଁ ବେଶ ସରଗରମ ରହିଥିଲା। ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡ, ୫-ଟି ରୂପାନ୍ତରଣ ପ୍ରସଙ୍ଗ, ଅଫିସର ରାଜ୍, ସୀମା ବିବାଦ, ମହାନଦୀ ଜଳବିବାଦ, ଜାଲ ସାର୍ଟିଫିକେଟ ଭଳି ପ୍ରସଙ୍ଗକୁ ବିରୋଧୀ ଦଳ ମୁଖ୍ୟ ମୁଦ୍ଦା କରିଥିଲେ। ତେବେ ୬ ଦିନ ପୂର୍ବରୁ ବିଧାନସଭାକୁ ବନ୍ଦ କରିବାକୁ ସହଜେ ଗ୍ରହଣ କରି ପାରି ନଥିଲେ ବିରୋଧୀ। ଉଭୟ ବିଜେପି ଓ କଂଗ୍ରେସ କକ୍ଷ ତ୍ୟାଗ କରିଥିବା ବେଳେ ବିଜେପି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲା। ବିଭିନ୍ନ ପ୍ରସଙ୍ଗରେ ସରକାର ଉତ୍ତର ଦେଇ ପାରୁ ନଥିବାରୁ ପଳାୟନପନ୍ଥୀ ସାଜିଥିବା ଅଭିଯୋଗ ଆଣିଥିଲେ ବିରୋଧୀ ଦଳ ନେତା। କଂଗ୍ରେସ ବି ଏହାକୁ ନିନ୍ଦା କରିବା ସହ ଅଗଣତାନ୍ତ୍ରିକ ବୋଲି କହିଛି। ଅନ୍ୟ ପକ୍ଷରେ ଗୃହର ସେପରି କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ୟ୍ୟ ନଥିବାରୁ ଅଧିବେଶନକୁ ସମାପ୍ତ କରାଯାଉଛି ବୋଲି ବିଜେଡି କହିଛି । ଆରମ୍ଭରୁ ହିଁ ବିରୋଧି ବିଧାନସଭାର ସୁପରିଚାଳନା ନେଇ ସହଯୋଗ କରୁନାହାଁନ୍ତି । ଗୋଟିଏ ଗୋଟିଏ ପ୍ରସଙ୍ଗକୁ ବାରମ୍ବାର ଉତ୍ଥାପନ କରି ଅଯଥା ଗୃହର ମୁଲ୍ୟବାନ ସମୟ ନଷ୍ଟ କରୁଛନ୍ତି । ରାଜ୍ୟ ସ୍ବାର୍ଥ ସମ୍ପର୍କିତ ପ୍ରସଙ୍ଗ ଉଠିଲେ ଗୃହରେ ହଟ୍ଟଗୋଳ କରୁଥିବା ବିଜେଡି ଅଭିଯୋଗ କରିଛି ।
ଆରମ୍ଭରୁ ବିରୋଧୀ ଗୃହ କାର୍ୟ୍ୟରେ ସହଯୋଗ କରିନଥିଲେ । ଏପରିକି ଫେବ୍ରୁଆରୀ ୨୧ ତାରିଖରେ ବଜେଟ୍ ଅଧିବେଶନ ଆରମ୍ଭ ଦିନ ରାଜ୍ୟପାଳଙ୍କ ଅଭିଭାଷଣରେ ବିରୋଧୀ ଗୃହରେ ଉପସ୍ଥିତ ରହିଲେନି । ଜଙ୍ଗଲ ନିଆଁ, ସ୍ବାସ୍ଥ୍ୟ, ୫ଟି ସ୍କୁଲ, ଗୋବିନ୍ଦ ସାହୁ ମୃତ୍ୟୁ, ବିଦ୍ୟୁତ ବଣ୍ଟନ କମ୍ପାନୀ ଟାଟା ପାଓ୍ବାର ଉପରେ ବିରୋଧୀଙ୍କ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଉପରେ ସରକାର ଗୃହରେ ସକରାତ୍ମକ ଭାବେ ଆଲୋଚନା କରିବା ସହ ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି ।
ଫେବ୍ରୁଆରୀ ୨୪ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଗୃହରେ ଆଗତ କରିଥିଲେ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବାର୍ଷିକ ବଜେଟ । ମାର୍ଚ୍ଚ ୧୩ ତାରିଖରୁ ୨୯ ତାରିଖ ଯାଏଁ ମୋଟ ୪୪ଟି ବିଭାଗର ଖର୍ଚ୍ଚଦାବି ଗୃହୀତ ହୋଇଥିଲା । ୨୦ଟି ଖର୍ଚ୍ଚଦାବି ଆଲୋଚନା ଜରିଆରେ ଗୃହୀତ ହୋଇଥିବାବେଳେ ଗିଲୋଟିନ୍ ଜରିଆରେ ପାରିତ ହୋଇଥିଲା ୨୪ଟି ବିଭାଗର ଖର୍ଚ୍ଚଦାବି । ପୂର୍ବରୁ ଆଗତ ହୋଇଥିବା ୩ଟି ବିଲ୍କୁ ସରକାର ପ୍ରତ୍ୟାହର କରିଛନ୍ତି । ଯେଉଁଥିରେ ସାମିଲ ଅଛି, ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ୍-୨୦୨୩, ଓବିସି କମିସନ ସଂଶୋଧନ ବିଲ୍-୨୦୨୩ ଓ ଜମି ଅଧିଗ୍ରହଣ ନେଇ ପୁନର୍ବାସ ଓ ଥଇଥାନ ସଂଶୋଧନ ବିଲ୍ ୨୦୨୩ ବିଲ । ଏହାସହିତ ନୂଆ ଷ୍ଟାଣ୍ଡିଂ କମିଟି ଗଠନ ନେଇ ଘୋଷଣା କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.