କଟକ ସଦର, ୨୯/୦୩/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):କଟକ ସଦର ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ଓ ୧୨ ନମ୍ବର ରାଜ୍ୟ ରାଜପଥ କଡ଼ରେ ଥିବା ସର୍ବପୁରାତନ ତ୍ରିଛକି କନ୍ଦରପୁର ବଜାରରେ ବିନାୟକ ସଂଘ ପକ୍ଷରୁ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆୟୋଜିତ ତିନି ଦିନିଆ ବିଶ୍ଵଶାନ୍ତି ମହାଯଜ୍ଞ ଆଜି ବୁଧବାର ସଂଧ୍ୟାରେ ପୂର୍ଣ୍ଣାହୁତି ପରେ ଉଦଯାପିତ ହୋଇଯାଇଛି।ଏହି ଉପଲକ୍ଷେ ପ୍ରସାଦ ସେବନ ପାଇଁ ଆନନ୍ଦ ବଜାରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଥିଲା।କାର୍ଯ୍ୟକ୍ରମ ପରିଚାଳନାରେ ବଜାର କମିଟି ସଭାପତି ସ୍ମୃତିରଂଜନ ପ୍ରଧାନ, କୋଷାଧ୍ୟକ୍ଷ ବଦ୍ରିନାଥ ସାହୁ,ଅଜୟ ପ୍ରଧାନ, କାଳନ୍ଦୀ ସ୍ୱାଇଁ, ନିରଞ୍ଜନ ସାହୁଙ୍କ ସମେତ ସମସ୍ତ ସଦସ୍ୟ ସହାୟତା ଯୋଗାଇ ଥିଲେ।
ସେହିପରି ନଳିତା ପଞ୍ଚାୟତ ବାଲିକୁଦା (ପାରାଵିଲ) ଠାରେ ଅବସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା’ ଵାଲୁଙ୍କେଶ୍ୱରୀଙ୍କ ପୀଠରେ ବିଶ୍ୱ କଲ୍ୟାଣ ମହାଯଜ୍ଞ ମନୋଜ୍ଞ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇ ଉଦଯାପିତ ହୋଇଯାଇଛି।ଏହି ଉପଲକ୍ଷେ କେତେକ ବ୍ୟକ୍ତିବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ପ୍ରବଚନ ଓ ଭଜନ ସଂଧ୍ୟା ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଧବଳେଶ୍ଵରୀ ଗ୍ରାମ୍ୟ କମିଟି କୋଷାଧ୍ୟକ୍ଷ ଉମେଶ ଚନ୍ଦ୍ର ବାଡି,ସରୋଜ ପାତ୍ର, ସୁରେନ୍ଦ୍ର ପାତ୍ର, ନୃସିଂହ ଭୋଇ,ବିକାଶ ରାଉତରାୟ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ ।