କେନ୍ଦ୍ରାପଡ଼ା, ୦୬/୦୨/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରସଂସ୍ଥା ଟାଉନହଲରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକର, ଅତିରିକ୍ତ ଜିଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ପଣ୍ଡା, ଉପଜିଲାପାଳ ନିରଞ୍ଜନ ବେହେରା, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅନିତା ପଟ୍ଟନାୟକ, ଡେପୁଟୀ କଲେକ୍ଟର ରାଜେନ୍ଦ୍ର କୁମାର ଆଚାରିୟା, ଡେପୁଟୀ କଲେକ୍ଟର (ଅଭିଯୋଗ) ଶ୍ରୀକାନ୍ତ ପରିଜା ପ୍ରମୁଖ ଯୋଗଦେଇ ପଞ୍ଜିକୃତ ୧୫୮ଟି ଅଭିଯୋଗର ଶୁଣାଣିରେ ସହାୟତା ପ୍ରଦାନ କରିଥିଲେ । ସେଥିମଧ୍ୟରୁ ୧୩ଟି ସାମୂହିକ ଅଭିଯୋଗ ଥିବା ବେଳେ ୧୪୫ଟି ବ୍ୟକ୍ତିଗତ ଅଭିଯୋଗ ଥିଲା । ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ମଧୁବାବୁ ପେନସନ ଯୋଜନା, ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନକାର୍ଡ ପ୍ରଦାନ, ଜମିଜମା ମାମଲା, ଚିକିତ୍ସାପାଇଁ ଆର୍ଥôକ ସହାୟତା ପ୍ରଦାନ ଆଦି ଦରଖାସ୍ତ ଥିଲା । ସେହିପରି ସାମୂହିକ ଅଭିଯୋଗ ଗୁଡିକ ମଧ୍ୟରେ ଗ୍ରାମବାସୀଙ୍କ ଚାଷଜମିକୁ ଜଳସେଚନ ବ୍ୟବସ୍ଥା, କଳାକାର ଭତାପ୍ରଦାନ, ଜମିହରାଇଥିବା ଲୋକଙ୍କୁ କ୍ଷତି ପୁରଣ, ରାଜସ୍ୱ ନିରୀକ୍ଷକ ମଣ୍ଡଳ ଗଠନ, ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ, ନୂତନ ସେତୁ ନିର୍ମାଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ବଂଟନରେ ଅନିୟମିତତା, ବଲୁରିଆ ପଂଚାୟତର ନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଇତ୍ୟାଦି ଗୁଡିକର ଶୁଣାଣି କରି ଜିଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ସମସ୍ୟାଗୁଡିକର ସମାଧାନ ପାଇଁ ନିର୍ଦ୍ଧେଶ ଦେଇଥିଲେ । ଏହା ବ୍ୟତିତ ଗୋପାଳପୁରର ଗୁରୁ ଚରଣ ସାହୁଙ୍କୁ ୩ହଜାର ଟଙ୍କା, ପଲ୍ଲିସାହିର ରେଣୁବାଳା ପଲାଇଙ୍କୁ ୩ହଜାର ଟଙ୍କା ଓ ବଡପଡାର ଗାୟତ୍ରୀ ନାୟକଙ୍କୁ ୪ହଜାର ଟଙ୍କାର ଆର୍ଥôକ ସହାୟତା ରେଡକ୍ରସ ପାଣ୍ଠିରୁ ପ୍ରଦାନ ପାଇଁ ଜିଲାପାଳ ନିର୍ଦ୍ଧେଶ ଦେଇଥିଲେ ।
ଭିନ୍ନକ୍ଷମଙ୍କୁ ତ୍ୱରିତ ସହାୟତା ପାଇଁ ନିର୍ଦେଶ
କେନ୍ଦ୍ରାପଡା ପୌରସଂସ୍ଥା ଟାଉନହଲରେ ଅନୁଷ୍ଠିତ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ମହାକାଳପଡା ବ୍ଲକ ଅନ୍ତର୍ଗତ ବାଲିସୁଆ ଗ୍ରାମର ଅଲେଖ ରାଉତଙ୍କ ଭିନ୍ନକ୍ଷମ ଝିଅ ଲକ୍ଷ୍ମୀପ୍ରିୟା ରାଉତ ଉପସ୍ଥିତ ହୋଇ ତିନିମାସ ହେବ ଭତା ପାଉନଥିବା ଅଭିଯୋଗ କରିଥିଲେ । ଏହାକୁ ତଦନ୍ତ କରିବା ପାଇଁ ଜିଲାପାଳ ସେଠାରେ ଉପସ୍ଥିତ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କୁ ନିର୍ଦ୍ଧେଶ ଦେବା ସହିତ ଉପଜିଲାପାଳ ବନ୍ଦଥିବା ତାଙ୍କ ଭତାକୁ ଜାନୁୟାରୀମାସ ଠାରୁ ପ୍ରଦାନ ପାଇଁ ମହାକାଳପଡା ବିଡିଓଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଏହାବ୍ୟତିତ ଡେରାବିଶ ବ୍ଲକରୁ ଆସିଥିବା ଭିନ୍ନକ୍ଷମ(ସମ୍ପୂର୍ଣ୍ଣ ଦୃଷ୍ଟି ବାଧିତ) କୁଶିଆପାଳ ପଂଚାୟତର ନୁଆଗାଁର ଦୁର୍ଯେ୍ୟାଧନ ମଲ୍ଲିକ ୨୦୨୨ ମସିହା ସେପ୍ଟେମ୍ବର ମାସରୁ ଭତାପାଇବାରୁ ବଂଚିତ ହୋଇଥିଲେ । ତାଙ୍କର ଅସୁବିଧାକୁ ସମାଧାନ କରାଯିବା ସହିତ ତାଙ୍କୁ ସମସ୍ତ ବକେୟା ଭତା ପ୍ରଦାନ କରିବା ପାଇଁ ଜିଲାପାଳ ନିର୍ଦ୍ଧେଶ ଦେଇଥିଲେ ।