ଅଭିଯୁକ୍ତ ଯୁବକ , ଜଣେ ମହିଳା ଙ୍କ ସମେତ ଦୁଇ ସହଯୋଗୀ ଗିରଫ, ଏକ ଭ୍ୟାନ ,ସ୍କୁଟି , ପଲସର ବାଇକ, ଏକ ବନ୍ଧୁକ, ଖୋକା,୩ ଟି ଅଫୁଟା ଗୁଳି ଓ ୪ ଗୋଟି ମୋବାଇଲ ଜବତ
ମୟୁରଭଞ୍ଜ, ୧୫/୦୩/୨୦୨୩ (ଓଡ଼ିଶା ସମାଚାର)- ମୟୂରଭଞ୍ଜରେ ଚାଞ୍ଚଲ୍ୟ । ପ୍ରେମରେ ପ୍ରତାରଣା ପରେ ଯୁବତୀଙ୍କୁ ଗୁଳି କରିଛି ବିବାହିତ ଯୁବକ । ଅଭିଯୁକ୍ତ ଯୁବକ ଙ୍କ ସମେତ ଦୁଇ ସହଯୋଗୀ ଙ୍କୁ ଗିରଫ କରାଯାଇଛି। ଏହି ଭଳି ଏକ ଅଭାବନୀୟ ଘଟଣା ବିଶୋଇ ଥାନା ଅଞ୍ଚଳରେ ଘଟିଛି । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଅଁଳାଡୁବା ଗାଁର ସୂରଜ ପଣ୍ଡାଙ୍କ ପୁଅ ଅର୍ଜୁନ ପଣ୍ଡା , ସହଯୋଗୀ ହଳଦୀପୋଖରୀ ଅଞ୍ଚଳର ଏସ.କେ ନାକିମ ଖାନ ଓ ବିଶୋଇ ଥାନା ଅଞ୍ଚଳର ଜଣେ ମହିଳା । ଦୀର୍ଘ ୩ ବର୍ଷ ଧରି ବିଶୋଇ ଥାନା ଅଞ୍ଚଳରେ ଜଣେ ଆଦିବାସୀ ଯୁବତୀଙ୍କ ସହିତ ଅର୍ଜୁନଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ବର୍ଷେ ତଳେ ଅର୍ଜୁନ ଯୁବତୀଙ୍କୁ ପ୍ରତାରଣା କରି ଅନ୍ୟ ଜଣକୁ ବିବାହ କରିଥିଲେ । ବିବାହ ପରେ ମଧ୍ୟ ଅର୍ଜୁନ ଯୁବତୀଙ୍କ ସହିତ ପୁଣି ସମ୍ପର୍କ ରଖବାକୁ ବାଧ୍ୟ କରିଥିଲେ । ହେଲେ ଅର୍ଜୁନ ବିବାହ କରିଥିବା ଜାଣି ଯୁବତୀ ଜଣକ ସମ୍ପର୍କ ରଖିବାକୁ ସହମତି ହୋଇନଥିଲେ । ଏନେଇ ପ୍ରତିଶୋଧ ପରାୟଣ ହୋଇ ଯୁବତୀଙ୍କୁ ଭ୍ୟାନ ଯୋଗେ ବିଶୋଇରୁ ଅପହରଣ କରି ନେଇ ରାଇରଙ୍ଗପୁର ସ୍ଥିତ ଏକ ନଦୀକୂଳରେ ଯୁବତୀଙ୍କ ଗୋଡକୁ ଗୁଳି କରିଥିଲେ । ଘଟଣାଟି ଲୋକ ଲୋଚନକୁ ଆସିବା ଭୟରେ ଅର୍ଜୁନ ଯୁବତୀଙ୍କୁ କ୍ଷତାକ୍ତ ଅବସ୍ଥାରେ ବଡ଼ଝରଣ ସ୍ଥିତ କାଳିଆଗ୍ରାମ ପରେ ଆଉ ଏକ ଭଡାଘରେ ତିନି ଦିନ ଧରି ଲୁଚାଇ ରଖିଥିଲେ ।ଗତ ସୋମବାର ଆହତ ଯୁବତୀ ମୋବାଇଲ ଫୋନ ଯୋଗେ ନିଜ ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇବା ପରେ ଯୁବତୀଙ୍କ ପରିବାର ଲୋକେ ଏନେଇ ବିଶୋଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲା । ଏନେଇ ଭଡାଘରର ମାଲିକାଣୀ ଅର୍ଜୁନଙ୍କୁ ଖବର ଦେଇଥିଲେ । ଧରାପଡିଯିବା ଭୟରେ ସେଠାରୁ ଯବୁତୀଙ୍କୁ ଧରି ଅର୍ଜୁନ ଫେରାର ହୋଇଯାଇଥିଲା । ରାଇରଙ୍ଗପୁର ନିକଟସ୍ଥ ଭୋରଣ୍ଡିଆ ସ୍ଥିତ ରାସ୍ତା କଡରେ ଯୁବତୀଙ୍କୁ ଛାଡି ଚମ୍ପଟ ମାରିଥିଲା ।
ଅର୍ଜୁନକୁ ପିଛା କରୁଥିବା ବିଶୋଇ ପୋଲିସ ଯୁବତୀ ଜଣଙ୍କୁ ରାସ୍ତା କଡ଼ରୁ ଉଦ୍ଧାର କରି ଚିକତ୍ସା ପାଇଁ ବାରିପଦା ପିଆରଏମ୍ ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଅର୍ଜୁନକୁ ପିଛାକରି ଗିରଫ କରିଥିଲା । ଅର୍ଜୁନଙ୍କୁ ବନ୍ଧୁକ ବିକିଥିବା ଯୁବକ ଏସ.କେ ନାକିମ ଓ ଯୁବତୀଙ୍କୁ ଲୁଚାଇ ରଖିବାରେ ସହଯୋଗ କରୁଥିବା ଭଡାଟିଆ ଘରର ମାଲିକାଣୀକୁ ମଧ୍ୟ ଗିରଫ କରାଯାଇଛି । ସାଇଣ୍ଟିଫିକ ଟିମ ସହାୟତାରେ ବିଶୋଇ ପୋଲିସ ତଦନ୍ତ କରି ଘଟଣାରେ ବ୍ୟବହୃତ ଏକ ଭ୍ୟାନ ,ସ୍କୁଟି , ପଲସର ବାଇକକୁ ଜବତ କରିବା ସହିତ ଏକ ବନ୍ଧୁକ,ଗୁଳି କାଣ୍ଡରେ ବ୍ୟବହୃତ ଖୋକା,୩ ଅଫୁଟା ଗୁଳି ଓ ୪ ଗୋଟି ମୋବାଇଲ ଜବତ କରିଛି ।ଏହି ଘଟଣାକୁ ନେଇ ବିଶୋଇ ଥାନାରେ କେସ ନଂ ୫୬/୨୩ ରେ ଏକ ମାମଲା ରୁଜ୍ଜୁ ହୋଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି।