ଯାଜପୁର, ୦୪/୦୨/୨୦୨୩ (ଓଡ଼ିଶା ସମାଚାର)- ପୂର୍ବତନ ଯାଜପୁର ସାଂସଦ ଅନାଦି ଦାସଙ୍କ ପୁଅ ତଥା ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସଙ୍କ ର ଗାଡ଼ି ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଯାଜପୁର ଖରସ୍ରୋତା ବ୍ରିଜ ଉପରେ ବାଇକରେ ଯାଉଥିବା ବେଳେ ତାଙ୍କ ଉପରେ ଦ୍ରୁତଗତିରେ ଯାଉଥିବା ହାଇଓ୍ବା ମାଡ଼ି ଯାଇଥିବା କୁହାଯାଉଛି। ଏହି ଦୁର୍ଘଟଣାରେ ଅର୍ଜୁନ ଚରଣ ଦାସଙ୍କର ମୃତ୍ୟୁ ହୋଇଥିଲା ବେଳେ ତାଙ୍କର ସହଯୋଗୀ ଅନନ୍ତ ମହାନ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ ଅନନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ର୍ସ୍ବଗତ ଅର୍ଜୁନ ଚରଣ ଦାସ ଯାଜପୁର ଜିଲ୍ଲା ବିଂଝାରପୁର ନିର୍ବାଚନ ମଣ୍ଡଳୀରେ ୧୯୯୫ରୁ ୨୦୦୦ ଯାଏ କଂଗ୍ରେସ ଦଳରୁ ବିଧାୟକ ଥିଲେ। ନିକଟରେ ସେ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ୍ ଯାଇ କେ ଚନ୍ଦ୍ରଶେଖର ରାଓଙ୍କ ଦଳ ଭାରତ ରାଷ୍ଟ୍ର ସମିତି (ବିଆରଏସ୍)ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ସାଂସଦ ହେମା ଗମାଙ୍କ, ସେମାନଙ୍କର ପୁଅ ଶିଶିର ଗମାଙ୍ଗ ପ୍ରମୁଖଙ୍କ ସହିତ ସାମିଲ ହୋଇଥିଲେ। ଆଜି ବିଆରଏସ୍ ପକ୍ଷରୁ ଭୁବନେଶ୍ବରରେ ଆୟେଜିତ ଏକ କୃଷକ ସମ୍ମିଳନୀରେ ଯୋଗଦେବାକୁ ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସ ଜଣେ ସହଯୋଗୀ ଅନନ୍ତ ମହାନ୍ତିଙ୍କ ସହିତ ବାଇକ୍ ରେ ଯାଉଥିଲେ। ଖରସ୍ରୋତା ବ୍ରିଜ ଉପରେ ତାଙ୍କ ଉପରେ ଏକ ବାଲିବୋଝେଇ ହାଇୱା ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଶ୍ରୀ ଦାସଙ୍କର ମୃତ୍ୟୁ ହୋଇଥିଲା। ସହଯୋଗୀ ଅନନ୍ତ ମହାନ୍ତି ଗୁରୁତର ଆହତ ହୋଇଥିଲେ। ଅନନ୍ତଙ୍କୁ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କୁ କଟକ ସ୍ଥାନାନ୍ତରିତ କରାଯିବା ପାଇଁ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି । ଯାଜପୁର ସଦର ପୁଲିସ ଦୂର୍ଘଟଣା ଘଟାଇଥିବା ବାଲିବୋଝେଇ ହାଇୱାକୁ ଜବତ କରିଛି । ହେଲେ ଚାଳକ ଫେରାର ହୋଇଯାଇଛି।