ଖୋର୍ଦ୍ଧା ,୨୮/୧/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ) :ପୋଲିସ ଓ ଅବକାରୀ ବିଭାଗର ଢିଲା ପାଟ୍ରୋଲିଂ ଯୋଗୁଁ ନିରାକାରପୁର ଥାନା ଇଲାକାରେ ଚାଲିଛି ବେଧଡକ ଧଳା ଜହର ଓ ଚୋରା ସୁନା ବେପାର। ରାଜ୍ୟ ରାଜଧାନୀରୁ ଗ୍ରାମାଞ୍ଚଳକୁ ଚୋରା ବେପାରୀମାନେ ସୁରକ୍ଷିତ ମଣି ବେପାରର ନେଟୱର୍କ ବଢାଇ ଚାଲିଛନ୍ତି। ଭୁବନେଶ୍ୱର ରୁ ଦୁଇ ଜଣ ଚୋରା ବେପାରୀ ଆସି ନିରାକାରପୁର ଥାନା ରାମେଶ୍ୱର ଛକ ପାନ୍ଥିକା ରେ ଗତ ଗୁରୁବାର ବେପାର ପାଇଁ ଜଣେ ଲୋକାଲ ବେପାରୀ ସାଙ୍ଗରେ ବେପାର ଡିଲ କରୁଥିବା ବେଳେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଚଢାଉ କରି ୩ ବେପାରୀଙ୍କୁ କାବୁ କରି ନେଇଥିଲା।
ସେମାନଙ୍କ ଠାରୁ ୧୭.୪୦ ଗ୍ରାମ ଧଳା ଜହର ଓ ୬୮.୧୮୦ ଗ୍ରାମ ଚୋରା ଗୋଲ୍ଡ ପ୍ଲେଟ ସୁନା ଜବତ କରିଛି। ଯାହାର ଆନୁମାନିକ ମୂଲ୍ଯ ୫ ଲକ୍ଷରୁ ଉର୍ଦ୍ଧ୍ବ ହେବ। ସେମାନଙ୍କ ଠାରୁ ଏକ ହୋଣ୍ଡା ସାଇନ ଓ ଟିଭିଏସ ସ୍କୁଟି ଜବତ କରିଛି। କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ ମାନେ ନୟାଗଡ଼ ଜିଲ୍ଲାର ପୁରୁଣା ଭୁବନେଶ୍ୱର ଲିଙ୍ଗରାଜ ଏରିଆରେ ରହୁଥିବା ପୂର୍ଣଚନ୍ଦ୍ର ପ୍ରଧାନ, ଖୋର୍ଦ୍ଧା ବେଗୁନିଆର ସହିଦ ନଗରରେ ରହୁଥିବା ଆରୟାନ ନାୟକ ଓ ଜଂକିଆ ବାଲିଗାଡିଆର ମାନସ ବଳବନ୍ତରାୟ।