Monday , June 5 2023
Breaking News
Home / କ୍ରୀଡ଼ା / ଡିଏଗୋ ମୁରାସିଓ ଓ ବାପି ହାଁସଦାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଡିଏଗୋ ମୁରାସିଓ ଓ ବାପି ହାଁସଦାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୪/୦୩/୨୦୨୩ (ଓଡ଼ିଶା ସମାଚାର)- ଓଡ଼ିଶା ଏଫ୍‌ସି ଫୁଟବଲ କ୍ଲବର ବ୍ରାଜିଲ ଫରୱାର୍ଡ ଡିଏଗୋ ମୁରାସିଓ ଓ ଓଡ଼ିଶାର ଉଦିୟମାନ ଯୁବ ଧାବକ ବାପି ହାଁସଦାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁରାସିଓ ଓ ବାପିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ନିକଟରେ ଶେଷ ହୋଇଥିବା ୧୮ତମ ଜାତୀୟ ଜୁନିୟର ଦୌଡ଼କୁଦ ଚମ୍ପିଆନସିପରେ ବାଳକ ୪୦୦ମିଟର ବାଧାଦୌଡ଼ରେ ବାପି ୫୧.୯୦ ସେକେଣ୍ଡରେ ଅତିକ୍ରମ କରି ସ୍ବର୍ଣ୍ଣ ପଦକ ଜିତିଥିଲେ। ଏଥି ସହିତ ବାପି ଆସନ୍ତା ଏପ୍ରିଲରେ ଉଜବେକିସ୍ତାନରେ ଆୟୋଜିତ ହେବାକୁ ଥିବା ଏସୀୟ ଯୁବ ଦୌଡ଼କୁଦ ଚମ୍ପିଆନସିପ୍‌ ଲାଗି ଯୋଗ୍ୟତା ହାସଲ କରିଛନ୍ତି। ୧୮ ବର୍ଷରୁ କମ୍‌ ବାଳକ ବର୍ଗ୪୦୦ ମିଟର ବାଧାଦୌଡ଼ରେ ବିଶ୍ବର ଏକ ନମ୍ବର ଖେଳାଳି ଆଖ୍ୟା ଅର୍ଜନ କରିଥିବାରୁ ବାପିଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ। ସେହିପରି ଇଣ୍ଡିଆନ ସୁପରଲିଗ(ଆଇଏସ୍‌ଏଲ) ନବମ ସଂସ୍କରଣ ୨୦୨୨-୨୩ରେ ଓଡ଼ିଶା ଭିତ୍ତିକ କ୍ଳବ ଓଡ଼ିଶା ଏଫ୍‌ସିର ଫରୱାର୍ଡ ଡିଏଗୋ ମୁରାସିଓ ୨୧ଟି ମ୍ୟାଚରୁ ସର୍ବାଧିକ ୧୨ଟି ଗୋଲ ଦେଇ ଗୋଲଡେନ ବୁଟ୍‌ ପୁରସ୍କାର ପାଇଥିଲେ। ​‌ଏହି ସଫଳତା ଲାଗି ମୁରାସିଓଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶୁଭେଚ୍ଛା ଜଣାଇଥିଲେ। ୨୦୧୯ରେ ଓଡ଼ିଶା ଏଫ୍‌ସି କ୍ଳବ ଆଇଏସ୍‌ଏଲରେ ଭାଗ ନେଇ ଆସୁଛି। ୨୦୨୨-୨୩ରେ ମୁରାସିଓଙ୍କ ଚମତ୍କାର ପ୍ରଦର୍ଶନ ରହିଥିଲା। ଦଳ ଏଥିପାଇଁ ପ୍ଳେ ଅପରେ ପହଞ୍ଚି ପାରିଥିଲା ବୋଲି ଓଡ଼ିଶା ଏଫ୍‌ସି ସଭାପତି ରାଜ୍‌ ଅଥ୍‌ୱାଲ କହିଛନ୍ତି। ଓଡ଼ିଶା ଏଫ୍‌ସିକୁ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଥ୍‌ୱାଲ ଧନ୍ୟବାଦ ଜ୍ଞାପନ କରିଥିଲେ।

Leave a Reply

Your email address will not be published.