Friday , June 9 2023
Home / ବିଶେଷ / ଗରାପୁର ଶ୍ରୀମହାବୀର ହନୁମାନଜୀଉ ଆଶ୍ରମରେ ଶ୍ରୀରାମ ନବମୀ ପାଳିତ

ଗରାପୁର ଶ୍ରୀମହାବୀର ହନୁମାନଜୀଉ ଆଶ୍ରମରେ ଶ୍ରୀରାମ ନବମୀ ପାଳିତ

କେନ୍ଦ୍ରାପଡ଼ା, ୩୦/୦୩/୨୦୨୩ (ଓଡ଼ିଶା ସମାଚାର)- ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ଗରାପୁରସ୍ଥିତ ଶ୍ରୀମହାବୀର ହନୁମାନଜୀଉ ମନ୍ଦିର ତଥା ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଆଶ୍ରମରେ ପ୍ରଭୁ ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆଶ୍ରମ ପରିଚାଳନା ସମିତିର ସଭାପତି ବାବାଜୀ ଚେତନାନନ୍ଦଜୀ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗୁରୁବାର ପ୍ରତୁ୍ୟଷରୁ ପ୍ରଭୁ ଶ୍ରୀରାମଚନ୍ଦ୍ର, ଲକ୍ଷ୍ମଣ, ମା ସୀତା ଓ ହନୁମାନଜୀଉଙ୍କୁ ସ୍ନାନ କରାଯାଇ ଷୋଡଶ ଉପଚାରରେ ପୂଜା କରାଯାଇଥିଲା । ଏଥିସହିତ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ପ୍ରତିମୂର୍ତିକୁ ଏକ ସୁସଜିତ ବିମାନରେ ରଖାଯାଇ ସଙ୍କୀର୍ତନ ମଣ୍ଡଳୀ ଓ ଶତାଧିକ ଭକ୍ତ ଏବଂ ଶ୍ରଦ୍ଧାଳୁମାନଙ୍କ ଗହଣରେ ଏକ ଶୋଭାଯାତ୍ରା ଆଶ୍ରମ ପରିସରରୁ ବାହାରି ସାତଭଉଣୀ ଘାଟ, ଟାଉନ ହାଇସ୍କୁଲ ଛକ, ପୁରୁଣା ବସଷ୍ଟାଣ୍ଡ, ବଡହାଟ, କାକଟ, ଗଣାମାହାଲ, ନୂଆବସଷ୍ଟାଣ୍ଡ, ମହିପାଳ, ତିନିମୁହାଣି ଛକ ଦେଇ ଗୁଲନଗର ଓ ଗରାପୁର କୋଠିଛକ ଦେଇ ପୁନର୍ବାର ଆଶ୍ରମ ପରିସରକୁ ଫେରିଆସିଥିଲା । ଗତ ୨୨ତାରିଖ ଠାରୁ ଅଦ୍ୟାବଧି ପ୍ରତ୍ୟେହ ସକାଳ ଓ ସନ୍ଧ୍ୟାରେ ନବଦିନ ବ୍ୟାପି ସାଧୁସନ୍ଥ ଓ ବିଜ୍ଞ ପ୍ରବଚକମାନଙ୍କ ଦ୍ୱାରା ଶ୍ରୀରାମଚରିତ ମାନସ ପାରାୟଣ ଏବଂ ଆଧ୍ୟାତ୍ମିକ ପ୍ରବଚନ ଜ୍ଞାନଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଭଳି ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ରହି ବିଭୁକୃପା ଲାଭ କରିବାକୁ ଓଡିଶାର କୋଣ ଅନୁକୋଣରୁ ପ୍ରାୟ ଦଶ ହଜାରରୁ ଉଦ୍ଧ୍ୱର୍ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ । ଉତ୍ସବରେ ଶାନ୍ତି ସୃଙ୍ଖଳା ରକ୍ଷା ନିମନ୍ତେ ମନ୍ଦିର ପରିଚାଳନା ସମିତି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏହିସମସ୍ତ କାର୍ଯ୍ୟକ୍ରମରେ ଆଶ୍ରମର ଅନ୍ତେବାସୀ, ଗ୍ରାମବାସୀ, ସତ୍ୟସେବା ମଣ୍ଡଳର ସମସ୍ତ ସଭ୍ୟ ଏବଂ ଆଶ୍ରମ ପରିଚାଳନା ସମିତିର ସଦସ୍ୟମାନେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.