ମାହାଙ୍ଗା , ୨୫/୧୨/୨୦୨୨(ଓଡିଶା ସମାଚାର/ଅଭୟ ଜେନା)- ଓଡ଼ିଆ ଭାଷା, ସାହିତ୍ୟ,ସଂସ୍କୃତି ଏବଂ ସାମାଜିକ ଆନ୍ଦୋଳନର ପୁରୋଧା, ବାଗ୍ମୀ ବିଶ୍ୱନାଥ କରଙ୍କ ୧୫୮ ତମ ଜନ୍ମ ଜୟନ୍ତୀ ଓଡିଶା ସାହିତ୍ୟ ଏକାଡେମୀ ଓ ବିଶ୍ୱନାଥ କର ସ୍ମୁତି ସଂସଦ ଆନୁକୂଲ୍ୟରେ ମୂଳବସନ୍ତ ଠାରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାରସ୍ୱତ ସମାରୋହକୁ ଅବକାରୀ ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ପରାଧୀନତାର ବେଢ଼ି ଭିତରୁ ଓଡ଼ିଆ ଜାତିକୁ ଏବଂ ଓଡ଼ିଆ ଭାଷାକୁ ମୁକ୍ତି ଦେବା ପାଇଁ ବାଗ୍ମୀ ବିଶ୍ୱନାଥ ନିରବଛିନ୍ନ ଭାବେ ସଂଗ୍ରାମ ଜାରୀ ରଖିଥିଲେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ମତବ୍ୟକ୍ତ କରିଥିଲେ । ବିଶିଷ୍ଟ ଅତିଥିଭାବେ ବିଧାୟକ ସ୍ୱରୂପ ଦାସ ଯୋଗଦେଇ ମହାନ ସାରସ୍ୱତ ସାଧକ ବାଗ୍ମୀ ବିଶ୍ୱନାଥଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ଉତ୍କଳ ସାହିତ୍ୟ ସମାଜର ସଭାପତି ଗୋବିନ୍ଦ ଚନ୍ଦ୍ର ଚାନ୍ଦ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ଏହି ଅବସରରେ ସମାଜ ପାଇଁ ଉଲ୍ଲେଖନୀୟ କାର୍ୟ୍ୟ କରିଥିବା ୧୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବରେ ବ୍ଲକ ଚେୟାରମ୍ୟାନ ଦୀପା ମଲ୍ଲିକ, ଭାଇସ ଚେୟାରମ୍ୟାନ ସତ୍ୟନାରାୟଣ ମହାନ୍ତି, ଜିଲ୍ଲାପରିଷଦ ସଭ୍ୟା ସୁସ୍ମିତା ଦାସ, ପୂର୍ବତନ ବ୍ଲକ ଚେୟାରମ୍ୟାନ ରାଜକିଶୋର ଜେନା,ସାହିତ୍ୟିକ ଅଖିଳେଶ ମହାନ୍ତି,ପୂର୍ବତନ ସରପଞ୍ଚ ଭ୍ରମରବର ରାଉତରାୟ, କବି ପ୍ରଶାନ୍ତ କର, ପ୍ରଧାନଶିକ୍ଷକ ବିଶ୍ୱଜିତ ସେଠୀ,ସରପଞ୍ଚ ଅନ୍ନପୂର୍ଣ୍ଣା କର, ସମିତିସଭ୍ୟା ସଂଗୀତା ମହାନ୍ତି,ପଞ୍ଚାନନ ପଣ୍ଡା ପ୍ରମୁଖ ଅତିଥିଭାବେ ଯୋଗଦେଇ ମହାନ ସାରସ୍ୱତ ସାଧକ ବାଗ୍ମୀ ବିଶ୍ୱନାଥଙ୍କ କୃତୀ ଓ କୀର୍ତ୍ତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।