କେନ୍ଦ୍ରାପଡ଼ା, ୦୬/୦୨/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ମେଡିକାଲ ଆନ୍ଦୋଳନ ଏକାଦଶ ଦିନରେ ପହଂଚିଛି । କେନ୍ଦ୍ରାପଡାର ପୁରୁଣା ମେଡିକାଲକୁ ସିଟି ହସପିଟାଲର ମାନ୍ୟତା ଦେବା ଦାବିରେ ଗତ ଜାନୁଆରୀମାସ ୧୭ତାରରେ ଅର୍ଭୁତପୂର୍ବ କେନ୍ଦ୍ରାପଡା ବନ୍ଦ ପାଳନ ପରେ ସରକାର ଓ ଜିଲ୍ଲା ପ୍ରଶାସନ କିଛି ନଶୁଣିବାରୁ ଗତ ଜାନୁଆରୀ ୨୪ତାରିଖରୁ କେନ୍ଦ୍ରାପଡା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ ହୋଇଥିବା ରିଲେ ଗଣଧାରଣାରେ ପ୍ରତିଦିନ ଅଧିକରୁ ଅଧିକ ମହିଳା ଓ କେନ୍ଦ୍ରାପଡାବାସୀ ସାମିଲ ହୋଇ ସେମାନଙ୍କର ଆକ୍ରୋଶକୁ ପ୍ରକାଶ କରୁଛନ୍ତି । ଏହି ସମୟ ମଧ୍ୟରେ ଆନ୍ଦୋଳନକୁ ପ୍ରତିହତ କରିବା ପାଇଁ ଜିଲା ପ୍ରଶାସନ ଓ ସରକାରୀ କଳ ବିଭିନ୍ନ ହୀନ ଉଦ୍ୟମ କଲାପରେ ଆନ୍ଦୋଳନ ପ୍ରତିହତ ନହେବାରୁ ଆନ୍ଦୋଳନକାରୀଙ୍କ ସହିତ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ଚଳାଇ ରଖିଥିଲେ ବି ଏପର୍ଯ୍ୟନ୍ତ କୌଣସି ରାସ୍ତା ବାହାରି ପାରିନି । ଜିଲା ପ୍ରଶାସନ ସିଟି ହସପିଟାଲ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇ ହାତଟେକି ବସିଛି । ଗତ ଶନିବାର ଦିନ ଜିଲାର ମନ୍ତ୍ରୀ ପ୍ରତାପ ଦେବ ଆନ୍ଦୋଳନକାରୀଙ୍କ ପ୍ରତିନିଧିଦଳ ସହିତ ଆଲୋଚନା କରିଥିଲେ ସରକାରଙ୍କ ସହିତ ଆଲୋଚନା କରି ଆଜି ଜଣାଇବା ପାଇଁ । ସେ ମଧ୍ୟ କିଛି କହିଲେ ନାହିଁ । ସ୍ଥାନୀୟ ବିଧାୟକଙ୍କ ଠାରୁ ଆରମ୍ଭ କରି ଜିଲାର କୌଣସି ବିଧାୟକ ଆନ୍ଦୋଳନ ସ୍ଥଳକୁ ଆସି ଟିକିଏ ବି ପଚାରି ନାହାନ୍ତି । ସେହିପରି କେନ୍ଦ୍ରାପଡା ପୌର ପରିଷଦର ଅଧ୍ୟକ୍ଷା ସରିତା ସାହୁ ଓ ସରକାରୀ ଦଳର କାଉନସିଲରମାନେ ମଧ୍ୟ ଗାଦି ଭୟରେ ଆନ୍ଦୋଳନର ପାଖ ମାଡୁନାହାନ୍ତି । ଯେଉଁମାନଙ୍କୁ ହାତଟେକି ଭୋଟ ଦେଇଥିଲେ ସେମାନେ ଆନ୍ଦୋଳନ ସ୍ଥଳକୁ ଆସି ଆହା ପଦେ କହୁ ନଥିବାରୁ ଆନ୍ଦୋଳନରେ ତିକ୍ତ ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ବତନ କାଉନସିଲର ରଶ୍ମୀତା ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗଣଧାରଣାକୁ ସମ୍ବୋଧନ କରି ପୂର୍ବତନ ବିଧାୟକ ତଥା ଜିଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି କହିଛନ୍ତି ସମସ୍ତ ଦଳକୁ ନେଇ ଆନ୍ଦୋଳନକୁ ତୀବ୍ର କରାଯିବ । ଆନ୍ଦୋଳନର ତରିକା ବଦଳେଇବାକୁ ସେ ଆହ୍ୱାନ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସିପିଆଇ(ଏମ) ଜିଲା ସଂପାଦକ ଗୟାଧର ଧଳ, ସି.ପି.ଆଇ. ଜିଲା ସଂପାଦକ ରମଣୀରଞ୍ଜନ ରାଉତରାୟ, ପୂର୍ବତନ କାଉନସିଲର ହିବଜୁର ରହେମାନ, ସୌମେନ୍ଦ୍ର କୁମାର ପୃଷ୍ଟି,ଓଡିଶା କୃଷକ ସଭାର ଜିଲା ସମ୍ପାଦକ ବିଜୟ ଦାସ, ଅବଦୁଲ ମାଜିଦ, ଆପ ଜିଲା ସମ୍ପାଦକ ସୂର୍ଯ୍ୟକାନ୍ତ ପରିଡା, ବିଜେପି ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟା ମମତାମୟୀ ସାମଲ, ଏସୟୁସିଆଇ ସମ୍ପାଦିକା ଏଲୀନା ସାମନ୍ତରାୟ, ବିଦୁଲତା ପଲାଇ, ଗୋପାଳ ଚନ୍ଦ୍ର ମହାପାତ୍ର, ଫାହିମା ବେଗମ, ବିକାଶ ସାମ୍ମୁଖ୍ୟ ସମ୍ପାଦକ ଅଜୟ ସାମଲ, ରଞ୍ଜନ କୁମାର ମଲ୍ଲିକ, ସିପିଆଇ ନେତା ଆଦିକନ୍ଦ ରାଉଳ, ଜୟନ୍ତୀ ପାଣି ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ପୂର୍ବତନ କାଉନସିଲର ପ୍ରଶାନ୍ତ ସିଂହ, ସୟଦ ଅକମଲ ଅଲ୍ଲୀ, ସେଖ ହାଫିଜୁଲ୍ଲା, ଆଇନଜୀବୀ ବିଧୁଭୂଷଣ ମହାପାତ୍ର ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।