ଭୁବନେଶ୍ୱର,୧୮/୦୧/୨୦୨୩ (ଓଡ଼ିଶା ସମାଚାର)- ବୁଧବାର ଅପରାହ୍ନ ୪ ଘଟିକା ସମୟରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୱାସିର ନୱାଜଙ୍କ ନେତୃତ୍ୱରେ କ୍ରିଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସରକାରୀ ବାସଭବନ ଘେରାଉ କରାଯାଇଛି । ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ବିପର୍ଯ୍ୟସ୍ଥ ଆଇନ ଶୃଙ୍ଖଳା, ନାରୀ ନିର୍ଯ୍ୟାତନା, ହତ୍ୟା ଭଳି ପ୍ରତିବାଦରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଶ୍ରୀ ନୱାଜ କହିଛନ୍ତି ଯେ, ତୁଷାରକାନ୍ତି ବେହେରା ଜଣେ ଅତି ଅଯୋଗ୍ୟ ଓ ଅପଦାର୍ଥ ଗୃହ ରାଷ୍ଟ୍ରମନ୍ତ୍ରୀ । ସେ କେବଳ ମନ୍ତ୍ରୀ ଭାବରେ ମୁଣ୍ଡଗଣତିରେ ଯାଆନ୍ତି । ରାଜ୍ୟରେ ଘଟିଥିବା ଅପରାଧ ସମ୍ପର୍କରେ ତାଙ୍କ ମୁହଁରୁ ପଦେ କଥା ବାହାରେନାହିଁ । ପଟିଆରେ ଯେଉଁ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଛି, ସେଥିରୁ ଭୁବନେଶ୍ୱରର ଆଇନ ଶୃଙ୍ଖଳା ବ୍ୟବସ୍ଥା କଣ ତାହା ସ୍ପଷ୍ଟ ବାରି ହୋଇପଡୁଛି । ପୋଲିସ୍ ର ପେଟ୍ରୋଲିଂ କଡ଼ାକଡ଼ି ନାହିଁ ।
ଅପରାଧୀ ମାନଙ୍କୁ ଅପରାଧ କରିବା ପାଇଁ ସୁଯୋଗ ଦିଆଯାଉଛି । ମନ୍ତ୍ରୀ କେବଳ ନାମକୁ ମାତ୍ର । ନବୀନ ସରକାରରେ କୌଣସି ମହିଳା ନ୍ୟାୟ ପାଇପାରିବେ ନାହିଁ । କାରଣ ବେବିନା, ଇତିଶ୍ରୀ, ମାଧବୀଲତା, କୁନ୍ଦୁଲି ଛାତ୍ରୀ, ସ୍ମିତରାଣୀ, ରୁଚିକା, ମମିତା ମେହେର ଘଟଣାରୁ ଏହା ସ୍ପଷ୍ଟ ହୋଇପଡ଼ିଛି । ଗୃହ ବିଭାଗ ଓଡ଼ିଶାରେ ସବୁ ବିଭାଗ ତୁଳନାରେ ବିଫଳ । ସୁତରାଂ ଜଣେ ଜଡ଼ା ସଦୃଶ ବ୍ୟକ୍ତିଙ୍କୁ ମନ୍ତ୍ରୀ ଭାବରେ ରଖାଯାଇଛି । ଏପରିକି ତାଙ୍କର ଜିଲା ପରିଷଦ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ରହସ୍ୟକୁ ମଧ୍ୟ ଚାପି ଦିଆଯାଇଛି ।
ଭୁବେନଶ୍ୱର ସାଧାରଣ ଲୋକଙ୍କ ପାଇଁ ଏକ ସୁରକ୍ଷିତ ସହର ନୁହଁ । ଏହା ଅପରାଧୀମାନଙ୍କ ଆଡ୍ଡାସ୍ଥଳୀ ହୋଇଥିବା ସ୍ଥଳେ ଗୃହ ମନ୍ତ୍ରୀ ଜଣେ ଗୋବର । ଏଣୁ ତୁଷାରାକାନ୍ତି ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଛାତ୍ର କଂଗ୍ରେସ ଦାବି କରିଛି । ପଟିଆ ଦୁଷ୍କର୍ମ ଘଟଣା ଭୁବନେଶ୍ୱରବାସୀଙ୍କୁ ଭୟଭୀତ କରିଛି । ମାତ୍ର ନବୀନ ପଟ୍ଟନାୟକ ଓ ତୁଷାରକାନ୍ତି ବେହେରା ନୀରବ । ଏହି କାର୍ଯ୍ୟକ୍ରମରେ ନଳିନିକାନ୍ତ ନାୟକ, ନିହାର ବେହେରା, ରଣଜିତ ସେନାପତି, ସୁରଜ ରାଉତ, ମହମ୍ମଦ ଗୁଲଫାମ, ସାଗର ପଟ୍ଟନାୟକ, ବିଶ୍ୱଭୂଷଣ ମହାପାତ୍ର, ବିଭୂତି ଭୂଷଣ ମହାପାତ୍ର, ନିୟାଜୁଲ ଇସଲାମ, ଉଦିତ ପ୍ରଧାନ, ଅବିନାଶ ନନ୍ଦ, ଅହମ୍ମଦ ଖାନ, ଆର୍ଯ୍ୟାତନ ସାସମଲ, ସମୀର ରାଉତ, ତୁଷାରକାନ୍ତ ତପସ୍ୱୀ, ଶ୍ୟାମସମ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।