Sunday , March 26 2023
Breaking News
Home / ବିଶେଷ / କଳାବିକାଶ କେନ୍ଦ୍ରରେ ମଞ୍ଚସ୍ଥ ହେଲା  ଭିନ୍ନ ସ୍ୱାଦର ନାଟକ ‘ସାରିଆ’

କଳାବିକାଶ କେନ୍ଦ୍ରରେ ମଞ୍ଚସ୍ଥ ହେଲା  ଭିନ୍ନ ସ୍ୱାଦର ନାଟକ ‘ସାରିଆ’

ଜଗତପୁର , ୨୯/୦୧/୨୦୨୩ (ଓଡିଶା ସମାଚାର  /ଅଭୟ ଜେନା )-  ‘ପାହାଡ଼ୀ ଖଡିଆ ସଂପ୍ରଦାୟର ବିବାହିତା ନାରୀ ସାରିଆ । ଜଙ୍ଗଲରୁ କାଠମାଫିଆ, ଦଲାଲ, ଦୁର୍ଦ୍ଦାନ୍ତ ଅପରାଧୀଙ୍କ କବଳରୁ  ସୁରକ୍ଷିତ ରଖିବା ପାଇଁ ପ୍ରତିବାଦର ସ୍ୱର ଉତ୍ତୋଳନ କରିଛି । ସେ ସ୍ୱରରେ ଅଛି ଭବିଷ୍ୟତ  ବଂଶଧରମାନଙ୍କ ପାଇଁ ଆହ୍ୱାନ । ଜଙ୍ଗଲ,  ଜୀବନ ଦିଏ, ଜୀବିକା ଦିଏ, ଜଳବାୟୁକୁ ସନ୍ତୁଳିତ ରଖେ, ଋତୁଚକ୍ରକୁ ଘୁରାଏ । ତାର କ୍ଷୟ ହେଲେ ପୃଥିବୀ ପୃଷ୍ଠାରୁ ଲିଭିଯିବ ସଭ୍ୟତା, ସଂସ୍କୃତି । ନିଶବ୍ଦ ନିପାନଠାରୁ କଳକଳ ନାଦିନୀ ଝରଣା ପର୍ଯ୍ୟନ୍ତ; ଶାଳଗଛ ଛାଇର ବୋଡ଼ା ଛତୁଠାରୁ ଆରମ୍ଭ କରି ପାହାଡ ତୀଖର ମହୁଫେଣା ପର୍ଯ୍ୟନ୍ତ; ସବୁଠି ପ୍ରତିଧ୍ୱନିତ ହୋଇଛି ସାରିଆର ଉଦାତ୍ତ କଣ୍ଠସ୍ୱର । ସେ ସ୍ୱରର ଇସ୍ପାତୀ ଧାରରେ ଯେଉଁମାନେ କ୍ଷତବିକ୍ଷତ, ଲହୁଲୁହାଣ, ହୋଇଛନ୍ତି ତାହାରି ହିସାବ ନିକାଶ ହୋଇଛି । ସେହି ହିସାବ ନିକାଶ ଭିତରେ ଚାରାରୋପଣ ହୋଇ ଏକ ନୂଆ ଗଛର ।  ସେହି ଗଛର ନାଁ ‘ସାରିଆ’ । ଉଦ୍ଭିଦ ବିଜ୍ଞାନୀମାନେ ହୁଏତ ସେହି ଗଛକୁ କହିପାରନ୍ତି ‘ସାରିଆ ରୋବୁଷ୍ଟା’ । ଏମିତି ଏକ କାହାଣୀକୁ ନେଇ ଶନିବାର ସନ୍ଧ୍ୟାରେ କଟକ କଳାବିକାଶ କେନ୍ଦ୍ରରେ ମଞ୍ଚସ୍ଥ ହୋଇଯାଇଛି ନାଟକ ‘ସାରିଆ’ । ଗ୍ଲୋବାଲ୍‌ ଥିଏଟର୍‌ ଫେଷ୍ଟିଭାଲ୍‌ ଆନୁକୂଲ୍ୟରେ ଥିଏଟର ମୁଭ୍‌ମେଣ୍ଟ କଟକ ଦ୍ୱାରା ଆୟୋଜିତ ନାଟକ ଉତ୍ସବରେ ଯାଜପୁର ରୋଡର ‘ସିମିଲି’ ଅନୁଷ୍ଠାନ ଏହି ନାଟକଟିକୁ ପରିବେଷଣ କରିଥିଲା । ଡକ୍ଟର ତରୁଣକାନ୍ତି ରାଉତଙ୍କ ଦ୍ୱାରା ରଚିତ ଏହି ନାଟକଟିକୁ  ସୁକାନ୍ତ ରାଉତ ନିର୍ଦ୍ଦେଶନା ଦେଇଛନ୍ତି । ରାଜେନ୍ଦ୍ର କୁମାର ରାଉତ ନାଟକକୁ ସଞ୍ଚାଳନ କରିଥିଲେ । ଏହି ଅବସରରେ ୟୁନିଭର୍ସିଟି ଲ’ କଲେଜର ଅଧ୍ୟକ୍ଷ ଡ. ସୁକାନ୍ତ ନନ୍ଦଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ନାଟ୍ୟକାର ଡ. ତରୁଣକାନ୍ତି ରାଉତଙ୍କୁ ସମ୍ମାନିତ କରାଯାଇଥିଲା ।

Leave a Reply

Your email address will not be published.