ଜଗତସିଂହପୁର,୨୩/୦୩/୨୦୨୩ (ଓଡ଼ିଶା ସମାଚାର)- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ( ଓୟୁଏଟି ) ଅଧିନସ୍ଥ ସର୍ବଭାରତୀୟ ସଂଯୋଜିତ କାଜୁ ଗବେଷଣା ପ୍ରକଳ୍ପ ଓ କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁରର ମିଳିତ ସହଯୋଗରେ ଅନୁସୂଚିତ ଜାତି ଉପଯୋଜନା ମାଧ୍ୟମରେ “ବୈଜ୍ଞାନିକ ପ୍ରଣାଳୀରେ କାଜୁବାଦାମ ଚାଷ” ସମ୍ବନ୍ଧୀୟ ଏକ ପ୍ରଶିକ୍ଷଣ ଶିବିର ନିମକଣାଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ କାଜୁ ଗବେଷଣା ପ୍ରକଳ୍ପର ଭାରପ୍ରାପ୍ତ ଅଧିକାରୀ ପ୍ରଫେସର୍ ଡଃ ପ୍ରମୋଦ କୁମାର ପଣ୍ଡା କାଜୁ ଗବେଷଣା ପ୍ରକଳ୍ପର ବିଭିନ୍ନ ନୂତନ ଜ୍ଞାନକୌଶଳ ଦ୍ଵାରା କାଜୁବାଦାମ ଚାଷରୁ କିଭଳି ଅଧିକ ଅମଳ ମିଳିପାରିବ ଏବଂ ଚାଷୀମାନେ ଲାଭବାନ ହୋଇପାରିବେ, ସେ ବିଷୟରେ ଆଲୋଚନା କରିଥିଲେ। କାଜୁ ବୈଜ୍ଞାନିକ ଡଃ (ଶ୍ରୀମତୀ) କବିତା ସେଠୀ କାଜୁ ଫସଲର ବିଭିନ୍ନ ଉନ୍ନତ, ଅଧିକ ଅମଳକ୍ଷମ କିସମ ଏବଂ କଲମୀ ଚାରାରୋପଣ ଉପରେ ନିଜର ବକ୍ତବ୍ୟ ରଖିଥିଲେ।
ଜଗତସିଂହପୁର ଜିଲ୍ଲାର ସହଉଦ୍ୟାନ କୃଷି ଅଧକାରୀ ଶ୍ୱେତପଦ୍ମା ଭୋଇ ଉକ୍ତ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ଉଦ୍ୟାନ ବିଭାଗ ତରଫରୁ ଚାଷୀମାନଙ୍କ ପାଇଁ କାଜୁଚାଷ ଉପରେ ସରକାରଙ୍କର ବିଭିନ୍ନ କାର୍ଯକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡଃ ଜୀବନଜିତ ସେନ୍ କାଜୁ ଫସଲ ପାଇଁ ଜଗତସିଂହପୁର ଜିଲ୍ଲାର ଉପକୂଳ ଅଞ୍ଚଳର ଉପଯୋଗୀ ଜଳବାୟୁ ଓ ମୃତ୍ତିକା ଉପରେ ଆଲୋଚନା କରିଥିଲେ।
କାଜୁ ବଗିଚାରେ ମୃତ୍ତିକାର ପରିଚାଳନା କରି କିଭଳି ଅଧିକ ଅମଳ ହୋଇପାରିବ ସେ ବିଷୟରେ ମତବ୍ୟକ୍ତ କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ରୋଗପୋକ ବିଶେଷଜ୍ଞ ଦେବାଶିଷ ପଣ୍ଡା କାଜୁ ଫସଲର ବିଭିନ୍ନ ପୋକ ଓ ରୋଗର ସମସ୍ୟା ଏବଂ ତା’ର ନିରାକରଣ କିଭଳି ଜୈବିକ ଉପାୟରେ କରାଯାଇ ପରିବେଶକୁ ସୁରକ୍ଷିତ ରଖାଯାଇପାରିବ, ସେ ବିଷୟରେ ବୈଜ୍ଞାନିକ ତଥ୍ୟମାନ ଉପସ୍ଥାପନା କରିଥିଲେ। ଏହି ଅବସରରେ ଚାଷୀମାନଙ୍କ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସହିତ ଓୟୁଏଟିରୁ ଉଦ୍ଭାବିତ ଉନ୍ନତ କିସମର କାଜୁକଲମୀ ଚାରା ବଣ୍ଟନ କରାଯାଇଥିଲା। ଉକ୍ତ ପ୍ରଶିକ୍ଷଣ ଶିବିରରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଂଚଳରୁ ୫୦ଜଣରୁ ଅଧିକ ଚାଷୀ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁରର ଉଦ୍ୟାନ ବିଶେଷଜ୍ଞ ଆଶୀଷ କୁମାର ମହାନ୍ତି, ଗୃହ ବିଜ୍ଞାନୀ ସସ୍ମିତା ପୁରୋହିତ, ମୃତ୍ତିକା ବୈଜ୍ଞାନିକ ପ୍ରଦୀପ୍ତ କୁମାର ମାଝୀ, ମତ୍ସ୍ୟ ବିଶେଷଜ୍ଞ ସରିତା ଦାସ ସହିତ ଅନ୍ୟ କର୍ମଚାରୀଗଣ ସହଯୋଗ କରିଥିଲେ।