ଭୁବନେଶ୍ୱର, ୨୪/୧୨/୨୦୨୨ (ଓଡ଼ିଶା ସମାଚାର)-ପରିବେଶ ସୁରକ୍ଷା, ବୃକ୍ଷରୋପଣ, ବିଶ୍ୱ ତାପନ, ସ୍ୱଚ୍ଛତା ଏବଂ ଡ୍ରଗ୍ସର ଅପବ୍ୟବହାର ରୋକିବା ପାଇଁ ରୁଟ୍ସ ଅଫ ଦି ଫାଉଣ୍ଡେସନ ପକ୍ଷରୁ ହାଇ ପ୍ରୋଫାଇଲ ଇନୋଭେସନ ଓ ମିଶନ ଓଡ଼ିଶା ସହଯୋଗରେ ଆୟୋଜିତ ଟୁର୍ ଦି କଳିଙ୍ଗର ଚତୁର୍ଥ ସଂସ୍କରଣ ଭୁବନେଶ୍ୱରରୁ ଗତ ୧୧ ତାରିଖରୁ ସାଇକେଲରେ ଯାତ୍ରା କରି କୋରାପୁଟରେ ପହଂଚି ୧୪୫୦ କିଲୋମିଟର ଯାତ୍ରା ସାରି ଶନିବାର ଭୁବନେଶ୍ୱରରେ ପହଂଚିବା ପରେ ସିୱାଇଏସଡି ସମ୍ମିଳନୀ କକ୍ଷରେ ଏହି ଦୁଃସାହସିକ ସାଇକେଲ ଚାଳକମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ପ୍ରେରଣାର ସଭାପତି ଡଃ ଦିଲ୍ଲୀପ ଶ୍ରୀଚନ୍ଦନ, ବିଶିଷ୍ଟ ପର୍ଯ୍ୟଟନ ପ୍ରୋତ୍ସାହକ ହିମାଂଶୁ ଦାସ, କ୍ରୀଡ଼ାବିତ ବଦ୍ରୀ ମିଶ୍ର, ୱେଲକମ୍ ଓଡ଼ିଶାର ପ୍ରତିଷ୍ଠାତା ବିପିନ ମହାନ୍ତି ପ୍ରମୁଖ ଅତିଥି ରୂପେ ଯୋଗଦେଇ ପ୍ରତ୍ୟେକ ସାଇକେଲ ଯାତ୍ରୀଙ୍କୁ ମାନପତ୍ର ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଟୁର୍ ଦି କଳିଙ୍ଗ ଓଡ଼ିଶାରେ ବିଶ୍ୱସ୍ତରୀୟ ଇକୋ-ଟୁରିଜିମ ସୃଷ୍ଟି କରିବାରେ ଏକ ସୁବର୍ଣ୍ଣ ସୁଯୋଗ ଆଣିଦେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ଏଥିରେ ରୁଟ୍ସ ଅଫ ଦି ଫାଉଣ୍ଡେସନର ଅଧ୍ୟକ୍ଷ ସୁଧୀର କୁମାର ଦାସ ସଭାପତିତ୍ୱ କରିଥିବା ବେଳେ ଆନ୍ତର୍ଜାତୀୟ ସାଇକେଲ ଚାଳକ ଯୋଗେନ୍ଦର ସିଂ, ୫୯ ବର୍ଷିୟ ସୁନିଲ କୁମାର ଓ ଭରିତଚାନ୍ଦ ଠାକୁର ନିଜ ନିଜର ଅନୁଭବ ସମ୍ପର୍କରେ ମତବ୍ୟକ୍ତ କରିଥିଲେ ଯେ, ଓଡ଼ିଶା ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କ ବା ସମୁଦ୍ର ବୋଳଭୂମି ପାଇଁ ପ୍ରସିଦ୍ଧ ହୋଇଥିଲେ ମଧ୍ୟ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ଜଳପ୍ରପାତ, ସବୁଜ ବନନୀର ସୌନ୍ଦର୍ଯ୍ୟ ସ୍କଟଲାଣ୍ଡ ଓ ସୁଇଜରଲାଣ୍ଡର ଭ୍ରମ ସୃଷ୍ଟି କରିଥିଲା । ଏହି ଅବସରରେ ମିଶନ ଓଡ଼ିଶାର ଅଧ୍ୟକ୍ଷ ଶ୍ରୀ ମଧୁସୂଦନ ମିଶ୍ର ଓ ରୁଟ୍ସ ଅଫ ଦି ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀ ସୁଧୀର କୁମାର ଦାସ ନିଜ ବକ୍ତବ୍ୟରେ କହିଥିଲେ ଯେ, ଆଗାମୀ ଦିନରେ ପ୍ରତିମାସରେ ଯୁବଗୋଷ୍ଠୀଙ୍କ ପାଇଁ ପୁରୀ-କୋଣାର୍କ ସାଇକେଲ ଯାତ୍ରାର ଆୟୋଜନ କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ ।