Tuesday , March 28 2023
Breaking News
Home / କୃଷି / ଦୁଗ୍ଧ ଲିଟର ପିଛା ୪୦ ଟଙ୍କା ନହେଲେ ବିଧାନସଭା ଆଗରେ କ୍ଷୀର ଢାଳି ପ୍ରତିବାଦ କରିବ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ

ଦୁଗ୍ଧ ଲିଟର ପିଛା ୪୦ ଟଙ୍କା ନହେଲେ ବିଧାନସଭା ଆଗରେ କ୍ଷୀର ଢାଳି ପ୍ରତିବାଦ କରିବ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ

ଭୁବନେଶ୍ୱର,୦୩/୦୨/୨୦୨୩ (ଓଡ଼ିଶା ସମାଚାର)- ଆଜି ‘ଅମୁଲ’ କମ୍ପାନୀ ପକ୍ଷରୁ ଦୁଗ୍ଧ ଲିଟର ପିଛା ୩ ଟଙ୍କା ବୃଦ୍ଧି କରାଯାଇଛି । ଫଳରେ ୬୩ ଟଙ୍କା ଲିଟର ବିକ୍ରି ହେଉଥିବା ଅମୂଲ କ୍ଷୀରର ଦାମ ଲିଟର ପିଛା ୬୬ ଟଙ୍କାରେ ପହଂଚିଛି ଏବଂ ଅମୂଲର ମଇଁଷି କ୍ଷୀର ଲିଟର ପିଛା ୭୦ ଟଙ୍କା ହୋଇଛି । ଗୁଜୁରାଟ ଦୁଗ୍ଧ ସମବାୟ ସମିତି ପକ୍ଷରୁ ‘ଅମୂଲ’ର ଏହି ଦୁଗ୍ଧ ମୂଲ୍ୟ ବୃଦ୍ଧି ଘୋଷଣା କରାଯାଇଅଛି । କିନ୍ତୁ ଦୁଃଖର କଥା ‘ଓମଫେଡ୍’ ପକ୍ଷରୁ ଏପର୍ଯ୍ୟନ୍ତ ଦୁଗ୍ଧ ମୂଲ୍ୟ ବୃଦ୍ଧି କରାଯାଇନାହିଁ । ବିଗତ ବର୍ଷମାନଙ୍କରେ ୯୦୦ ଟଙ୍କାରେ ବିକ୍ରି ହେଉଥିବା ଗୋଖାଦ୍ୟ ୧୪୦୦ ଟଙ୍କାରେ ଆସି ପହଂଚିଛି । ସେହିଭଳି ଗାଈଙ୍କର ଔଷଧପତ୍ର ଓ ଅନ୍ୟାନ୍ୟ ଜିନିଷପତ୍ରର ମୂଲ୍ୟବୃଦ୍ଧି ଘଟିଛି । ଚୁନି, ଚୋକଡ଼, ପିଡ଼ିଆ, ନଡ଼ା, କୁଟା ମଧ୍ୟ ମୂଲ୍ୟ ବଢିଛି । ସରକାରଙ୍କ ପାଖେ ଅତୀତରେ ଦାବି କରିବା ସତ୍ୱେମଧ୍ୟ ଆଜି ମଧ୍ୟ ଓମଫେଡ୍ ଚାଷୀଙ୍କଠାରୁ ସଂଗ୍ରହ କରୁଥିବା କ୍ଷୀର ଦାମ୍ ବଢେଇ ନାହିଁ । ଫଳରେ ଚାଷୀମାନେ ୩୩ ରୁ ୩୫ ଟଙ୍କା ଲିଟରରେ କ୍ଷୀର ବିକି୍ର କରିବାକୁ ବାଧ୍ୟ ହେଉଛନ୍ତି । ଯାହାଫଳରେ ଗୋଟିଏ ଚାଷୀ ପରିବାରର ଗୁଜୁରାଣ ମେଂଟିପାରୁନାହିଁ । ବିଗତ ଦିନ ମାନଙ୍କରେ ଡାଲି, ଚାଉଳ, ଅଟା, ଖାଇବା ତେଲ, ଆଳୁ, ପିଆଜ ଓ ପନି ପରିବା ଦର ବହୁଗୁଣା ବୃଦ୍ଧି ପାଇଛି । କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀଙ୍କର ମହଙ୍ଗା ଭତା ମଧ୍ୟ ବହୁଗୁଣିତ ହୋଇଛି । ଦୁଗ୍ଧ ମୂଲ୍ୟ ବୃଦ୍ଧି ନ ହେବା ଫଳରେ ରାଜ୍ୟର ୧୧ଲକ୍ଷ ଦୁଗ୍ଧଚାଷୀ ପରିବାର ବହୁ କଷ୍ଟରେ ନିଜର ଗୁଜୁରାଣ ମେଂଟାଉଛନ୍ତି । ଆଜି ଯେତେବେଳେ ‘ଅମୂଲ୍’ ଭଳି ବଡ଼ ବଡ଼ ଦୁଗ୍ଧକମ୍ପାନୀମାନେ ନିଜର ମୂଲ୍ୟ ବୃଦ୍ଧି କରିଛନ୍ତି, ସେତିକିବେଳେ ଓମଫେଡ୍ ୨ ଲକ୍ଷ ୭୮ ହଜାର ଚାଷୀ ପରିବାରର ଜୀବନ ଜୀବିକା ଦୃଷ୍ଟିରୁ କ୍ଷୀର ଲିଟର ପିଛା ଅନ୍ତତଃପକ୍ଷେ ୪୦ ଟଙ୍କା କରିବାକୁ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ଦାବି କରିଛନ୍ତି । ମହାସଂଘର ରାଜ୍ୟ ଅଧ୍ୟକ୍ଷ ରବି ବେହେରାଙ୍କ ଅଧ୍ୟକ୍ଷତାରେ ଆଜି ଏକ ଜରୁରୀ ବୈଠକ ବସି ଦୁଗ୍ଧମୂଲ୍ୟ ଲିଟର ପିଛା ୪୦ ଟଙ୍କା କରାନଗଲେ ଆଗାମୀ ବିଧାନସଭା ଅଧିବେଶନ ସମୟରେ ଚାଷୀମାନେ ଦୁଗ୍ଧ ଢାଳି ପ୍ରତିବାଦ କରିବେ ବୋଲି ନିଷ୍ପତିି ଗ୍ରହଣ କରାଯାଇଛି । ୧୧ ଲକ୍ଷ ଚାଷୀ ପରିବାରର ଜୀବନ ଜୀବିକାକୁ ଆଖି ଆଗରେ ରଖି ତୁରନ୍ତ ସରକାର ଦୁଗ୍ଧ ଲିଟର ପିଛା ଚାଷୀଙ୍କୁ ୪୦ ଟଙ୍କା ଦେବାକୁ ମହାସଂଘ ଦାବି କରିଛି । ଆଜିର ଏହି ଆଭାସି ବୈଠକରେ ମହାସଂଘର ଉପାଧ୍ୟକ୍ଷ ଦୁଃଶାସନ ମହାପାତ୍ର, ସମ୍ପାଦକ ନାରାୟଣ ଡାଳୁଆ, କଟକ ଜିଲ୍ଲା ମହାସଂଘ ଅଧ୍ୟକ୍ଷ ବିଜୟ ବେହେରା, କେନ୍ଦ୍ରାପଡ଼ା ଦୁଗ୍ଧ ଚାଷୀ ମହାସଂଘ ଅଧ୍ୟକ୍ଷ ପ୍ରେମାନନ୍ଦ ସ୍ୱାଇଁ, ପଶ୍ଚିମାଂଚଳ ଦୁଗ୍ଧ ଚାଷୀ ମହାସଂଘ ସଂଯୋଜକ ସେବାରାମ ମେହେର, ନୂଆପଡ଼ା ଜିଲା ଅଧ୍ୟକ୍ଷ ବେଣୁଧର ଗହିର ଓ ବାଲେଶ୍ୱର ଜିଲା ଅଧ୍ୟକ୍ଷ ଅର୍ଜ୍ଜୁନ ବାରିକ ପ୍ରମୁଖ ଯୋଗ ଦେଇଥିଲେ । ରାଜ୍ୟ ସରକାର ତୁରନ୍ତ ଦୁଗ୍ଧ ଲିଟର ପିଛା ଚାଷୀଙ୍କୁ ୪୦ଟଙ୍କା ଦେବା ସହିତ ଗୋଖାଦ୍ୟର ମୂଲ୍ୟ ସ୍ଥିର ରଖିବା ଏବଂ ମଣିଷମାନଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଳି ଗୋସମ୍ପଦର ସୁରକ୍ଷା ପାଇଁ ଏକ ସ୍ୱାସ୍ଥ୍ୟବୀମା ଯୋଜନା ପ୍ରଚଳନ କରିବା, ଗୋସମ୍ପାଦର ରକ୍ତ, ମଳ, ମୂତ୍ର ପରୀକ୍ଷାକୁ ଦେୟମୁକ୍ତ କରିବା ଏବଂ ଚର୍ମ ବିଣ୍ଡି ରୋଗରେ ଗାଈ, ବାଛୁରୀ, ଓ ମଇଁଷି ଭଳି ପଶୁ ସମ୍ପଦ ହରାଇଥିବା ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦୁଗ୍ଧଚାଷୀ ମହାସଂଘ ଦାବି କରିଛି । ଆଗାମୀ ୧୫ଦିନ ଭିତରେ ଦୁଗ୍ଧଚାଷୀଙ୍କର ଏହି ଦାବି ପୂରଣ ନ ହେଲେ ଆଗାମୀ ବିଧାନସଭା ଅଧିବେଶନ ସମୟରେ କ୍ଷୀର ଢାଳି ଦୁଗ୍ଧ ଚାଷୀମାନେ ପ୍ରତିବାଦ କରିବେ ବୋଲି ଏହି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି ।

Leave a Reply

Your email address will not be published.