Friday , June 9 2023
Home / ବିଶେଷ / ପାଇପରୁ ବାହାରୁଛି ଗୋଳିଆ ପାଣି

ପାଇପରୁ ବାହାରୁଛି ଗୋଳିଆ ପାଣି

ଲକ୍ଷ୍ମୀପୁର,୨୯/୦୩/୨୦୨୩ (ଓଡ଼ିଶା ସମାଚାର/ପ୍ରମୋଦ କୁମାର ଜେନ)-ପାଇପରୁ ବାହାରୁଛି ଗୋଳିଆ ପାଣି,ଯାହାକୁ ପିଇଲେ ମଣିଷ ରୋଗଗ୍ରସ୍ତ ହୋଇପାରେ । ତଥାପି ଉକ୍ତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ଲୋକେ। ଏହି ଭଳି ଘଟଣା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ପଞ୍ଚାୟତର ଡକଣା ଗ୍ରାମରେ ଦେଖିବାକୁ ମିଳିଛି। ଲକ୍ଷ୍ମୀପୁର ଠାରୁ ମାତ୍ର ୪ କିଲୋମିଟର ଦୂରରେ ଅବସ୍ଥିତ ଡକଣା ଗ୍ରାମ। ଗ୍ରାମରେ ଏବେ ପାନୀୟ ଜଳର ସମସ୍ୟା ଦେଖା ଦେଇଛି। ତିନି ବର୍ଷ ତଳେ ପଞ୍ଚାୟତ ତରଫରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ସୌର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଥିଲା। ଉକ୍ତ ପ୍ରକଳ୍ପ ବର୍ଷେବି ଗଲାନି।ଟାଙ୍କି ଫାଟି ଯିବାରୁ ଦୀର୍ଘ ଦିନ ଧରି ପାନୀୟ ଜଳ ପାଇବାରୁ ଗ୍ରାମବାସୀ ବଞ୍ଚିତ ରହିଲେ। ପରେ ପରେ ନୂତନ ଟାଙ୍କି ବସା ଯାଇଥିଲା । ହେଲେ ବର୍ତମାନ ପୁରା ସରୁ ହୋଇ ପାଇପରୁ ଗୋଳିଆ ପାଣି ବାହାରୁଛି। ଅଧ ଘଣ୍ଟା ଜଗିଲେ ହାଣ୍ଡିଏ ପାଣି ବାହାରୁଛି ବୋଲି ଜୟ ମାଣ୍ଡିଙ୍ଗା,ପରମା ମାଣ୍ଡିଙ୍ଗା,ପାନା ନାଚିକା,ନାଭି ମାଣ୍ଡିଙ୍ଗା,ଏମ୍ପି ମିଣିଆକା,ଏମଏଲ ମାଣ୍ଡିଙ୍ଗା,ପୁର୍ଣ ମାଣ୍ଡିଙ୍ଗା ଓ ହରି ମିଣିଆକା ପ୍ରକାଶ କରିଛନ୍ତି।ଏବେ ଖରାଦିନ ଆରମ୍ଭ ହୋଇ ଯାଇଥିବାରୁ ଗ୍ରାମରେ ଥିବା ୩୦ ଘର ଆଦିବାସୀ ପରିବାର ଚିନ୍ତାରେ ପଡିଛନ୍ତି।ଏନେଇ ଲକ୍ଷ୍ମୀପୁର ବିଡିଓ ପ୍ରିତୀ ରଞ୍ଜନ ରଥଙ୍କୁ ପଚାରିବାରୁ ଆସନ୍ତା କାଲି ଟେକନିକାଲ୍ ଟିମ୍ କୁ ପଠାଇ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି। ଅପର ପଟେ ଗ୍ରାମ ପାଖରେ ୨୦ ଲକ୍ଷ ଟଙ୍କା ବ୍ୟୟରେ ବସୁଧା ଯୋଜନାରେ ଏକ ପ୍ରକଳ୍ପ ନିର୍ମାଣ ଚାଲିଛି। କାମ ମନ୍ଥର ଗତିରେ ଚାଲୁଥିବାରୁ ଗ୍ରାମବାସୀ ତୁରନ୍ତ କାମ ସାରିବାକୁ ଦାବି କରିଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published.