କେନ୍ଦ୍ରାପଡ଼ା, ୨୪/୦୧/୨୦୨୩ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ମେଡିକାଲ ବଂଚାଅ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଆମ ମେଡିକାଲ ଆମକୁ ଫେରାଅ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରିଲେ ଗଣଧାରଣା ଆରମ୍ଭ ହୋଇଛି । କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟ ପୁରୁଣା ଗୃହରେ ଏକ ସିଟି ହସପିଟାଲ ପ୍ରତିଷ୍ଠା ଦାବିରେ କେନ୍ଦ୍ରାପଡା ବନ୍ଦ କରାଯିବା ସହିତ ପୁରୁଣା ମେଡିକାଲରେ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ଫେରାଇ ଦେବାକୁ ଦାବି କରି କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଏକ ଆନ୍ଦୋଳନର ଡାକରା ଦିଆଯାଇଥିଲା । କିନ୍ତୁ ସେହି ସମୟ ମଧ୍ୟରେ ଜିଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କ ଆନ୍ଦୋଳନକୁ ପ୍ରତିହତ କରିବା ପାଇଁ ତରବରିଆ ଭାବେ ଦୁହୁରିଆ ନିକଟସ୍ଥ ଗୁଆଳସିଂର ଏକ ବେସରକାରୀ ଭଡାଘରେ ଏକ ସହରାଂଚଳ ସ୍ୱାସ୍ଥ୍ୟକେନ୍ଦ୍ରର ଉଦଘାଟନ କରିବା ଘଟଣା ଆନ୍ଦୋଳନକାରୀଙ୍କୁ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଆହୁରି ଖୋରାକ ଯୋଗାଇଥିଲା ।
ଆନ୍ଦୋଳନକାରୀ ମାନେ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ଜିଲାପାଳ ଅମ୍ରିତ ଋତୁରାଜଙ୍କୁ ନିବେଦନ କରିଥିଲେ ବି ତାହା ଫଳପ୍ରଦ ହୋଇନଥିଲା । ଶେଷରେ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନକାରୀ ମାନେ ଦାବି ହାସଲ କରିବାକୁ ରିଲେ ଗଣଧାରଣା ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ଏହି ଧାରଣାରେ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ମହମ୍ମଦ ଅକମଲ ଅଲ୍ଲୀ, ଫକିର ଚରଣ ଖଟୁଆ, କାଉନସିଲର ରମେଶ ଦାସ, ରମଣୀରଞ୍ଜନ ରାଉତରାୟ, ଗୟାଧର ଧଳ, ହିବଜୁର ରହେମାନ, ପ୍ରଶାନ୍ତ କୁମାର ସିଂ, ମୁକ୍ତାର ଖାଁ, ମହମ୍ମଦ ସଲିମ ଖାନ, ଅଧ୍ୟାପକ ଅଜୟ ସାମଲ, ଆଦିକନ୍ଦ ରାଉଳ, ସୌମେନ୍ଦ୍ର ପୃଷ୍ଟି, ମହେନ୍ଦ୍ର ପରିଡା, କ୍ଷିତିଶ ରୋସନ ସିଂହ, ମୀର ମୁର୍ଶିଦ, ସେକ ଅସଲମ, ଭୀମସେନ ବେହେରା ପ୍ରମୁଖ ଶତାଧିକ ମହିଳା ଓ ପୁରୁଷ ଆନ୍ଦୋଳନକାରୀ ଧାରଣାରେ ବସିରହିଥିଲେ ।