Friday , June 9 2023
Breaking News
Home / ବିଶେଷ / ବିଧାନସଭା ସମ୍ମୁଖରେ କୃଷ୍ଠ ରୋଗୀଙ୍କ ତିନିକିଆ ଧର୍ମଘଟ ୨୪ ରେ

ବିଧାନସଭା ସମ୍ମୁଖରେ କୃଷ୍ଠ ରୋଗୀଙ୍କ ତିନିକିଆ ଧର୍ମଘଟ ୨୪ ରେ

ଭୁବନେଶ୍ୱର, ୨୪/୦୩/୨୦୨୩ (ଓଡ଼ିଶା ସମାଚାର)-ଜାତିର ଜନକ ମହାତ୍ମା ଗାନ୍ଧୀ, ମଦର ଟେରେସା, ବାବା ଆମେତ ଏବଂ ଡାକ୍ତର ଆଇଜାକ ସାନ୍ତ୍ରା କୁଷ୍ଠ ରୋଗୀଙ୍କୁ ନିସ୍ୱାର୍ଥପର ଓ ସ୍ନେହଭରା ସେବା ପ୍ରଦାନ କରି ଇତିହାସରେ ଅମର ହୋଇ ରହିଛନ୍ତି । ବିଗତ ଦୁଇ ଦଶନ୍ଧି ଧରି କୁଷ୍ଠ ନିବାରଣ ଆଳରେ ବ୍ୟାପକ ଦୁର୍ନୀତି, ଜାଲିଆତି, ଭ୍ରଷ୍ଟାଚାର, ମିଥ୍ୟା ରିପୋର୍ଟ, ପାଣ୍ଠିର ବ୍ୟାପକ ଅପବ୍ୟବହାର ଯୋଗୁ କୁଷ୍ଠ ପୀଡ଼ିତ ଏବଂ ୧୧ ଲକ୍ଷରୁ ଉଦ୍ଧ୍ୱର୍ କୁଷ୍ଠମୁକ୍ତ ବ୍ୟକ୍ତିମାନେ ଉପଯୁକ୍ତ ଚିକିତ୍ସା ଓ ସାମାଜିକ ଅଧିକାରରୁ ବଂଚିତ । ଏଥିପାଇଁ ଭାରତ ସରକାର ଏବଂ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ । ଅଧିକାରୀମାନେ ରକ୍ତମୁଖା ହୋଇ କୁଷ୍ଠ ନିରାକରଣ ଯୋଜନାକୁ କୁଷ୍ଠମାରଣ ନୀତିରେ ପରିଣତ କରିଛନ୍ତି । କୁଷ୍ଠ ରୋଗ ଓ ରୋଗୀ ନାହାଁନ୍ତି ବୋଲି ଦାବି କରାଯାଇଛି । କେନ୍ଦ୍ରରେ କୁଷ୍ଠ ବିଭାଗ, ରାଜ୍ୟରେ କୁଷ୍ଠ ବିଭାଗ ସେଲ୍, ୩୦ଟି କୁଷ୍ଠ ଅଧିକାରୀ, ୨୨ଟି କୁଷ୍ଠ କନସଲଟା କାର୍ଯ୍ୟ କରୁଛନ୍ତି । କିନ୍ତୁ ରାଜ୍ୟରେ ଖାଲିଥିବା ୩୫୯ କୁଷ୍ଠକର୍ମୀ ପଦବୀ ଏବଂ ଭାରତ ସରକାରଙ୍କ ଦ୍ୱାରା ୧୮୪ ମଞ୍ଜୁରପ୍ରାପ୍ତ ପଦବୀ ପୂରଣ କରାନଯାଇ ଏଥିପାଇଁ ୬୦ ହଜାର କର୍ମଚାରୀ କାମ କରୁଛନ୍ତି ବୋଲି ଦାବି ରଖାଯାଉଛି । ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରାଜ୍ୟ କୁଷ୍ଠ ସମୀକ୍ଷା ବୈଠକ ତା ୦୭.୦୧.୨୦୧୪ରିଖର ନିଷ୍ପତି କାର୍ଯ୍ୟକାରୀ କରାଗଲା ନାହିଁ । ୨୦୧୩ରୁ ୨୦୨୨ ମସିହା ମଧ୍ୟରେ ପ୍ରାୟ ୫୫୦ କୋଟି ଟଙ୍କା ବିଭିନ୍ନ କୁଷ୍ଠ ଯୋଜନା ନାମରେ ବାଟମାରଣା କରାଯାଇ ଅଛି । ଡିପିଏମ୍ଆର କ୍ଲିନିକ ସମସ୍ତ ମେଡ଼ିକାଲ ଚାଲିଛି ବୋଲି ସରକାର ଦାବି କରୁଛନ୍ତି କିନ୍ତୁ କୁଷ୍ଠକର୍ମୀ ଅଭାବରୁ ଅଚଳ । ଏଣୁ କୁଷ୍ଠରୋଗୀଙ୍କ ଗୋଡ଼ରେ ‘ଘା’ ପଚିଷଢି କ୍ୟାନ୍ସର ହେଉଛି ଏବଂ ବାହାର ରାଜ୍ୟରେ ଗୋଡ଼ କଟାଯାଉଛି । କୁଷ୍ଠରୋଗୀଙ୍କ ସେବା କାଗଜ ପତ୍ରରେ ଚାଲିଛି । ରାଜ୍ୟ ସରକାରଙ୍କ ଅଦୃଶ୍ୟ କୁଷ୍ଠ ଚିକିତ୍ସା ଯୋଗୁ କୁଷ୍ଠ ପୀଡ଼ିତ ଏବଂ କୁଷ୍ଠ ରୋଗରୁ ଆରୋଗ୍ୟ କଲେ ମଧ୍ୟ ଜୀବନସାରା ରୋଗର ପରବର୍ତୀ ଚିକିତ୍ସା ଯତ୍ନ ପାଇଁ ବ୍ୟାକୁଳ । ବାସ୍ତବରେ କୁଷ୍ଠ ରୋଗରେ ଭୟ, ଘୃଣା ଯୋଗୁ ସାଧାରଣ ସ୍ୱାସ୍ଥ୍ୟ ସେବାରେ ସାମିଲ୍ ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀ, ଆୟୁଷ ଡ଼ାକ୍ତର ଏବଂ ସଏଚଓ ମାନେ କୁଷ୍ଠରୋଗୀଙ୍କୁ କେହି ଦେଖନ୍ତି ନାହିଁ, ଶୁଣନ୍ତି ନାହିଁ, ଛୁଅନ୍ତି ନାହିଁ । ଡ୍ରେସିଂ ତ ଦୂରର କଥା, ୮୬ଟି କୁଷ୍ଠ କଲୋନୀରେ ସପ୍ତାହକୁ ଥରେ ମେଡ଼ିକାଲ ଟିମ୍, ଜଣେ ଡ଼ାକ୍ତର, ଜଣେ ପାରା ମେଡ଼ିକାଲ ୱାର୍କର ଏବଂ ଜଣେ ଡ୍ରେସର ଯାଇ ଛୁଇଁକରି ରୋଗୀ ପରୀକ୍ଷା ଏବଂ ଡ୍ରେସିଂ କରୁଛନ୍ତି ବୋଲି ମିଥ୍ୟା ରିପୋର୍ଟ ପ୍ରଦାନ କରାଯାଇଛି । କୁଷ୍ଠ କଲୋନୀ ଓ କୁଷ୍ଠାଶ୍ରମ ଉଚ୍ଛେଦ ପାଇଁ ୨୦୧୧ ମସିହାରେ ସରକାର ନିଷ୍ପତିି ନେଇଛନ୍ତି ।
୮୬ଗୋଟି କୁଷ୍ଠ କଲୋନୀରୁ ମାତ୍ର ଦୁଇଟି କୁଷ୍ଠ କଲୋନୀ ଯଥା ଭୁବନେଶ୍ୱରର ଗୋଖିବାବା ଓ ଲିଙ୍ଗରାଜ କଲୋନୀରେ ୩ କୋଟି ୯୦ ଲକ୍ଷ ଟଙ୍କାର ଘର ତିଆରି ଚାଲିଛି । ୮୪ଟି କୁଷ୍ଠ ନିଜସ୍ୱ ନିର୍ମିତ କଲୋନୀରେ ଭିତିିଭୂମିର ଅଭାବ, ଜମିପଟ୍ଟା, ରାସ୍ତାଘାଟ, ବାସଗୃହ ନଥିବାରୁ ଶ୍ରୀହୀନ । ସରକାର କିଛି କରୁନାହାଁନ୍ତି । ୧୪ଟି କୁଷ୍ଠ ଚିକିତ୍ସାଳୟ ଏବଂ ୪ଗୋଟି କୁଷ୍ଠାଶ୍ରମ ଭିତିିଭୂମିର ଏବଂ ମାନବ ସମ୍ବଳ ଅଭାବରୁ ଅଚଳ । ଜାତୀୟସ୍ତରୀୟ ହିନ୍ଦ୍ କୁଷ୍ଠ ନିବାରଣ ସଂଘ ଯାହାର ସଭାପତି ସ୍ୱୟଂ ରାଜ୍ୟପାଳ ଏବଂ ଉପସଭାପତି ମୁଖ୍ୟମନ୍ତ୍ରୀ ଦୀର୍ଘ ୧୨ ବର୍ଷ ଧରି ବୈଠକ ହୋଇନାହିଁ ଏବଂ ଏହା ଅଚଳ । ସଂଘର ରେଡ଼କ୍ରସ ଭବନ ନିକଟରେ ଥିବା ଜାଗା ଅଧିକାରୀମାନଙ୍କ ଷଡ଼ଯନ୍ତ୍ର ଓ ଚକତା ଯୋଗୁ ଜବର ଦଖଲରେ । ବିଜୁ ବାବୁଙ୍କ ସ୍ୱପ୍ନ ସାକାର କରିଥିବା କଥା କହୁଥିବା ସରକାର ସ୍ୱୟଂ ବିଜୁ ବାବୁ ଶୁଭ ଦେଇଥିବା ସଂଘର ଜାଗାକୁ ମାଫିଆମାନଙ୍କ ହାତରେ ଛାଡ଼ି ଦେଇଛନ୍ତି । ସେହିଭଳି ପୁରୀ କୁଷ୍ଠାଶ୍ରମର ୯ ଏକର ଜାଗା ମାଫିଆଙ୍କ କବ୍ଚାରେ ।
ବିଭିନ୍ନ କୁଷ୍ଠ କଲୋନୀର କୁଷ୍ଠମୁକ୍ତ ବ୍ୟକ୍ତିମାନେ ଜାତୀୟ କୁଷ୍ଠ ନିରାକରଣ ବିଭାଗରେ ପାରାମେଡ଼ିକାଲ ୱାର୍କର ପଦବୀରେ କାର୍ଯ୍ୟକାରୀ ଛଟେଇ ହେବା ପରେ ସ୍ୱାସ୍ଥ୍ୟ ବିଭାଗର ଖାଲିଥିବା ନିୟମିତ ପଦବୀରେ ୧୫ ବର୍ଷ ଧରି କାର୍ଯ୍ୟ କରିଥିଲେ ମଧ୍ୟ ସେମାନଙ୍କୁ ଚାକିରୀରେ ନିୟମିତ କରାଯାଉ ନାହିଁ । ସେହିଭଳି ଜାଣିଶୁଣି ୪୦୪ ପାରା ମେଡ଼ିକାଲ କର୍ମୀଙ୍କୁ ପ୍ରମୋଶନ ଦିଆଗଲା ନାହିଁ । ଏଣୁ କୁଷ୍ଠ ବିଭାଗର କର୍ମଚାରୀ ହିନସ୍ତା ଓ ଅଲୋଡ଼ା ।
କୁଷ୍ଠ ପୀଡ଼ିତ ଏବଂ ସେମାନଙ୍କ ପରିବାରକୁ ସାମାଜିକ ନ୍ୟାୟ ପ୍ରଦାନ ନିମନ୍ତେ ଜାତିସଂଘର ମାନବ ଅଧିକାର ଧାରା ୨୦୧୦, ସୁପି୍ରମକୋର୍ଟଙ୍କ ଆଦେଶ ଡବ୍ଲୁପିସି ନଂ-୭୬୭/୨୦୧୪, ଭାରତ ସରକାରଙ୍କ ‘ଲ’ କମିଶନ ରିପୋର୍ଟ ୨୫୬/୨୦୧୫, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଷ୍ଟେଟ ଟେକ୍ନିକାଲ କମିଟି ପ୍ରଥମ ବୈଠକର ନିଷ୍ପତି ଅନୁସାରେ ପ୍ରତ୍ୟେକ କୁଷ୍ଠ କଲୋନୀର ଅନ୍ତେବାସୀମାନଙ୍କୁ ନ୍ୟାୟିକ ଓ ସାମ୍ବିଧାନିକ ଅଧିକାର ଦେବା ଯଥା : ଘରବାରୀ ପଟ୍ଟା, ବାସଗୃହ, ମାଗଣା ପାଣି ଓ ବିଜୁଳି ପରିମଳ, ରାସ୍ତା, ସ୍ୱାସ୍ଥ୍ୟ, ଶିକ୍ଷା, ରୋଜଗାର, ନିଯୁକ୍ତି, ଆତ୍ମନିଯୁକ୍ତି, ସୁନିଶ୍ଚିତ କରିବା, ପ୍ରତ୍ୟେକ କୁଷ୍ଠରୋଗୀଙ୍କୁ ସହାୟତା ରାଶି ମାସିକ ୫୦୦୦ଟଙ୍କା, ଝିଅ ବାହାଘର ପାଇଁ ୫ ଲକ୍ଷ ଟଙ୍କା ସହାୟତା, ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତ୍ୟେକ ପରିବାରକୁ ଅନ୍ତଦୋୟ / ଅନ୍ନପୂର୍ଣ୍ଣା ଯୋଜନାରେ ୩୫ କେଜି ଚାଉଳ, କୁଷ୍ଠ ନିରାକରଣ ଯୋଜନାରେ ଭାରତ ସରକାରଙ୍କ ୧୮୪ କୁଷ୍ଠ କର୍ମୀ ଏବଂ ରାଜ୍ୟ ସରକାରଙ୍କ ୩୫୯ କୁଷ୍ଠ କର୍ମୀ ପଦବୀ, ଡ୍ରେସର ଆଟେଣ୍ଡା ପଦବୀ ପୂରଣ କରାଯାଉ । ରାଜ୍ୟ ସରକାର ୨ ଲକ୍ଷ ୩୦ ହଜାର କୋଟି ବଜେଟରୁ ରାଜ୍ୟର ସବୁଠାରୁ ଅବହେଳିତ କୁଷ୍ଠରୋଗୀଙ୍କ ପାଇଁ ପାଣ୍ଠି ବ୍ୟବସ୍ଥା କରିବା ଉଚିତ୍ ।
ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ଲକ୍ଷ ଲକ୍ଷ କୁଷ୍ଠ ପୀଡ଼ିତଙ୍କ ସମସ୍ୟା କୁଷ୍ଠରୋଗୀଙ୍କର ଉନ୍ନତମାନର ଚିକିତ୍ସାକୁ ବିଚାର କରି ଏକମାସ ଭିତରେ ଏକ ବୈଠକ ଡ଼ାକି ଏବଂ ଉକ୍ତ ବୈଠକରେ ୮୬ଗୋଟି କୁଷ୍ଠ କଲୋନୀ ପ୍ରତିନିଧି, ସାମାଜିକ ସଂଗଠନ ଏବଂ କୁଷ୍ଠ ସଂଗଠନର ପ୍ରତିନିଧିମାନେ ଉପସ୍ଥିତ ରହି ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଦେଶ ଇତ୍ୟାଦି ସମୀକ୍ଷା କରାଯାଇ କଲୋନୀର ଉନ୍ନତି ରାଜ୍ୟର ସବୁ କୁଷ୍ଠ ପୀଡ଼ିତା ଓ ତାଙ୍କର ପରିବାର ସଦସ୍ୟଙ୍କର ଚିକିତ୍ସା ଓ ଥଇଥାନ ନିମନ୍ତେ ୧ ମାସ ମଧ୍ୟରେ ନିଷ୍ପତିି ଗ୍ରହଣ କରାଗଲେ ପୀଡ଼ିତମାନେ ନ୍ୟାୟିକ ଓ ସାମ୍ବିଧାନିକ ଅଧିକାର ପାଇଁ ଏକ ଉତମ ନାଗରିକ ଭାବେ ଜୀବନ ଯାପନ କରିପାରିବେ । ଯଦି ୧ ମାସ ଭିତରେ ସରକାର ସମସ୍ୟାର ସମାଧାନ ନ କରନ୍ତି ତାହେଲେ ୨୫ ଏପ୍ରିଲ ଠାରୁ ହଜାର ହଜାର କୁଷ୍ଠରୋଗୀ ଅହୋରାତ୍ର ଧାରଣା ଦେବାକୁ ବାଧ୍ୟ ହେବେ । ବିଭିନ୍ନ ଦାବି ପୂରଣ ପାଇଁ ମାନ୍ୟବର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ କମିଟିର ସଭାପତି ଶ୍ରୀ ପ୍ରଭାକର ସାହୁ, ସାଧାରଣ ସମ୍ପାଦକ ଶ୍ରୀ ଦୁର୍ଯେ୍ୟାଧନ ସାହୁ, ଆନ୍ତର୍ଜାତିକ ମାନବ ଅଧିକାର କାଉନସିଲର ଅଧ୍ୟକ୍ଷା ସୁଶ୍ରୀ ଆରତୀ ମହଲା, ଆପୋଲୋ ଇଣ୍ଡିଆର ମୁଖ୍ୟ ଶ୍ରୀ ଉମେଶ ନାୟକ ଏବଂ ଅଲ ଇଣ୍ଡିଆ ଇନ୍ଦିରା କୁଷ୍ଠସେବା ସମିତିର ସାଧାରଣ ସମ୍ପାଦକ ଶ୍ରୀ ଶ୍ରୀପତି ପାତ୍ରଙ୍କ ସହିତ ଦାବି ପୂରଣ ପାଇଁ ଆଲୋଚନା କରିଛନ୍ତି ।

Leave a Reply

Your email address will not be published.