ଭୁବନେଶ୍ୱର, ୨୪/୧୨/୨୦୨୨ (ଓଡ଼ିଶା ସମାଚାର)-ଆଜି ବିଏମସି ଅଧିନରେ ଥିବା ସମସ୍ତ ୱାର୍ଡରେ ଏକ ସମୟରେ ଗଣ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ସବୁ ୱାର୍ଡର କର୍ପୋରେଟରମାନେ ଦାୟିତ୍ୱ ନେଇ ସଫେଇ କର୍ମଚାରୀ ଭାଇଭଉଣୀ, ସ୍ୱୟଂସହାୟକ ଗୋଷ୍ଠୀର ମା ଓ ଭଉଣୀମାନେ, ବିଭିନ୍ନ ୱାର୍ଡରେ ଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବ୍ୟବସାୟୀ ଭାଇମାନଙ୍କୁ ସାଙ୍ଗରେ ଧରି ସମସ୍ତେ ମିଶି ନିଜ ନିଜ ୱାର୍ଡକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ସହ ନିଜ ଘରୁ ସବୁଦିନ ଯେଉଁ ଓଦା ଓ ଶୁଖିଲା ଅଳିଆ ବାହାରୁଛି, ତାକୁ ଘର ଭିତରେ ରହି ରାସ୍ତା ଉପରକୁ ନଫୋପାଡ଼ି ଅଳିଆ ଗାଡ଼ିକୁ ଦେବାପାଇଁ ଓ ନିଜ ଘରପାଖ ରାସ୍ତାଘାଟ ସଫା ସୁତୁରା ରଖିବାକୁ ସଚେତନ କରାଇବା ଏହି ଗଣସଫେଇ କାର୍ଯ୍ୟକ୍ରମର ମୂଳ ଉଦ୍ଧେଶ୍ୟ ବୋଲି ଲୋକମାନଙ୍କୁ ବୁଝାଇଥିଲେ ।
ଏହି ସମୟରେ ସମସ୍ତେ ହାତରେ ଝାଡୁ ଧରି ରାସ୍ତାଘାଟ ସଫା କରିଥିଲେ । ରାସ୍ତା କଡ଼ରେ ଥିବା ଗଛ ମୂଳରେ ଥିବା ମାଟି ସଫା କରି ପାଣି ଦେଇଥିଲେ । ଏହି କ୍ରମରେ ମା’ ଭୁବନେଶ୍ୱରୀ ମହିଳା ମହାସଂଘର ସଭାପତି ତଥା ୩୫ ନମ୍ବର ୱାର୍ଡର କର୍ପୋରେଟର ଶ୍ରୀମତୀ ରଞ୍ଜୁଲତା ରାୟ ସବୁ ସଫେଇ କର୍ମଚାରୀ, ମହାସଂଘର ସବୁ ମା ଭଉଣୀମାନଙ୍କୁ ସାଙ୍ଗରେ ସକାଳୁ ୱାର୍ଡର ସବୁ ରାସ୍ତା ଝାଡୁ ମାରି ଅଳିଆ ଆବର୍ଜନା ଉଠାଇ ଲୋକମାନଙ୍କୁ ସଚେତନ କରାଇଥିଲେ ।
ସଫେଇ କାର୍ଯ୍ୟକ୍ରମ ପରେ ସବୁ ସଫେଇ କର୍ମଚାରୀ ଭାଇ ଓ ଭଉଣୀମାନଙ୍କୁ ଗୋଲାପଫୁଟ, ଉରୀ, ହ୍ୟାଣ୍ଡ ଗ୍ଲୋବସ୍, ମାସ୍କ, ସାନିଟାଇଜର ଦେଇ ସମ୍ମାନିତ କରିଥିଲେ । ଏହି ସମୟରେ ୱାର୍ଡରେ ରହୁଥିବା ବରିଷ୍ଠ ନାଗରିକମାନେ କର୍ପୋରେଟରଙ୍କ ଏତାଦୃଶ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । କର୍ପୋରେଟର ମଧ୍ୟ ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦୋଷ ପଟ୍ଟନାୟକଙ୍କୁ ଏହି କାର୍ଯ୍ୟକ୍ରମକୁ ଅତିଥି ଭାବେ ନିମନ୍ତ୍ରଣ କରି ସମ୍ମାନିତ କରିଥିଲେ ।
ସେହିପରି ୟୁନିଟ୍-୪ ମସଜିଦ୍ ପାଖରୁ ଆରମ୍ଭ କରି ମାଛ ମାର୍କେଟ, ବିଧାୟକ କଲୋନୀ, ପୋଷ୍ଟାଲ୍ କଲୋନୀ, ଏ.ଜି. କଲୋନୀ, ବିଏସଏନଏଲ୍ କଲୋନୀ, ରିଜର୍ଭବ୍ୟାଙ୍କ କଲୋନୀ, ଷ୍ଟେଟବ୍ୟାଙ୍କ କଲୋନୀ ଓ ଇଣ୍ଡିଆନ୍ ଅଏଲ୍ କଲୋନୀ ତଥା ମଧୁସୂଦନ ନଗର ଭଳି ଭି.ଆଇ.ପି. ଏରିଆ ଗୁଡ଼ିକରେ ଥିବା ରାସ୍ତାଘାଟ ସବୁକୁ ୩୬ ନମ୍ବର ୱାର୍ଡର କର୍ପୋରେଟର ଅଲିଅଳି ମଲିକ ନିଜେ ଝାଡୁ ଧରି ସଫେଇ କର୍ମଚାରୀମାନଙ୍କୁ ସାଙ୍ଗରେ ଧରି ଏବଂ ମହିଳା ମହାସଂଘର ସବୁ ଭଉଣୀମାନଙ୍କ ସହ ମିଶି ରାସ୍ତାଘାଟ ସଫାକରି ସର୍ବସାଧାରଣରେ ଉଚ୍ଚ ପ୍ରଶଂସିତ ହୋଇପାରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ବି.ଏମ୍.ସି. ଡେପୁଟି କମିଶନର ଗାୟତ୍ରୀ ପଟ୍ଟନାୟକ ଉପସ୍ଥିତ ରହି ସମସ୍ତଙ୍କୁ ନିଜ ୱାର୍ଡକୁ ସ୍ୱଚ୍ଛ ରଖିବା ପାଇଁ ଶପଥ ପାଠ କରାଇଥିଲେ ।