ମାହାଙ୍ଗା,୦୨/୦୨/୨୦୨୩(ଓଡିଶା ସମାଚାର/ ଅଭୟ ଜେନା )- ମାହାଙ୍ଗା ବ୍ଲକ ଉଦ୍ୟାନ କୃଷି ବିଭାଗ ସହାୟତାରେ ବିରୂପା ଗେଙ୍ଗୁଟି ଦ୍ବିପାଞ୍ଚଳର କୁହୁଣ୍ଡା ଗ୍ରାମ ପଞ୍ଚାୟତ କଲ୍ୟାଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଆଜି ଏକ ଚାରା ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପଞ୍ଚାୟତର ଶଙ୍ଖପୁର, ବନଗୁରିଆ, ଧଉଳିଆ, ହରଗୋବିନ୍ଦପୁର ଏବଂ କୁହୁଣ୍ଡା ଗ୍ରାମର ଗର୍ଭବତୀ ଓ ପ୍ରସୂତି ମହିଳା ମାନଙ୍କୁ କଦଳୀ, ସଜନା, ଅମୃତଭଣ୍ଡା, କାଗଜିଲେମ୍ବୁ ଚାରା ସହ ବିଭିନ୍ନ ମଞ୍ଜି ଯୋଗାଇ ଦିଆଯିବା ଦେଖିବାକୁ ମିଳିଥିଲା ।
କୁଣ୍ଡି ସେବା ସମବାୟ ସମିତି ସଭାପତି ତଥା ସ୍ଥାନୀୟ ସମିତିସଭ୍ୟାଙ୍କ ପ୍ରତିନିଧି ସାମ୍ବାଦିକ ଅଖିଳେଶ ମହାନ୍ତି ଏହି କାର୍ୟ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଉତ୍ସବରେ କୁହୁଣ୍ଡା ସରପଞ୍ଚଙ୍କ ପ୍ରତିନିଧି ତଥା ପୂର୍ବତନ ସରପଞ୍ଚ ହେମନ୍ତ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ।
ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ସରଣ, ଜିଲ୍ଲା ସଂଖ୍ୟାଲଘୁ ନେତା ଅଫସର ତୁଲ୍ଲା, ପଞ୍ଚାୟତ ମହିଳା ଫେଡେରେସନ ସଭାପତି ଆରତୀ ନାୟକ, ଯୁବ ସଂଗଠକ ସୁଶାନ୍ତ ଦାସ, ରବୀନ୍ଦ୍ର ପୃଷ୍ଟି, ଗଣେଶ ବିହାରୀ, ଅଙ୍ଗନବାଡି କର୍ମୀ ଭାରତୀ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ପଞ୍ଚାୟତର ବିଭିନ୍ନ ୱାର୍ଡରୁ ଆସିଥିବା ମହିଳା ଏବଂ ସେମାନଙ୍କ ପରିବାର ବର୍ଗଙ୍କୁ ପୃଷ୍ଟି ଜାତୀୟ ଚାରା ଯୋଗାଇ ଦିଆଯାଇଥିଲା । ସରକାରଙ୍କ ପକ୍ଷରୁ ଏଭଳି ମହତ କାର୍ୟ୍ୟକ୍ରମକୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଥିଲେ । ଶେଷରେ ବିଷ୍ଣୁ ଚରଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।