Tuesday , March 28 2023
Breaking News
Home / କୃଷି / ଉନ୍ନତ କିସମର ଆନୁବଂଶିକ ମାଛ ଓ ଚିଙ୍ଗୁଡ଼ିର ବିସ୍ତୃତ ପ୍ରସାର ପାଇଁ ସିଫାରେ ଜାତୀୟ ପରାମର୍ଶ ବୈଠକ

ଉନ୍ନତ କିସମର ଆନୁବଂଶିକ ମାଛ ଓ ଚିଙ୍ଗୁଡ଼ିର ବିସ୍ତୃତ ପ୍ରସାର ପାଇଁ ସିଫାରେ ଜାତୀୟ ପରାମର୍ଶ ବୈଠକ

ଭୁବନେଶ୍ୱର, ୨୭/୦୧/୨୦୨୩ (ଓଡ଼ିଶା ସମାଚାର)- କୌଶଲ୍ୟାଗଂଗସ୍ଥିତ ଆଇସିଏଆର୍-କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ ସଂସ୍ଥା ଠାରେ ଉନ୍ନତ କିସମ ଆନୁବଂଶିକ ମାଛ ଓ ଚିଙ୍ଗଡ଼ିର ବିସ୍ତୃତପ୍ରସାର ପାଇଁ ଏକ ଜାତୀୟ ପରାମର୍ଶ ବୈଠକ ଆଜିଠାରୁ ଆରମ୍ଭ ହୋଇଛି । ଦୁଇଦିନ ଧରି ଅନୁଷ୍ଠିତ ହେବାକୁଥିବା ଏହି କାର୍ଯ୍ୟକ୍ରମଟି ଆଇସିଏଆର୍-ସିଫା ଓ ଆସୋସିଏସନ ଅଫ୍ ଆକ୍ୱାକଲଚରିଷ୍ଟ ର ମିଳିତ ଉଦ୍ୟମରେ ଆୟୋଜିତ ହେଉଛି । ଭାରତ ସମେତ ଅନ୍ୟାନ୍ୟ ଦେଶଗୁଡିକରେ ଉନ୍ନତ କିସମର ଆନୁବଂଶିକ ମାଛ ଓ ଚିଙ୍ଗଡ଼ି ମହଜୁଦ କରିବା ସହ ଗବେଷଣା ଅନୁଭୂତିକୁ ବଂଟନ କରିବା ପାଇଁ ଏକ ସ୍ୱତନ୍ତ୍ର ନକ୍ସା ଏହି ବୈଠକରେ ପ୍ରସ୍ତୁତ କରାଯିବ । ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଉପମହାନିର୍ଦ୍ଧେଶକ ଡଃ ଜେ. କେ. ଜେନା ଏହାକୁ ଉଦଘାଟନ କରିଥିଲେ । ପ୍ରକାଶଥାଉକି ବୈଷୟିକ ଜ୍ଞାନକୌଶଳ ଉପଯୋଗ କରି ସିଫାର ବୈଜ୍ଞାନିକମାନେ ଆନୁବଂଶିକ ଜୟନ୍ତୀ ରୋହି, ଜିଆଇ-ସ୍କାମ୍ପି, ଭାକୁର ମାଛର ସୃଷ୍ଟି କରିଛନ୍ତି । ଏହା ସାଧାରଣ ମାଛ ଠାରୁ ଯଥାକ୍ରମେ ୬୦, ୩୦ ଓ ୩୦ ପ୍ରତିଶତ ଅଧିକ ଅମଳ ହୋଇପାରୁଛି । ବର୍ତମାନ ଜୟନ୍ତୀ ରୋହିର ରୋଗ ପ୍ରତିରୋଧକ ଶକ୍ତିରେ ଉନ୍ନତି ଅଣାଯାଇପାରିଛି । ସିଫେ ମୁମ୍ବାଇରେ ମାଗୁର ଓ ସିବା ଚେନ୍ନାଇରେ ଚିଙ୍ଗୁଡ଼ିର ଉନ୍ନତ ଆନୁବଂଶିକ ଗବେଷଣା ଚାଲୁରହିଛି ବୋଲି ଡଃ ଜେନା ପ୍ରକାଶ କରିଥିଲେ । ଏହି ବୈଜ୍ଞାନିକ ଜ୍ଞାନକୌଶଳକୁ କୃଷକ ଓ ମତ୍ସ୍ୟ ଉଦ୍ୟୋଗୀମାନଙ୍କ ନିକଟରେ ପହଂଚାଇବା ପାଇଁ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । କେନ୍ଦ୍ର ମତ୍ସ୍ୟ ବିଭାଗ ଯୁଗ୍ମ ସଚ୍ଚିବ ଶ୍ରୀ ସାଗର ମେହେରା ଯୋଗଦାନ କରି ଉନ୍ନତ କିସମର ଆନୁବଂଶିକ ମାଛ ଓ ଚିଙ୍ଗୁଡ଼ି ସଂପର୍କରେ ଆଲୋଚନା କରିଥିଲେ । ନୀଳ ବିପ୍ଳବର ସଂଭାବନାକୁ ସଶକ୍ତ କରି ଉତ୍ପାଦନ ବୃଦ୍ଧି ପାଇଁ ଏହାର ଉଭୟ ଭୂଲମ୍ବି ଓ ଭୂସମାନ୍ତର ବିସ୍ତାର ଆବଶ୍ୟକତା ରହିଛି ଏବଂ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାରେ ଗୁଣାତ୍ମକ ମାଛ ବିହନ ଉତ୍ପାଦନ ଓ ବଂଟନକୁ ଗୁରୁତ୍ୱ ଦିଆଯାଇଛି ବୋଲି ଶ୍ରୀ ମେହେରା ପ୍ରକାଶ କରିଥିଲେ ।ଅନ୍ୟ ଅତିଥିମାନଙ୍କ ମଧ୍ୟରେ କେନ୍ଦ୍ରୀୟ ମତ୍ସ୍ୟ ଶିକ୍ଷା ଅନୁଷ୍ଠାନର କୁଳପତି ତଥା ନିର୍ଦ୍ଧେଶକ ଡଃ ସି. ଏନ୍. ରବିଶଙ୍କର, ନିଫଟମ୍ ର ପୂର୍ବତନ କୁଳପତି ଡଃ ସି. ବାସୁଦେବାପା, ଆଇସିଏଆର୍-ସିବାର ପୂର୍ବତନ ନିର୍ଦ୍ଧେଶକ ଡଃ ଏ. ଜି. ପୁନିହାଃ ଏବଂ ଜୟନ୍ତୀ ରୋହି ଗବେଷଣାର ନେତୃତ୍ୱ ନେଉଥିବା ପ୍ରଧାନ ବୈଜ୍ଞାନିକ ଡଃ କେ. ଡି. ମହାପାତ୍ର ଆଲୋଚନାରେ ଅଂଶଗ୍ରହଣ କରି ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ପ୍ରାରମ୍ଭରେ ଆଇସିଏଆର୍-ସିଫାର ନିର୍ଦ୍ଧେଶକ ଡଃ ପି. କେ. ସାହୁ ଅତିଥି ଓ ପ୍ରତିନିଧି ମାନଙ୍କୁ ସ୍ୱାଗତ କରିଥିଲେ । ନିଜ ଅଭିଭାଷଣରେ ମତ୍ସ୍ୟ ଉତ୍ପାଦନ ଓ ଉତ୍ପାଦନଶୀଳତାର ବୃଦ୍ଧି ପାଇଁ ବିଶେଷଜ୍ଞମାନଙ୍କ ଠାରୁ ପରାମର୍ଶ ଲୋଡିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱ ଖାଦ୍ୟ ପୁରସ୍କାର ବିଜେତା ଡଃ ଏମ୍. ଭି. ଗୁପ୍ତା, ଏନଏଫଡିବି, ୱାର୍ଲ୍ଡଫିସ୍, ରାଜୀବ ଗାନ୍ଧୀ ସେଂଟର ଫର୍ ଆକ୍ୱାକଲଚର,ବିଭିନ୍ନ ରାଜ୍ୟର ମତ୍ସ୍ୟ ଅଧିକାରୀ, ଉଦ୍ୟୋଗୀ, ସିଫାସହ ବୁଝାମଣା କରିଥିବା ମଲ୍ଟିପ୍ଲାୟର ୟୁନିଟ୍ ର ପ୍ରତିନିଧିମାନେ ଯୋଗଦାନ କରିଥିଲେ । ଏହି ଅବସରରେ ଦୁଇଟି ପୁସ୍ତିକା ଉନ୍ମୋଚିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ମତ୍ସ୍ୟ ଅନୁବଂଶିକ ସୁକ୍ଷ୍ମ ଜୀବାଣୁ ଓ ଜୀବ ଔଦୋଗିକ ପ୍ରୟୋଗ ବିଭାଗ ମୁଖ୍ୟ ଡଃ ପି. ଦାସସଂଚାଳନ କରିଥିଲେ ।

Leave a Reply

Your email address will not be published.