Thursday , March 30 2023
Breaking News
Home / ବିଶେଷ / ଗରଦପୁରରେ କେନ୍ଦ୍ରାପଡ଼ା ଜିଲାପାଳଙ୍କ ଜନ ଶୁଣାଣି ଶିବିର

ଗରଦପୁରରେ କେନ୍ଦ୍ରାପଡ଼ା ଜିଲାପାଳଙ୍କ ଜନ ଶୁଣାଣି ଶିବିର

ଗରଦପୁର, ୨୪/୦୧/୨୦୨୩ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି । ଆୟୋଜିତ ଶିବିରରେ କେନ୍ଦ୍ରାପଡ଼ା ଜିଲାପାଳ ଅମ୍ରିତ ଋତୁରାଜ ଅଧ୍ୟକ୍ଷତା କରି ଶତାଧିକ ଜନ ସାଧାରଣଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଥିଲେ । ଏଥିରେ ଜିଲା ପ୍ରକଳ୍ପ ନିର୍ଦ୍ଧେଶକ ରାଜେନ୍ଦ୍ରକୁମାର ପଣ୍ଡା , ଅତିରିକ୍ତ ଏସପି ହରେଶ ପାଣ୍ଡେ, ବିଡ଼ିଓ ଧର୍ମ ରଂଜନ ପଣ୍ଡା , ଅଧ୍ୟକ୍ଷ ଅଭୟ କୁମାର ମହାରାଜ, ତହସିଲଦାର ମହେଶ୍ୱର ବେହେରା ପ୍ରମୁଖ ମଂଚାସିନ ରହି ଜିଲାପାଳଙ୍କୁ ସହଯୋଗ କରିଥିଲେ । ଶିବିରରେ ମୋଟ୍ ୩ଶହ ରୁ ଉଦ୍ଧ୍ୱର୍ ଅଭିଯୋଗ ଦାୟର କରାଯାଇଥିବାବେଳେ ୧୦ ଟି ସାଧାରଣ ଅଭିଯୋଗ ବ୍ୟତିତ ଅନ୍ୟ ସମସ୍ତ ବ୍ୟକ୍ତିଗତ ଅଭିଯୋଗ ରହିଥିଲା । ସେଗୁଡ଼ିକ ମଧ୍ୟରୁ ସଂଖ୍ୟାଧିକ କେବଳ ଆବାସ ଗୃହ ପାଇବା ପାଇଁ ହୋଇଥିଲା । ଉଲେଖନୀୟ ଏହିକି ଏବେ ଅର୍ାବାସ ଗୃହ ପାଇବା ପାଇଁ ସମ୍ଭାବ୍ୟ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇଛି । ଅଯୋଗ୍ୟ ହିତାଧିକାରୀଙ୍କ ସମ୍ପର୍କରେ ୨୪ ତାରିଖ ମଧ୍ୟରେ ପ୍ରଶାସନ ନିକଟରେ ଅଭିଯୋଗ କରିବା ପାଇଁ ଜନ ସାଧାରଣଙ୍କୁ ପ୍ରଶାସନ ତରଫରୁ ଆହ୍ୱାନ ଦିଆଯାଇଛି । ସେଥିପାଇଁ ବ୍ଲକ୍ ଓ ପଂଚାୟତ ସ୍ତରରେ ମଧ୍ୟ ଅଭିଯୋଗ ବାକ୍ସ ବସାଯାଇଛି । ଏତଦବ୍ୟତିତ ଯେଉଁ ଯୋଗ୍ୟ ହିତାଧିକାରୀମାନେ ତାଲିକାଭୁକ୍ତ ହୋଇ ନାହାନ୍ତି , ସେମାନେ ମଧ୍ୟ ଦରଖାସ୍ତ ଦେବାପାଇଁ କୁହାଯାଇଛି । ଏହାକୁ ଦୃଷ୍ଟିରେ ରଖି ଆଜି ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅତ୍ୟଧିକ ଗହଳି ଦେଖିବାକୁ ମିଳିଥିଲା । ୩ଶହରୁ ଉଦ୍ଧ୍ୱର୍ ଅଭିଯୋଗକାରୀ ଆବାସ ଗୃହ ପାଇବା ପାଇଁ ଅଭିଯୋଗ କରିବାକୁ ଆସି ଶିବିରରେ ପହଂଚିଥିଲେ । ୧୦ଟି ସାମୁହିକ ଅଭିଯୋଗ ଶିବିରରେ ମିଳିବା ପରେ ଆବାସ ଗୃହ ପାଇଁ ଲଗାତର ଅଭିଯୋଗ ମିଳିଥିଲା । ଫଳରେ ବିଡ଼ିଓ ଶ୍ରୀ ପଣ୍ଡା ଗେଟ ପାଖକୁ ଆସି ସାମୁହିକ ଅଭିଯୋଗ ଯେଉଁମାନଙ୍କର ରହିଛି , ସେହିମାନେ କେବଳ ଅଭିଯୋଗ ପ୍ରକୋଷ୍ଠକୁ ଆସନ୍ତୁ । ଅନ୍ୟ ଯେଉଁମାନେ ଆବାସ ପାଇଁ ଅଭିଯୋଗ କରିବାକୁ ଆସିଛନ୍ତି , ସେମାନେ ଗେଟ ସମ୍ମୁଖରେ ବସିଥିବା ଅଭିରୋଗ ରିସେପସନ୍ ସେଂଟରରେ ଅଭିଯୋଗ ଦେଇ ଯାଆନ୍ତୁ , ତାହାର ତଦନ୍ତ କରାଯିବ ବୋଲି ବିଡ଼ିଓ ଶ୍ରୀ ଧର୍ମ ରଂଜନ ପଣ୍ଡା ମାଇକ୍ ରେ ଘୋଷଣା କରିଥିଲେ । ଏଥିରେ ଜିଲାପାଳଙ୍କୁ ଭେଟି ଗୁହାରୀ କରିବାକୁ ଆସିଥିବା ଅଭିଯୋଗକାରୀମାନେ ସନ୍ତୁଷ୍ଟ ହୋଇନଥିଲେ । ପରେ କିଛି ସମୟ ଅନ୍ତରରେ ଶିବିର ପରିଚାଳନା ଶେଷ କରି ଜିଲାପାଳ ଗେଟ ପାଖରେ ପହଂଚିଥିଲେ । ଉପସ୍ଥିତ ଥିବା ସମସ୍ତ ଅଭିଯୋଗକାରୀଙ୍କ ଉଦେଶ୍ୟରେ ଜିଲାପାଳ କହିଥିଲେ ଯେ ସମସ୍ତ ଅଭିଯୋଗକୁ ଏହି ଅଭିଯୋଗ ରିସେପସନ୍ ସେଂଟରରେ ଦିଅନ୍ତୁ , ସେସବୁର ବିଧିବଦ୍ଧ ତଦନ୍ତ କରାଯିବ । ଅଯୋଗ୍ୟ ହିତାଧିକାରୀମାନଙ୍କୁ ବାଦ ଦିଆଯିବ ଓ ଯୋଗ୍ୟ ହିତାଧିକାରୀ ମାନଙ୍କୁ ମଧ୍ୟ ନୂଆକରି ସାମିଲ କରାଯିବ । ସେଥିପାଇଁ ଯଥେଷ୍ଟ ସମୟ ଅଛି ବୋଲି ଜିଲାପାଳ ସୂଚନା ଦେଇଥିଲେ । ୨ଶହ ରୁ ଉଦ୍ଧ୍ୱର୍ ଦରଖାସ୍ତ ଅଭିଯୋଗ ରିସେପସନ କେନ୍ଦ୍ରରେ ଦିଆଯାଇଥିଲା ।
ଅପର ପକ୍ଷରେ ଅଭିଯୋଗ ଶିବିରରେ ତେଣ୍ଡାକୁଡ଼ା ର ପୁରୁଣା ଆରଆଇ ଅଫିସ କୁ କୃଷି ପରାମର୍ଶ କେନ୍ଦ୍ର କରାଯିବା ପାଇଁ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ତଥା ତେଣ୍ଡାକୁଡ଼ାର ସମିତି ସଭ୍ୟ ବାସୁଦେବ ବେହେରା ଜିଲାପାଳଙ୍କୁ ଅଭିଯୋଗ କରିଥିଲେ । ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଥିବା କାଫେ ପ୍ରତ୍ୟେକ ଦିନ ଖୋଲିବା ସହିତ ଏକ କମ୍ୟୁନିଟି ଟଏଲେଟ କରିବା ପାଇଁ ବନ୍ତଳା ସମିତି ସଭ୍ୟ ବ୍ରଜ କିଶୋର ସାହୁ ଦାବି କରିଥିଲେ । କୋଶିଦା ଗ୍ରାମର ୫୦ ଡ଼ିସିମିଲି ଗୋଚର ଜମିକୁ ବନ୍ତଳା ଗ୍ରାମର ଜନୈକ ବ୍ୟକ୍ତି ଚଂଚକତା କରି ନିଜ ନାମରେ ରେକର୍ଡ଼ କରାଇ ନେଇଛନ୍ତି । ଏହାର ବିଧିବଦ୍ଧ ତଦନ୍ତ କରାଯାଇ ଜମିକୁ ସରକାରୀ ଖାତାକୁ ଆଣିବା ପାଇଁ ଦେବେନ୍ଦ୍ର ମହାନ୍ତି ଙ୍କ ସମେତ କୋଶିଦା ଗ୍ରାମବାସୀ ଦାବି କରିଥିଲେ । ତେନ୍ତୋଳ ଗ୍ରାମର ଦିପକ ମଲିକ ତାଙ୍କ ସ୍ତ୍ରୀଙ୍କ ନାମରେ ରାସନ୍ କାର୍ଡ଼ କରିବା ପାଇଁ ଗୁହାରୀ କରିଥିଲେ । ବଙ୍ଗାଳପୁର ଗ୍ରାମର କ୍ଷେତ୍ରପାଳ ମହିଳା ସ୍ୱୟଂ ସହାୟକ ଗୋଷ୍ଟି ପୋଖରୀ ଲିଜ ନେଇ ମାଛ ଚାଷ କରିଥିଲେ । ସେଥିରେ ଦୁର୍ବୃତ ବିଷ ପକାଇ ଦେଇଥିଲେ । ସେ ସମ୍ପର୍କରେ ଥାନାରେ ଅଭିଯୋଗ କରାଯାଇଥିଲା । ମାମଲାଟି କରିବା ପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନି ବୋଲି ଗୋଷ୍ଟିର ସଦସ୍ୟମାନେ ଜିଲାପାଳଙ୍କୁ ଅଭିଯୋଗ କରିଥିଲେ । ଗରଦପୁର ରେ ଅଧାପନ୍ତରିଆ ଭାବରେ ଥିବା ନିର୍ମାଣାଧିନ ଶିତଳ ଭଣ୍ଡାରକୁ ତୁରନ୍ତ ପୂର୍ଣ୍ଣାଙ୍ଗ କରିବା ଏବଂ ଜେଏମଏଫସି କୋର୍ଟ କାର୍ଯ୍ୟକାରୀ କରିବାକୁ ସମାଜସେବୀ ଅରୁଣ କୁମାର ପଣ୍ଡା ଦାବି କରିଥିଲେ । ଗରଦପୁର ରେ ଟ୍ରେଜେରୀ ଅଫିସ ଖୋଲିବା , ଗରଦପୁର – କେନ୍ଦ୍ରପଡ଼ାକୁ ବସ ସେବା ସହିତ ଗରଦପୁର ନୂଆ ଡ଼ାକ୍ତରଖାନାରେ ଡ଼ାକ୍ତର ନିଯୁକ୍ତି ପାଇଁ ସାମାଜିକ କର୍ମୀ ନବାବ କୁମାର ପଣ୍ଡା ଦାବି ଜଣାଇଥିଲେ । ମାହାଙ୍ଗା ଗ୍ରାମର ଭିନ୍ନକ୍ଷମ ଯୁବକ ପ୍ରଶାନ୍ତ ମହାରଣା ଗ୍ରାମରେ ହୋଇଥିବା ମା ଗଜଲକ୍ଷ୍ମୀ ପକା ଗୃହ ପାଇଁ ମ୍ୟାଟେରିଆଲ ସପ୍ଲାଏ କରି ମଧ୍ୟ ୩ ବର୍ଷ ହେଲା ବ୍ଲକ୍ ରୁ ପଇସା ପାଇନଥିବା ଅଭିଯୋଗ କରିଥିଲେ । ଏତଦବ୍ୟତିତ ସ୍ୱାମୀ ପରିତ୍ୟକ୍ତା କଳାବୁଦା ଗ୍ରାମର ଉର୍ମିଳା ଦାସ, ବରହମପୁର ଗ୍ରାମର ଭିନ୍ନକ୍ଷମ ସସ୍ମିତା ମଲିକ , ନରିଲୋ ଗ୍ରାମର ଲତା ସାହୁ , ପଦ୍ମପୁର ଗ୍ରାମର ଭିନ୍ନକ୍ଷମ ଲଲାଟେନ୍ଦୁ ସାମନ୍ତରାୟ , ଜଗଦେଇପୁର ଗ୍ରାମର ପୂର୍ଣ୍ଣ ଭିନ୍ନକ୍ଷମ ଅକ୍ଷୟ କୁମାର ମହାନ୍ତି ,ସେହିପରି ୧୫ ବର୍ଷ ହେଲା ଟ୍ରେନ୍ ରେ ୨ ଗୋଡ଼ କଟିଯାଇଥିବା ଉଦୟଗିରୀ ଗ୍ରାମର ଶୁଭକାନ୍ତ ପରିଡ଼ା ଙ୍କ ସମେତ ବରିଷ୍ଠ କଳାକାର ବିଚଣା ଗ୍ରାମର ଦିବାକର ନାୟକ ଓ ବିମ୍ବାଧର ନାୟକ , ଆଳିଜଙ୍ଗା ର ବାପ ଛେଉଣ୍ଡ ଜ୍ୟୋତିରାଦିତ୍ୟ ସ୍ୱାଇଁ (୧୨) ( ପିତା ସ୍ୱର୍ଗତ ଅତୁଲ୍ୟ କୁମାର ସ୍ୱାଇଁ) ପ୍ରମୁଖ ଆବାସ ଗୃହ ପାଇବା ପାଇଁ ଶିବିରରେ ଜିଲାପାଳଙ୍କୁ ଅଭିଯୋଗ କରିଥିଲେ । ଶିବିରରେ ଲାଇନ୍ ଡ଼ିପାର୍ଟମେଂଟର ପଦାଧିକାରୀମାନେ ଉପସ୍ଥିତ ଥିଲେ । ଶିବିର ପରିଚାଳନାରେ ଜିପିଇଓ ମୃଣ୍ମୟ ରାଉତ, ଏସିଓ ଖଗେଶ୍ୱର ସେଠୀ ,ଏବିଡ଼ିଓ ପ୍ରଶାନ୍ତ କୁମାର ଜେନା , ଚୈତନ୍ୟ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published.