Monday , June 5 2023
Breaking News
Home / କୃଷି / ଓମଫେଡ୍ ର ଦୁଗ୍ଧ ଲିଟର ପିଛା ୪ଟଙ୍କା ଦରବୃଦ୍ଧି ସମୁଦ୍ରକୁ ଶେଙ୍ଖ- ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ

ଓମଫେଡ୍ ର ଦୁଗ୍ଧ ଲିଟର ପିଛା ୪ଟଙ୍କା ଦରବୃଦ୍ଧି ସମୁଦ୍ରକୁ ଶେଙ୍ଖ- ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ

ଭୁବନେଶ୍ୱର, ୩୦/୦୩/୨୦୨୩ (ଓଡ଼ିଶା ସମାଚାର)- ‘ଅମୁଲ’ ଓ ‘ମଦର ଡାଇରୀ’ ଭଳି କମ୍ପାନୀମାନେ ବିଗତ ବର୍ଷରେ ପାଂଚ ପାଂଚ ଥର ଦୁଗ୍ଧ ଦର ବୃଦ୍ଧି କରିଛନ୍ତି । ଫଳରେ ଦିଲ୍ଲୀ ଏନ୍.ସି.ଆର ଓ ଗୁଜୁରାଟ ଭଳି ଅଂଚଳରେ କ୍ଷୀର ଲିଟର ପିଛା ୬୬ ଟଙ୍କାରେ ଆସି ପହଂଚିଛି । କିନ୍ତୁ ଦୁଃଖର କଥା ବାରମ୍ବାର ଦୁଗ୍ଧଚାଷୀମାନଙ୍କର ପ୍ରତିବାଦ ଓ ଦାବି ଫଳରେ ‘ଓମଫେଡ୍’ ପକ୍ଷରୁ ଦୁଗ୍ଧ ଲିଟର ପିଛା ଗତକାଲି ୪ଟଙ୍କା ଦରବୃଦ୍ଧି ଘୋଷଣା କରାଯାଇଛି, ଯାହାକି ଆସନ୍ତା ଏପ୍ରିଲ୍ ୧ ତାରିଖରୁ ଲାଗୁ କରାଯିବ । ବିଗତ ବର୍ଷମାନଙ୍କରେ ୯୦୦ ଟଙ୍କାରେ ବିକ୍ରି ହେଉଥିବା ଗୋଖାଦ୍ୟ ୧୪୦୦ ଟଙ୍କାରେ ଆସି ପହଂଚିଛି । ସେହିଭଳି ଗାଈଙ୍କର ଔଷଧପତ୍ର ଓ ଅନ୍ୟାନ୍ୟ ଜିନିଷପତ୍ରର ମୂଲ୍ୟବୃଦ୍ଧି ଘଟିଛି । ଚୁନି, ଚୋକଡ଼, ପିଡ଼ିଆ, ନଡ଼ା, କୁଟା ପ୍ରଭୃତିର ମଧ୍ୟ ମୂଲ୍ୟ ବଢିଛି । ସରକାରଙ୍କ ପାଖେ ଅତୀତରେ ଦାବି କରିବା ସତ୍ୱେ ମଧ୍ୟ ଆଜି ମଧ୍ୟ ଓମଫେଡ୍ ଚାଷୀଙ୍କଠାରୁ ସଂଗ୍ରହ କରୁଥିବା କ୍ଷୀର ଦାମ୍ ମାତ୍ର ୪ ଟଙ୍କା ଲିଟର ପିଛା ବୃଦ୍ଧି କରିଛି, ଯାହା “ସମୁଦ୍ରକୁ ଶେଙ୍ଖ” ବୋଲି ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ଅଭିଯୋଗ କରିଛି । ବର୍ତମାନ ୨୬ଟଙ୍କା ୭୮ ପଇସାରେ ବିକ୍ରି ହେଉଥିବା କ୍ଷୀର ଲିଟରରେ ଚାଷୀ ୩୦ଟଙ୍କା ପର୍ଯ୍ୟନ୍ତ ପାଇବେ । ଏହି ସ୍ୱଳ୍ପ ଦରରେ ଗୋଟିଏ ଚାଷୀ ପରିବାର ଦୁଗ୍ଧ ବିକ୍ରି କରି ଚଳିପାରିବ ନାହିଁ । ସାଧାରଣତଃ ଗ୍ରାମାଂଚଳର ଅର୍ଦ୍ଧଶିକ୍ଷିତ ବେକାର ଯୁବକ ଯୁବତୀ ଓ ଗ୍ରାମ୍ୟ ମହିଳାମାନେ ଦୁଗ୍ଧ ଉତ୍ପାଦନ ଉପରେ ନିର୍ଭର କରି ନିଜର ଦୈନନ୍ଦିନ ଗୁଜୁରାଣ ମେଂଟାଇଥାଆନ୍ତି । ବର୍ତମାନ ବଜାରରେ ଡାଲି, ଚାଉଳ, ଅଟା, ଖାଇବା ତେଲ, ଆଳୁ, ପିଆଜ ଓ ପନି ପରିବା ଦର ବହୁଗୁଣା ବୃଦ୍ଧି ପାଇଛି । କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀଙ୍କର ମହଙ୍ଗା ଭତା ମଧ୍ୟ ବହୁଗୁଣିତ ହୋଇଛି । ଦୁଗ୍ଧ ମୂଲ୍ୟର ଏହି ୪ଟଙ୍କା ଦର ବୃଦ୍ଧି ବର୍ତମାନର ବଜାର ଦର ପାଇଁ କିଛି ନୁହେଁ । ଏହା ରାଜ୍ୟର ୧୧ଲକ୍ଷ ଦୁଗ୍ଧଚାଷୀ ପରିବାର ଆୟ ବୃଦ୍ଧିରେ ବିଶେଷ ସହାୟକ ହେବନାହିଁ । ତେଣୁ ଓମଫେଡ୍ ୨ ଲକ୍ଷ ୭୮ ହଜାର ଚାଷୀ ପରିବାରର ଜୀବନ ଜୀବିକାକୁ ଦୃଷ୍ଟିରେ ରଖି କ୍ଷୀର ଲିଟର ପିଛା ଅନ୍ତତଃପକ୍ଷେ ୪୦ ଟଙ୍କା କରିବାକୁ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ଦାବି କରିଛନ୍ତି । ମହାସଂଘର ରାଜ୍ୟ ଅଧ୍ୟକ୍ଷ ରବି ବେହେରା କହିଛନ୍ତି ଯେ, ସରକାର ଦୁଗ୍ଧଚାଷୀମାନଙ୍କର ସ୍ୱାର୍ଥକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଗୋଖାଦ୍ୟର ବଜାର ଦର ସରକାର ନିୟନ୍ତ୍ରଣ କରିବା ସହିତ ଦୁଗ୍ଧଚାଷୀମାନଙ୍କୁ ବିଭିନ୍ନ ଓମଫେଡ୍ ପ୍ରାଥମିକ ସେବା ସମବାୟ ସମିତି ଜରିଆରେ ସୁଲଭ ମୂଲ୍ୟରେ ଗୋଖାଦ୍ୟ ଯୋଗାଇ ଦିଆଯାଉ । ସେହିଭଳି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଢାଂଚାରେ ଗାଈ, ଗୋରୁ ପଶୁପକ୍ଷୀମାନଙ୍କର ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଏକ ସ୍ୱାସ୍ଥ୍ୟ ଯୋଜନା ରାଜ୍ୟ ପ୍ରାଣୀ ସମ୍ପଦ ବିଭାଗ କାର୍ଯ୍ୟକାରୀ କରୁ । ମଧ୍ୟାହ୍ନଭୋଜନ ଓ ଆଇ.ସି.ଡି.ଏସ୍. କାର୍ଯ୍ୟକ୍ରମରେ କ୍ଷୀର, ମିଲ୍କ ପାଉଡର ଓ ପନିର ଭଳି ସପ୍ତାହକୁ ଥରେ ଦୁଗ୍ଧଜାତ ଦ୍ରବ୍ୟ ଛାତ୍ରଛାତ୍ରୀମାନଙ୍କୁ ଓ ଗର୍ଭବତୀ ମହିଳାମାନଙ୍କ ପାଇଁ ପୁଷ୍ଟିସାର ଆକାରରେ ପ୍ରଦାନ କରାଯାଉ । ଏହାଫଳରେ ଦୁଗ୍ଧଚାଷୀମାନଙ୍କର ଆୟ ବୃଦ୍ଧି ପାଇପାରିବ । କେବଳ ଦୁଗ୍ଧର ଦାମ୍ ବଢିଲେ ହେବନାହିଁ, ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟ ଯଥା- ଦହି, ଘୋଳଦହି, ଘିଅ, ଛେନା, ପନିର ଓ ଖୁଆ ଭଳି ଦୁଗ୍ଧଜାତ ଦ୍ରବ୍ୟର ମୂଲ୍ୟ ମଧ୍ୟ ରାଜ୍ୟ ସରକାର ବୃଦ୍ଧି କରିବା ଉଚିତ୍ । ଏହାଫଳରେ ଦୁଗ୍ଧ ଉପôାଦନ ଉପରେ ନିର୍ଭର କରି ଗୁଜୁରାଣ ମେଂଟାଉଥିବା ଗରିବ ଗ୍ରାମ୍ୟ ମହିଳା, ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ବେକାର ଯୁବକ ଯୁବତୀମାନେ ସ୍ୱାବଲମ୍ବୀ ହେବା ସହିତ ସେମାନଙ୍କର ଅର୍ଥନୈତିକ ସମୃଦ୍ଧି ସମ୍ଭବ ହୋଇପାରିବ ଏବଂ ଗ୍ରାମାଂଚଳର ଅର୍ଥନୀତି ସମୃଦ୍ଧ ହେଲେ ରାଜ୍ୟ ଏକ ସମୃଦ୍ଧିଶାଳୀ ରାଜ୍ୟରେପରିଣତ ହୋଇପାରିବ । କାରଣ ଏ ରାଜ୍ୟର ୭୦ ଭାଗ ଚାଷୀ ଧାନ, ପନିପରିବା, ମାଛ ଓ ଦୁଗ୍ଧ ଉପôାଦନ ଭଳି କୃଷିଭିତିକ କାର୍ଯ୍ୟକ୍ରମରେ ନିଜର ଜୀବିକା ନିର୍ବାହ କରିଥାଆନ୍ତି । ରାଜ୍ୟର ବୃହତର ଚାଷୀମାନଙ୍କର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ଦୁଗ୍ଧ ଲିଟର ପିଛା ଚାଷୀକୁ ୪୦ଟଙ୍କା ଦେବାପାଇଁ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ବେହେରାଙ୍କ ସମେତ ଉପାଧ୍ୟକ୍ଷ ଦୁଃଶାସନ ମହାପାତ୍ର, ସାଧାରଣ ସମ୍ପାଦକ ନାରାୟଣ ଡାଳୁଆ, ସେବାରାମ ମେହେର, ବିଜୟ ବେହେରା, ଦୀପଦାସ ଯାଦବ ଓ ରାଜ୍ୟପ୍ରୀୟ ଦାସ, ଗୌରାଙ୍ଗ ରାଉତ ପ୍ରମୁଖ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.