ଲକ୍ଷ୍ମୀପୁର, ୩୧/୦୩/୨୦୨୩ (ଓଡ଼ିଶା ସମାଚାର/ ପ୍ରମୋଦ କୁମାର ଜେନା)- ବର୍ଷ ପରେ ବର୍ଷ ବିତୁଛି , ହେଲେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଓଡିଆପେଣ୍ଠ ପଞ୍ଚାୟତର ନୁଆଗାଁ ବାସୀଙ୍କ ଦୁଃଖ ଦୂର ହେବାର ନାଁ ଧରୁନି।ଗାଁ ତଳ ମୁଣ୍ଡରେ ବହି ଯାଇଥିବା ପାହାଡି ନଦୀ ସବୁଠୁ ବଡ ସମସ୍ୟା ରୂପେ ଛିଡା ହୋଇଛି। ନଦୀ ଆରପଟେ ଗ୍ରାମବାସୀଙ୍କ ଚାଷ ଜମି ଥିବା ସହ ପିପଳପଦର ଓ କୁଟିଙ୍ଗା ପଞ୍ଚାୟତର ଅନେକ ଗାଁ ରହିଛି।ଉକ୍ତ ଗ୍ରାମ ଗୁଡିକୁ ଯିବାକୁ ହେଲେ ନଦୀ ଭିତରେ ପସିକି ଯିବାକୁ ହୁଏ।ନଦୀ ଆରପଟକୁ ଦୈନିକ ଗ୍ରାମର ଗାଈ ଗୋରୁ ଚରିବାକୁ ଯିବା ସହ ଚାଷ ଜମିରେ ଚାଷ କରିବାକୁ ଚାଷୀଙ୍କୁ ଯିବାକୁ ପଡିଥାଏ।ଖାଲି ସେତିକି ନୁହେଁ ସେପଟେ ଥିବା ଗ୍ରାମ ଗୁଡିକୁ ମଧ୍ୟ ବିଭିନ୍ନ କାମରେ ନୁଆଗାଁ ସମେତ ପର୍ଡିଗୁଡା,କେନ୍ଦୁପାଇ ଆଦି ଗ୍ରାମବାସୀ ଉକ୍ତ ନଦୀରେ ପସିକି ଯାତାୟତ କରନ୍ତି।ସୀତ ଓ ଖରା ଦିନେ ଯାହା ଜେମିତି କଟେ, ହେଲେ ବର୍ଷା ଦିନେ ଉକ୍ତ ନଦୀ ଫୁଲି ଉଠେ। ନଦୀରେ ପାଣି ବଢି ଗଲେ ଆରପଟକୁ ଯାଇଥିବା ଅନେକ ଲୋକ ଗାଈ ଗୋରୁ ସଭିଏଁ ଚିନ୍ତାରେ ପଡନ୍ତି।ପାଣି ଶ୍ରୋତ କମିବା ଯାଏ ଅଟକି ରହିବାକୁ ପଡେ । ନଚେତ ୫କିଲୋ ମିଟର ବୁଲିକି ଗ୍ରାମକୁ ଆସନ୍ତି।ଉକ୍ତ ନଦୀରେ ପୋଲ ଖଣ୍ଡେ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରି ଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନଠୁ ଆରମ୍ଭ କରି ରାଜ ନେତା ପର୍ୟ୍ୟନ୍ତ କେହିବି ଧ୍ୟାନ ଦେଉ ନଥିବା ଗ୍ରାମର ଭଗବାନ ନାୟକ,ଲୁକୁ ଚାଲାଣ,ଲକ୍ଷ୍ମୀ ଚାଲାଣ,ସକ ନାୟକ,ସାମ ଚାଲାଣ,ଟାଙ୍ଗଣା ନାୟକ, ଉଦ୍ଧବ ଚାଲାଣ ପ୍ରମୁଖ କହିଛନ୍ତି।
ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀଙ୍କୁ ଜଣାଇଲୁ । ସିଏ ପ୍ରତିଶୃତି ଦେଲେ । ହେଲେ ଜିତି ଗଲା ପରେ ସିଏ ଚୁପ ବସି ପଡିଲେ।ଗତ ବର୍ଷ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଜିଲ୍ଲାପାଳଙ୍କୁ ଜଣାଇଲୁ , ସିଏ ବି ଶୁଣିଲେ ନାହିଁ।ଆଗକୁ ଯଦି ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକରେ ତେବେ ଜଙ୍ଗଲରୁ କାଠ କାଟି ପୋଲ ନିର୍ମାଣ କରିବାକୁ ବାଧ୍ୟ ହେବୁ ବୋଲି ଗ୍ରାମବାସୀ କହିଛନ୍ତି।ଉକ୍ତ ନଦୀରେ ପୋଲ ଖଣ୍ଡେ ନିର୍ମାଣ ହେଲେ ତିନଟି ପଞ୍ଚାୟତର ଦଶରୁ ଉର୍ଦ୍ଧ ଗ୍ରାମବାସୀ ଉପକୃତ ହୋଇ ପାରିବେ।ତେଣୁ କରି ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ପୋଲ ଖଣ୍ଡେ ନିର୍ମାଣ କରିବାକୁ ସବୁ ମହଲରୁ ଦାବି ହେଉଛି। ଓଡ଼ିଶା ସମାଚାର
Home / ବିଶେଷ / ପୋଲ ନିର୍ମାଣ ପାଇଁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଓଡିଆପେଣ୍ଠ ପଞ୍ଚାୟତର ନୁଆଗାଁ ବାସୀଙ୍କ ଦାବି