କେନ୍ଦ୍ରାପଡ଼ା, ୩୦/୦୩/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ତିନିମୁହାଣୀରେ ଥିବା ଶ୍ରୀରାମ ମନ୍ଦିରରେ ଶ୍ରୀରାମ ନବମୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ରାମ ମନ୍ଦିରରେ ସକାଳ ୫ଟା ସମୟରେ ଦିଅଁମାନଙ୍କୁ ମହାସ୍ନାନ କରାଯିବାପରେ ସକାଳ ୭ଟାରେ ଭକ୍ତମାନଙ୍କଦ୍ୱାରା ୧୦୮ କଳସୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଭକ୍ତମାନେ ଗୁଲନଗରସ୍ଥିତ ହନୁମାନ ମନ୍ଦିର ନିକଟ ଗୋବରୀ ଘାଟରୁ ପାଣି ନେଇ ଶ୍ରୀରାମମନ୍ଦିର ପରିସରରେ ସକାଳ ୯ଟାରେ ଘଟ ସ୍ଥାପନ କରିଥିଲେ । ଘଟ ସ୍ଥାପନ ପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ଅଗ୍ନି ସ୍ଥାପନ ପରେ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ସନ୍ଧ୍ୟା ୫ଟାରେ ପୂର୍ଣ୍ଣାହୁତି ଦିଆଯାଇଥିଲା । ଏହି ଅବସରରେ ପଣ୍ଡିତ ରଶ୍ମୀରଞ୍ଜନ ପାଣି ଓ ସାଥିମାନଙ୍କ ଦ୍ୱାରା ଶ୍ରୀରାମ ଚରିତ ମାନସ ପାରାୟଣର ଶୁଭାରମ୍ଭ କରାଯାଇଥିଲା । ଏହି ଉପଲକ୍ଷେ ସହର ଓ ଆଖପାଖ ଅଂଚଳରୁ ହଜାର ହଜାର ଭକ୍ତଙ୍କର ମନ୍ଦିର ପରିସରରେ ସମାବେଶ ହୋଇଥିଲା । କେନ୍ଦ୍ରାପଡା ସଦର ଥାନା ଓ ଟାଉନଥାନା ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ବ୍ୟାପକ ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ରାମନବମୀ ଠାରୁ ୨୧ଦିନ ବ୍ୟାପି ସମ୍ପୁର୍ଣ୍ଣରାମାୟଣ ନାଟକ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଏଠାରେ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ରାମମନ୍ଦିର ପରିଚାଳନା ସମିତିର ସଭାପତି ବିବେକାନନ୍ଦ ମହାରଣା ସୂଚନା ଦେଇଛନ୍ତି । ସେହିଭଳି ଗୋପ ରାମମନ୍ଦିରରେ ମଧ୍ୟ ମହାସମାରୋହରେ ରାମନବମୀ ଉତ୍ସବ ପାଳିତ ହୋଇଯାଇଛି । ଓଡ଼ିଶା ସମାଚାର