Sunday , March 26 2023
Breaking News
Home / ବିଶେଷ / ବିଦୁ୍ୟତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ମନମାନି

ବିଦୁ୍ୟତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ମନମାନି

ବିନା ସୂଚନାରେ ୭ ଘଂଟାରୁ ଉଦ୍ଧ୍ୱର୍ ସମୟ ଧରି ବିଦୁ୍ୟତ କାଟ

କେନ୍ଦ୍ରାପଡ଼ା, ୦୫/୦୨/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବିଦୁ୍ୟତ ଡିଭିଜନ୍ ଅଧିନ ଇଚ୍ଛାପୁର ସେକ୍ସନର କନିଷ୍ଠ ଯନ୍ତ୍ରୀଙ୍କ ମନମାନି ଯୋଗୁଁ ୭ ଘଂଟାରୁ ଉଦ୍ଧ୍ୱର୍ ସମୟ ଧରି ୫ଟି ଗ୍ରାମର ଲୋକେ ଅନ୍ଧାରରେ ରହି ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ସୂଚନା ଅନୁଯାୟୀ ସେହି ବିଦୁ୍ୟତ ସେକ୍ସନ ଅନ୍ତର୍ଗତ ନାଗପୁର, ଦେପୁର, ସାରଙ୍ଗ, କଦଳୀବାଡି ସମେତ ଓସ୍ତପୁର (ଆଂଶିକ) ର ଶତାଧିକ ଲୋକ କନିଷ୍ଠ ଯନ୍ତ୍ରୀଙ୍କ ଅପାରଗତା ଯୋଗୁଁ ଅନ୍ଧାରରେ ହନ୍ତସନ୍ତ ହୋଇଥିଲେ । ଗତ ୪ ତାରିଖ ଦିନ ବିଦୁ୍ୟତ ବିଭାଗ ପକ୍ଷରୁ ପୂର୍ବାହ୍ଣ ୧୦ ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ବିଦୁ୍ୟତ କାଟ୍ ହେବ ବୋଲି ଡାକବାଜି ଯନ୍ତ୍ର ଯୋଗେ ସୂଚନା ଦିଆଯାଇଥିଲା । ନିର୍ଦ୍ଧାରିତ ସମୟ ଅନୁଯାୟୀ ବିଦୁ୍ୟତ ସରବରାହ ଯୋଗାଇ ଦିଆଯାଇଥିଲା । କିନ୍ତୁ ଇଚ୍ଛାପୁର ସେକ୍ସନ ଅନ୍ତର୍ଗତ ଉପରୋକ୍ତ ୫ ଖଣ୍ଡି ଗ୍ରାମର ବିଦୁ୍ୟତ ଉପଭୋକ୍ତାଙ୍କୁ ବିନା ସୂଚନା ଓ ବିନା କାରଣରେ ସନ୍ଧ୍ୟା ୬ ଟାରୁ ରାତ୍ର ଗୋଟାଏ ପର୍ଯ୍ୟନ୍ତ ଅନ୍ଧାରରେ ରଖାଯାଇଥିଲା । ଏହାର କାରଣ ଜାଣିବାକୁ କନିଷ୍ଠ ଯନ୍ତ୍ରୀଙ୍କ ସହିତ ଯୋଗାଯୋଗ କରିବାରୁ ସେହିସବୁ ଅଂଚଳରେ ସରସ୍ୱତୀ ଭଷାଣୀ ହେଉଛି । ତେଣୁ ବିଦୁ୍ୟତ କାଟ କରାଯାଇଛି ବୋଲି ଏକ ଅଯୁକ୍ତିକର କଥା କହିବା ସହ ଭଷାଣୀ କମିଟିର ଲିଖିତ ସୁପାରିଶ ଏବଂ ଉଚ୍ଚ କର୍ତୃପକ୍ଷଙ୍କ ନିର୍ଦ୍ଧେଶ ଅନୁଯାୟୀ ବିଦୁ୍ୟତ କାଟ କରାଯାଇଥିବା  କନିଷ୍ଠ ଯନ୍ତ୍ରୀ ସଫେଇ ଦେଇଥିଲେ । କିନ୍ତୁ ଭଷାଣୀ ସହିତ ବିଦୁ୍ୟତ କାଟର କୈାଣସି ସମ୍ପର୍କ ନଥିବାବେଳେ କନିଷ୍ଠ ଯନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଉପଭୋକ୍ତାମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି । ଭଷାଣୀ ଉତ୍ସବ ଚଳିତ ବର୍ଷ ନୂଆ ନୁହେଁ । ବିଗତ କିଛି ବର୍ଷ ଧରି ଏଭଳି ଭଷାଣୀ ଉତ୍ସବ ଅନୁଷ୍ଠିତ ହେଉଥିଲେ ମଧ୍ୟ କୌଣସି ବର୍ଷ ଏଭଳି ବିଦୁ୍ୟତ କାଟ କରାଯାଇନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ପୂଜା କମିଟି ପକ୍ଷରୁ ଗଢା ଯାଇଥିବା ଶାନ୍ତି କମିଟି କର୍ମକର୍ତାଙ୍କୁ ପଚାରିବାରୁ କମିଟି ପକ୍ଷରୁ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଏସମ୍ପର୍କରେ କୌଣସି ଲିଖିତ ଦରଖାସ୍ତ ଦିଆଯାଇନଥିବା ସେମାନେ ପ୍ରକାଶ କରିଛନ୍ତି । ଏହି ଘଟଣାର ବାସ୍ତବତା ଜାଣିବା ପାଇଁ ବିଦୁ୍ୟତ ବିଭାଗ ନିର୍ବାହୀଯନ୍ତ୍ରୀଙ୍କ ସହିତ ଯୋଗାଯୋଗ କରିବାରୁ ଏ ସମ୍ପର୍କରେ ଆମ ପାଖରେ କୌଣସି ସୂଚନା ନଥିବା କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଦୀର୍ଘ ସମୟ ଧରି ବିଦୁ୍ୟତ କାଟ କରିବାକୁ ହେଲେ ସେହି ସବୁ ଅଂଚଳର ବିଦୁ୍ୟତ ଉପଭୋକ୍ତାମାନଙ୍କୁ ପୂର୍ବରୁ ବିଦୁ୍ୟତ କାଟ ସମ୍ପର୍କରେ ସୂଚନା ଦିଆଯିବାର ବ୍ୟବସ୍ଥା ଥିବାବେଳେ ଜଣେ କନିଷ୍ଠ ଯନ୍ତ୍ରୀ କିଭଳି ମନମୁଖୀ ଭାବେ ବିଦୁ୍ୟତ କାଟ କରି ପ୍ରାୟ ୭ ଘଂଟା ଧରି ଲୋକଙ୍କୁ ଅନ୍ଧାରରେ ରଖିପାରିଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜିଲାପାଳ ଏବଂ ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କ ନିକଟରେ ସ୍ଥାନୀୟ ଅଂଚଳର ବିଦୁ୍ୟତ ଉପଭୋକ୍ତାମାନଙ୍କ ପକ୍ଷରୁ ଦାବି ହୋଇଛି ।

Leave a Reply

Your email address will not be published.