ବ୍ରହ୍ମପୁର,୨୧/୦୩/୨୦୨୩ (ଓଡ଼ିଶା ସମାଚାର)- ନିମଖଣ୍ଡି ଥାନା ଅନ୍ତର୍ଗତ ପୁରୁଣା ଯୁଗୀଆପଲ୍ଲୀ ଗାଁରେ ବୋମାମାଡ଼ ହୋଇଛି । ଏଥିରେ ଦୁଇ ଜଣ ବ୍ୟକ୍ତି ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ଆହତ ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଆଜି ସନ୍ଧ୍ୟାବେଳେ ସେହି ଗାଁ ର କାର୍ତ୍ତିକ ପାତ୍ର ନିଜ ଘର ଦାଣ୍ଡରେ ଠିଆ ହୋଇ ଶ୍ରମିକମାନଙ୍କୁ ଟଙ୍କା ଦେଉଥିବାବେଳେ ହଠାତ୍ କାଳିଆ ପାତ୍ର ଓ ଏମ ମହେଶ ଦୋରା ଦୁଇ ଜଣ ଏକ ବାଇକ୍ ରେ ଆସି କାର୍ତ୍ତିକଙ୍କ ଉପରକୁ ହଠାତ୍ ଏକ ବୋମା ଫିଙ୍ଗିଥିଲେ। ତେବେ ବୋମା ପକାଇବା ବେଳେ କାଳିଆଙ୍କ ହାତରେ ବୋମା ଟି ଫୁଟିଯିବାରୁ ବାଇକ୍ ର ପଛରେ ବସିଥିବା ମହେଶଙ୍କ ମୁହଁକୁ ମାଡ଼ ହୋଇଥିଲା। କାର୍ତ୍ତିକଙ୍କ ପିଠିରେ ମଧ୍ୟ ବୋମା ମାଡରେ ଗଭୀର ଆଘାତ ଲାଗିଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । କାର୍ତ୍ତିକ ପାତ୍ର ଓ ଏମ ମହେଶ ଦୋରା ଆହତ ହୋଇ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।