କଟକ ସଦର, ୦୬/୦୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆବଶ୍ୟକତା ଦୃଷ୍ଟିରୁ କଟକ- ନୁଆଗାଁ ଭାୟା କନ୍ଦରପୁର-ଜଗତସିଂହପୁର ରାସ୍ତା କୁ ୫୫ ନମ୍ବର ଜାତୀୟ ରାଜପଥର ମାନ୍ୟତା ପାଇବାରେ ୭ ବର୍ଷ ବିତିଯାଇଥିଲେ ବି ଭିତ୍ତିଭୂମିର ବିକାଶ ହୋଇନଥିବାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ପ୍ରଥମ ଦଫାରେ କନ୍ଦରପୁର ଠାରୁ ବାଲିକୁଦା ପର୍ଯ୍ୟନ୍ତ ରାସ୍ତାର ନବୀକରଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଜମି ଅଧିଗ୍ରହଣ ବାଧକ ସାଜିଥିବା ଅଭିଯୋଗ ହୋଇଛି।ଏପରିକି ଏନ୍ ଏଚ୍ ପ୍ରାଧିକରଣ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା ବେଳେ କନ୍ଦରପୁର ବଜାର ଠାରେ ରାସ୍ତାର ଦିଗ ପରିବର୍ତ୍ତନ ପାଇଁ ବିବାଦ ଉପୁଜିଵାରୁ ଏଥିରେ ଧିମା ପଡ଼ିଯାଇଥିଲା। ରାସ୍ତାର ଦିଗ ପରିବର୍ତ୍ତନ ପାଇଁ କଟକ ସାଂସଦ ଭର୍ତୃହରି ମହତାବ ଦାବି ଉପସ୍ଥାପନ କରି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସହିତ ଏନ୍ ଏଚ୍ ଉଚ୍ଚ କତୃପକ୍ଷଙ୍କ ସହ କ୍ଷେତ୍ର ପରିଦର୍ଶନ କରି ପ୍ରସ୍ତାବ ଆଗତ କରିଥିଲେ। ଏଥିପାଇଁ ଘନ ଘନ ବୈଠକ କରାଯାଇ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ଆଗତ କରାଯାଇଥିଲା।ହେଲେ ରାସ୍ତାର ଦିଗ ପରିବର୍ତ୍ତନ ହେଲେ ବୈଷୟିକ ତୃଟି ବିଚ୍ୟୁତି ସହିତ ଦାସେ ଆଇଲେ ମୁଳରୁ ଗା ପରି କାର୍ଯ୍ୟ ରେ ଅହେତୁକ ବିଳମ୍ବ ଘଟିବ ବୋଲି ରାଜ୍ୟ ମୂଖ୍ୟ ଶାସନ ସଚିବ ଅନୁଭବ କରି ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିବା ଜଣାପଡିଛି। ଏଥିସହିତ ପୂର୍ବ ନିର୍ଦ୍ଧାରିତ ପ୍ରସ୍ତାଵ ମୁତାବକ ରାସ୍ତା କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।ଜମି ଅଧିଗ୍ରହଣ ପାଇଁ ପ୍ରଥମ ଦଫାରେ ସିଦ୍ଧେଶ୍ୱରପୁର ରାଜସ୍ୱ ମୈ।ଜାର ୧୯ ଟି ପ୍ଲଟ ଓ ଅଥଙ୍ଗା ମୈ।ଜାର ୨୪ ପ୍ଲଟ ୩(ଜି) ଆୱ।ର୍ଡ ପାଇଁ ଏନ୍ ଏଚ୍ ବିଭାଗକୁ ପଠାଯାଇଛି। ଏଥିସହିତ କନ୍ଦରପୁର ମୈ।ଜାରି ବଜାରରେ ଥିବା ସ୍ଥିତିବାନ ଜମିରେ ଗଢ଼ିଉଠିଥିବା ପକ୍କା ଘର ଗୁଡ଼ିକର ମାପଚୁପ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି। ଏହି ପ୍ରକ୍ରିୟା ସମାପ୍ତ ହେଲେ କ୍ଷତିଗ୍ରସ୍ତ ମାନଙ୍କୁ କ୍ଷତିପୂରଣ ଦିଆଯାଇ ଉଚ୍ଛେଦ ପରେ ରାସ୍ତା କାର୍ଯ୍ୟ ଅଗ୍ରାଧିକାର ଭିତ୍ତିରେ ଆରମ୍ଭ କରାଯିବ ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି ।
Home / ବିଶେଷ / ୫୫ ନମ୍ବର ଜାତୀୟ ରାଜପଥ ଦିଗ ପରିବର୍ତ୍ତନ ବିବାଦର ଅନ୍ତ, ପୂର୍ବ ନିର୍ଦ୍ଧାରିତ ପ୍ରସ୍ତାବ ଅନୁଯାୟୀ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ