କେନ୍ଦ୍ରାପଡ଼ା, ୧୭/୦୧/୨୦୨୩ (ଓଡ଼ିଶା ସମାଚାର)- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସାନଜରିଆ ପ୍ରାଥମିକ କୃଷି ସମବାୟ ସମିତିରେ ମଣ୍ଡି ଅବ୍ୟବସ୍ଥା ଯୋଗୁଁ ୧୫ଦିନ ଧରି ଚାଷୀମାନଙ୍କ ଧାନ ଖୋଲା ଆକାଶ ତଳେ ପଡିରହିଥିବାର ପ୍ରତିବାଦ କରି ଚାଷୀମାନେ ସମିତି ଗୃହରେ ତାଲା ପକାଇ ଧାରଣାରେ ବସି ରହିଥିଲେ । ପ୍ରକାଶ ଥାଉକି ସଂଯୁକ୍ତ କିଷାନ ମୋର୍ଚ୍ଚା ପଟ୍ଟାମୁଣ୍ଡାଇ ବ୍ଲକ ପକ୍ଷରୁ ବାରମ୍ବାର ପ୍ରଶାସନକୁ ଏବାବଦରେ ଅବଗତ କରାଇବା ସହିତ ଧାନ କିଣାରେ କଟଣି ଛଟଣୀ ବନ୍ଦ କରିବା, ବାହାରେ ପଡିରହିଥିବା ଧାନକୁ ବର୍ଷା ଓ କାକରରୁ ରକ୍ଷା କରିବା ପାଇଁ ଦରିପାଲର ବ୍ୟବସ୍ଥା କରିବା ଓ ଘେରା ବୁଲାଇବା, ପର୍ଯ୍ୟାୟ କ୍ରମେ ଟୋକନପ୍ରାପ୍ତ ଚାଷୀଙ୍କ ଠାରୁ ଯୁଦ୍ଧକାଳୀନ ଭିତିିରେ ଧାନ ସଂଗ୍ରହ କରିବା ଏବଂ କ୍ୱୁଇଂଟାଲ ପିଛା ୩ହଜାର ଟଙ୍କା ପ୍ରଦାନ କରିବା ଦାବିରେ ଆନ୍ଦୋଳନ ପାଇଁ ଡାକରା ଦିଆଯାଇଥିଲେ ବି ସାନଜରିଆ ମଣ୍ଡିରୁ ଧାନ କିଣାନଯିବା ଫଳରେ ଧାରଣାରତ ଚାଷୀମାନେ ବାଧ୍ୟ ହୋଇ ସମିତି ଗୃହରେ ତାଲା ପକାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ଅପରାହ୍ନରେ ସେବା ସମବାୟ ସମିତିର ସଭାପତି ନିକୁଞ୍ଜ ଦାସ, ଧାନ ସଂଗ୍ରହ କମିଟି ଅଧ୍ୟକ୍ଷ ଅରକ୍ଷିତ ସାହୁ, ବୋର୍ଡ ସଭ୍ୟ ସୁରେନ୍ଦ୍ର ପରିଡା ପ୍ରମୁଖ ଉପସ୍ଥିତ ହୋଇ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ । ବିନା କଟଣୀରେ ସଠିକ ସମୟରେ ଉଚିତ ଢଙ୍ଗରେ ଧାନ ସଂଗ୍ରହ ହେବାର ପ୍ରତିଶୃତି ମିଳିବା ପରେ ଆନ୍ଦୋଳନକାରୀମାନେ ତାଲା ଖୋଲିବା ସହିତ ଧାରଣା ପ୍ରତ୍ୟାହୃତ କରିନେଇଥିଲେ । ସଂଯୁକ୍ତ କିଷାନ ମୋର୍ଚ୍ଚା ଜିଲା ଆବାହକ ତଥା ଓଡିଶା କୃଷକ ସଭାର ରାଜ୍ୟ ଯୁଗ୍ମ ସମ୍ପାଦକ ଗୟାଧର ଧଳ, ଓଡିଶା କୃଷକ ସଭାର ଜିଲା ସମ୍ପାଦକ ବିଜୟ ଦାସ, ବରିଷ୍ଠ କୃଷକ ନେତା କାଳି ପ୍ରସାଦ ନାୟକ, ଦାଶରଥୀ ସାହୁ, ଦୋଳଗୋବିନ୍ଦ ସାହୁ, ଗୁଣମଣୀ ବେହେରା ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।