Friday , June 9 2023
Home / ବିଶେଷ / ବଢ଼ିବ ଘରୋଇ କଲ୍ୟାଣ ମଣ୍ଡପ ବ୍ୟବହାର ଦେୟ , ଉଚ୍ଛେଦ ହେବ ବେଆଇନ ହୋର୍ଡିଂ

ବଢ଼ିବ ଘରୋଇ କଲ୍ୟାଣ ମଣ୍ଡପ ବ୍ୟବହାର ଦେୟ , ଉଚ୍ଛେଦ ହେବ ବେଆଇନ ହୋର୍ଡିଂ

ସିଏମ୍ ସି ଲାଇସେନ୍ସ ସ୍ଥାୟୀ ସମିତି ବୈଠକ

କଟକ, ୨୫/୦୩/୨୦୨୩ (ଓଡ଼ିଶା ସମାଚାର)- କଟକ ମହାନଗର ନିଗମ (ସିଏମସି) ଲାଇସେନ୍ସ ବିଭାଗ ଷ୍ଟାଣ୍ଡିଂ କମିଟି ବୈଠକ ଶୁକ୍ରବାର ବିଜୁ ଭବନରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଘରୋଇ କଲ୍ୟାଣ ମଣ୍ଡପର ୟୁଜର୍ସ ଦେୟ ବୃଦ୍ଧି  ବାଦରେ ଆଲୋଚନା ହୋଇଥିଲା। ପୂର୍ବରୁ ମାସିକିଆ ୟୁଜର୍ସ ଦେୟ ଆଦାୟ ହେଉଥିଲା; ତେବେ ଏଥିରେ ପରିବର୍ତ୍ତନ ହୋଇଛି। ଏଣିକି ମଣ୍ଡପଗୁଡ଼ିକ ବାର୍ଷିକ ୯୦ ହଜାର ଟଙ୍କା ଏକ କାଳୀନ ପୈଠ କରିବେ। ସେହିପରି ଦୋକାନ ଘରଗୁଡ଼ିକ ନବୀକରଣ କରାଯାଇ ବ୍ୟବସାୟୀଙ୍କୁ ଆବଣ୍ଟିତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ ସହରରେ ଥିବା ବେଆଇନ ହୋର୍ଡିଂ ଗୁଡ଼ିକୁ ଚିହ୍ନଟ କରାଯାଇ ତୁରନ୍ତ ଉଚ୍ଛେଦ କରିବାକୁ କମିଟି ପକ୍ଷରୁ ନିଷ୍ପତ୍ତି  ହୋଇଛି। ବିଜୁ ପଟ୍ଟନାୟକ ଛକସ୍ଥିତ ଦୋକାନ ଘରଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଭଙ୍ଗାଯାଇ ନବୀକରଣ ହେବା ପରେ ଏହାକୁ ପୁନଃ ଭଡ଼ାସୂତ୍ରରେ ଆବଣ୍ଟିତ କରାଯିବ। ସେହିପରି ବକ୍ସି ବଜାର ବିଲମୋରିଆ ମାର୍କେଟକୁ ଭଙ୍ଗାଯିବ। ସେଠାରେ ଏକ ଫଳ ମାକେର୍ଟ ହେବ ବୋଲି ବୈଠକରେ ସ୍ଥିର ହୋଇଛି। ବିଜୁ ପଟ୍ଟନାୟକ ଛକସ୍ଥିତ ସିଏମସିର କେତେକ ଦୋକାନ ଘରଗୁଡ଼ିକ ଜବରଦଖଲ ହୋଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ତୁରନ୍ତ ଉଚ୍ଛେଦ କରି ନିର୍ମାଣ କାର୍ଯ୍ୟ କରାଯିବାକୁ ବୈଠକରେ ଆଲୋଚନା ହୋଇଥିଲା। ଯେଉଁ ବ୍ୟବସାୟୀମାନେ ନିଗମର ଦୋକାନ ଘର ନେଇ ଅନ୍ୟକୁ ଭଡ଼ା ସୂତ୍ରରେ ଦେଇଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି  ହୋଇଛି। ଏଥିନେଇ ସମସ୍ତ ଦୋକାନଗୁଡ଼ିକୁ ଯାଞ୍ଚ କରାଯିବ। ଗୋଟିଏ ପରିବାରରୁ କେବଳ ଜଣେ ସଦସ୍ୟଙ୍କୁ ହିଁ ଦୋକାନ ଘର ଆବଣ୍ଟିତ କରିବା ନିୟମ ପ୍ରଚଳନ କରାଯିବ। ଅନ୍ୟପକ୍ଷରେ ଦୋକାନ ଗୃହର ଭଡ଼ା ହଠାତ ବୃଦ୍ଧି ପାଇଥିବାରୁ ବ୍ୟବସାୟୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ୨୬ ନମ୍ବର ୱାର୍ଡ  କର୍ପୋରେର୍ପୋରେଟର ଗଗନ ଓଝା ପ୍ରଶ୍ନ କରିଥିଲେ। ଭଡ଼ା କୋହଳ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ବୈଠକରେ କମିଟି ଅଧ୍ୟକ୍ଷା ଏ. ଶ୍ରୀଦେବୀଙ୍କ ସମେତ ସମସ୍ତ ସଦସ୍ୟ, ସଦସ୍ୟା ଓ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published.