କୋରାପୁଟ ୨୪/୦୧/୨୦୨୩ (ଓଡ଼ିଶା ସମାଚାର)- ଓଡ଼ିଶା ପୋଲିସ ସହାୟତାରେ ସ୍ୱାଭିମାନ ଅଂଚଳରୁ ଦୁର୍ଦ୍ଦାନ୍ତ ମାଓବାଦୀ ରଞ୍ଜୁଖିଲ ଓରଫ ଚାଣ୍ଟିକୁ ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନ୍ଆଇଏ) ଗିରଫ କରିଥିବା ଜଣାଯାଇଛି। ୨୦୧୨ ମସିହା ଜୁଲାଇ ମାସରେ ବିଏସଏଫ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣରେ ୪ ଯବାନ ସହିଦ ହୋଇଥିଲେ। ଏହି ଘଟଣାରେ ଚାଣ୍ଟି ସାମିଲ ଥିବା ସୂଚନା ରହିଛି । ଏହାପରେ ୨୦୧୩ ମସିହାରେ ଚାଣ୍ଟିକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେ ୨୦୧୮ ମସିହାରେ ବେଲରେ ବାହାରିଥିଲା ଓ ପରେ ଆଉ କୋର୍ଟରେ ହାଜର ହେଉନଥିଲା।ବିଏସଏଫ୍ ଯବାନଙ୍କ ହତ୍ୟା ଘଟଣାରେ ଏନ୍ଆଇଏ ପକ୍ଷରୁ ମାମଲା ରୁଜୁ କରାଯିବା ସହ ଚାଣ୍ଟିକୁ ଏନ୍ଆଇଏ ଖୋଜୁଥିଲା । ଚାଣ୍ଟି ନାମରେ ୩ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିଲା। ଆଜି ଓଡ଼ିଶା ପୁଲିସ ସହାୟତାରେ ଏନ୍ଆଇଏର ଏକ ଟିମ ସ୍ୱାଭିମାନ ଅଂଚଳରୁ ଚାଣ୍ଟିକୁ ଗିରଫ କରିଛି। କିଛିଦିନ ତଳେ ଏନ୍ଆଇଏ ପକ୍ଷରୁ ଚାଣ୍ଟି ସହ ୪ଜଣଙ୍କର ମାଓବାଦୀଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଥିଲା। ଧରାଇ ଦେବା ଲୋକ କୁ ପୁରସ୍କାର ଦିଆଯିବାକୁ ପୋଷ୍ଟରରେ ସୂଚନା ଦିଆଯାଇଥିଲା ।