ମାହାଙ୍ଗା,୦୭/୦୨/୨୦୨୩ (ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଉଷୁମା ଗ୍ରାମର ଗୋବରୀ ନଦୀ କୂଳରେ ଥିବା ଏକ ବିରାଟ ହୁଙ୍କା ମୂଳରୁ ନାଗ ନାଗୁଣୀଙ୍କର ଆବିର୍ଭାବ ହୋଇଛି । ତେବେ ହୁଙ୍କା ଟିକୁ ଗତ ଦୁଇ ବର୍ଷ ତଳେ ସ୍ଥାନର ମାଲିକ ବ୍ରଜବନ୍ଧୁ ସେଠୀ ସମ୍ପୂର୍ଣ ଭାବେ ସଫା କରି ସମତୁଲ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ପୁନର୍ବାର ହୁଙ୍କା ବୃଦ୍ଧି ପାଇ ଦୁଇ ବର୍ଷ ମଧ୍ୟରେ ୧୫ ଫୁଟରୁ ଉର୍ଦ୍ଧ ଉଚ୍ଚତା ସହ ଗୋଲେଇ ପାଖାପାଖି ୧୦ ଫୁଟ ରୁ ଅଧିକ ହୋଇଛି । ତେବେ ଶ୍ରୀପଞ୍ଚମୀ ଦିନ ଠାରୁ ଏହି ସ୍ଥାନରେ ଜଣେ ଯୁବକ ପୂଜାର୍ଚ୍ଚନା ଆରଂଭ କରିଦେଇଛନ୍ତି । ଶିବ ଲିଙ୍ଗ ସ୍ଥାପନା ସହ ଶିବ ପାର୍ବତୀଙ୍କ ଫଟୋ ମଧ୍ୟ ପ୍ରତିଦିନ ହୁଙ୍କା ମୂଳରେ ପୁଜା ପାଉଛନ୍ତି । କେବଳ ସେତିକି ନୁହେଁ ବରଂ ନାଗ ନାଗୁଣୀ ଙ୍କ ଉଦ୍ଦେଶ୍ୟରେ ଏକ ପିତଳ ପାତ୍ର ରେ କ୍ଷୀର ପ୍ରତିଦିନ ଦିଆଯାଉଛି । ଏହି ଘଟଣା ପ୍ରଘଟ ପରେ ସେହି ଜଙ୍ଗଲିଆ ସ୍ଥାନଟି ଧୀରେ ଧୀରେ ସଫା କରାଯାଇ ହୁଙ୍କା ଚାରିପଟେ ଜାଲ ରେ ଘେରା ଯାଇଛି । ଏହି ଘଟଣା ସମ୍ପର୍କ ରେ ଧୀରେ ଧୀରେ ଲୋକ ଲୋଚନକୁ ଆସିଲା ପରେ ସାଧୁସନ୍ଥ ମାନେ ଆସି ପୂଜାର୍ଚ୍ଚନା କରିବା ସହ ଦର୍ଶନ କରୁଛନ୍ତି । ଏପରିକି ହୁଙ୍କା ତଳେ ଶିବ ଲିଙ୍ଗ ଓ ସପ୍ତଫେଣୀ ନାଗ ନାଗୁଣୀ ରହିଥିବା ସାଧୁସନ୍ଥ ମାନେ ଅନୁବଳର କରି କହିଛନ୍ତି । ଆଉ ମଧ୍ୟ ୨୦୨୪ ମଧ୍ୟରେ ଏହା ପ୍ରକଟ ହେବା ସହ ବହୁ ଅଲୌକିକ ବିଷୟ ଘଟିବ ବୋଲି ଏଠାକୁ ଆସିଥିବା ସାଧୁସନ୍ଥମାନେ କହିଛନ୍ତି । ତେବେ ଶ୍ରୀପଞ୍ଚମୀ ଦିନ ଠାରୁ ଘୃତ ଯଜ୍ଞ ପରେ ପୂଜାର୍ଚ୍ଚନା ଅଦ୍ୟାବଧି ଜାରି ରହିଛି । ପ୍ରତିଦିନ ସନ୍ଧ୍ୟାରେ ଗ୍ରାମବାସୀ ମାନେ ନାମ ସଂକୀର୍ତ୍ତନ ଚଳାଇଛନ୍ତି । ଏହି ହୁଙ୍କା ତଳେ ମନ୍ଦିର ଓ ଶିବ ଲିଙ୍ଗ ଏବଂ ନାଗ ନାଗୁଣୀ ରହିଛନ୍ତି ବୋଲିଗ୍ରାମର ୩ ଜଣଙ୍କୁ ସ୍ୱପ୍ନା ଦେଶ ହୋଇଥିବା ଚର୍ଚ୍ଚା ହେଉଛି ।