ଭୁବନେଶ୍ୱର, ଭୁବନେଶ୍ୱର, ୨୪/୧୨/୨୦୨୨ (ଓଡ଼ିଶା ସମାଚାର)- ବିଧାନସଭା ସମ୍ମୁଖସ୍ଥ ଲୋୟର ପି.ଏମ୍.ଜି. ଠାରେ ସର୍ବଭାରତୀୟ ‘ହୋ’ ଭାଷା କ୍ରିୟାନୁଷ୍ଠାନ କମିଟି ଓ ଓଡ଼ିଶା ରାଜ୍ୟ କମିଟି ତରଫରୁ ଏକ ବିଶାଳ ସମାବେଶ ଗଣଧାରଣା ଅନୁଷ୍ଠିତ ହୋଇଥିଲା । ‘ହୋ’ ଭାଷାକୁ ଦ୍ୱିତୀୟ ରାଜ୍ୟ ଭାଷାର ମାନ୍ୟତା ଦେବାପାଇଁ ଗତ ୧୬ ତାରିଖରୁ ଓଡ଼ିଶାର ୪ଟି ସ୍ଥାନରୁ ‘ହୋ’ ଭାଷା ସୁରକ୍ଷା ଅଭିଯାନର ବାଇକ୍ ରାଲି ଭୁବନେଶ୍ୱରରେ ପହଂଚି ‘ହୋ’ ଭାଷା ସମ୍ମିଳନୀ ଯୋଗ ଦେଇଛି । ଏହି ଅଭିଯାନର ନାମ ‘ବିଟାନାବୁ ଭୁବନେଶ୍ୱର’ ରଖାଯାଇଛି । ଏହି ଅଭିଯାନରେ ୪ଟି ସ୍ଥାନରୁ ଆସିଥିବା ୪ଟି ବାହିନୀ ଗୁଡ଼ିକ ହେଲା – (୧) ‘ମାଣ୍ଡୋ ସର୍ଦ୍ଧାର ବାହିନୀ’ ଯାହା ବାଙ୍ଗିରିପୋଷିରୁ ବାହାରି ଭାୟା- ବାରିପଦା, ଉଦଳା ଓ ନୀଳଗିରି ଦେଇ ଭୁବନେଶ୍ୱର (୨) ‘ରଘୁବୀର କନଣ୍ଡାକେଲ୍ ବାହିନୀ’ ଯାହା ବହଳଦା ଠାରୁ ଯଶିପୁର, ଠାକୁରମୁଣ୍ଡା, ଆନନ୍ଦପୁର, ପାଣିକୋଇଲି ଦେଇ ଭୁବନେଶ୍ୱର (୩) ‘ପୋଟୋ ହୋ ବାହିନୀ’ ଯାହା ବୋଲାଣିରୁ ବାହାରି କେଉଁଝର, ତେଲକୋଇ, ହରିଚନ୍ଦନପୁର, ଯାଜପୁର, ଚଣ୍ଡିଖୋଲ୍ ରାସ୍ତା ଦେଇ ଭୁବନେଶ୍ୱର ଓ (୪) ‘ଲାକ ବୋଦ୍ରା ବାହିନୀ’ ଯାହା ବଣାଇରୁ ବାହାରି ବାରକୋଟ, ପାଲଲହଡ଼ା, କାମାକ୍ଷାନଗର, ଢେଙ୍କାନାଳ, ମଙ୍ଗୁଳି ଦେଇ ଭୁବନେଶ୍ୱରରେ ପହଂଚିଥିଲେ ଏବଂ ଏହି ଅଭିଯାନର ସମାପନ ଲୋୟର ପିଏମଜିଠାରେ ବିଶାଳ ସମାବେଶ ଭାବେ ଅନୁଷ୍ଠିତ ହୋଇଛି ବୋଲି କହିଛନ୍ତି, ‘ହୋ’ ଭାଷା କି୍ରୟରାନୁଷ୍ଠାନ କମିଟିର ରାଜ୍ୟ ସାଧାରଣ ସମ୍ପାଦକ ଚନ୍ଦ୍ରମୋହନ ମୁଣ୍ଡୁରି । ‘ହୋ ଭାଷାକୁ ଓଡ଼ିଶା ସରକାର ଦ୍ୱିତୀୟ ରାଜଭାଷାର ମାନ୍ୟତା ଦେବା ସହ ଯେଉଁ ଅଂଚଳରେ ୮୦% ‘ହୋ’ ଭାଷାଭାଷୀ ସମ୍ପ୍ରଦାୟର ଲୋକ ଅଛନ୍ତି, ସେହି ଅଂଚଳରେ ଥିବା ସ୍କୁଲ୍ ମାନଙ୍କରେ ପିଲାମାନଙ୍କୁ ପାଠ ପଢାଇବା ପାଇଁ ‘ହୋ’ ଭାଷା ଶିକ୍ଷକ ନିଯୁକ୍ତି ଦିଆଯାଉ ବୋଲି ଦାବି କରିଛନ୍ତି ସମ୍ପାଦକ ଶ୍ରୀ ମୁଣ୍ଡୁରୀ । ଆମକୁ ଭାଷା ଭିତିକ ଶିକ୍ଷକ ଦରକାର, ଆମ ଭାଷାରେ ଦୂରଦର୍ଶନରେ ଓ ଅଲ୍ ଇଣ୍ଡିଆ ରେଡିଓରେ କାର୍ୟ୍ୟକ୍ରମ ଓ ପ୍ରଚାର ପ୍ରସାର ହେବା ଦରକାର । ସରକାର ଯଦି ଆମ ଦାବି ନ ଶୁଣନ୍ତି, ତେବେ ଆମେ ରାଜରାସ୍ତାରେ ଆନ୍ଦୋଳନ କରିବୁ ବୋଲି କହିଛନ୍ତି ‘ହୋ’ ଭାଷା କ୍ରିୟାନୁଷ୍ଠାନ କମିଟିର ରାଜ୍ୟ ସଭାପତି ବସନ୍ତ ବୁଲିଉଲି । ଆମେ ୭୫ବର୍ଷ ହେଲା ସ୍ୱାଧୀନତା ପାଇବା ପରେ ମଧ୍ୟ ସରକାର ସମ୍ବିଧାନ ଅନୁସାରେ ଭାଷା ଭିତିକ ଶିକ୍ଷକ ଦେଇପାରିଲା ନାହିଁ ।
ଅପରପକ୍ଷେ ଅଙ୍ଗନୱାଡିରୁ ବିଶ୍ୱବିଦ୍ୟାଳୟ ପର୍ୟ୍ୟନ୍ତ ଆମ ‘ହୋ’ ଭାଷାରେ ଆମର ପାଠ ପଢିବାର ଅଧିକାର ଅଛି । ତେଣୁ ଆମକୁ ଭାଷାଭିତିକ ଶିକ୍ଷକ ଦିଆଯାଉ ଓ ଆମ ଭାଷାରେ ୫୦୦ ଶିକ୍ଷକ ନିଯୁକ୍ତି ଦିଆଯାଉ । ଆମ ପଡ଼ୋଶୀ ଝାଡଖଣ୍ଡ ଓ ଛତିଶଗଡ଼ ସରକାର ହୋ ଭାଷାକୁ ଦ୍ୱିତୀୟ ରାଜଭାଷା ଭାବେ ମାନ୍ୟତା ଦେଇଥିବା ବେଳେ ଓଡ଼ିଶା ସରକାର ମଧ୍ୟ ଆମ ଭାଷାକୁ ମାନ୍ୟତା ଦିଅନ୍ତୁ ଏବଂ ୨୦୧୧ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ‘ହୋ’ ଭାଷାକୁ ସରକାରୀ ଭାଷା ଭାବେ କେନ୍ଦ୍ର ଅନୁମୋଦନ କରିବା ପାଇଁ ଚିଠି ଲେଖିଥିଲା ବେଳେ ରାଜ୍ୟ ସରକାର ଆଜି ପର୍ୟ୍ୟନ୍ତ କାହିଁକି ରାଜଭାଷାର ମାନ୍ୟତା ଦେଇନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଯଶିପୁରର ମାନ୍ୟବର ବିଧାୟକ ଗଣେଶ ରାମସିଂହ ଖୁଂଟିଆ । ଆମ ଭାଷାର ୧୫ଲକ୍ଷରୁ ଅଧିକ ଲୋକ ଓଡ଼ିଶାର ୧୨ଟି ଜିଲ୍ଲାରେ ବସବାସ କରୁଛନ୍ତି ଏବଂ ସମ୍ବିଧାନର ୩୫୦ ଧାରା ଅନୁସାରେ ଆମର ମାତୃଭାଷାରେ ପଢିବାର ଅଧିକାର ଅଛି । ତେଣୁ ଅଙ୍ଗନୱାଡି ସ୍ତରରୁ ‘ହୋ’ ଭାଷାରେ ପାଠ୍ୟକ୍ରମ ଓ ପୁସ୍ତକ ପ୍ରଚଳନ ହେବା ସେଙ୍ଗସେଙ୍ଗ ଉତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ‘ହୋ’ ଭାଷାରେ ସ୍ନାତକ ପାଠ୍ୟକ୍ରମ ହେଉ ବୋଲି ଦାବି କରିଛନ୍ତି ମାନ୍ୟବର ଯଶିପୁର ବିଧାୟକ ଶ୍ରୀ ଖୁଂଟିଆ । ‘ହୋ’ ଭାଷାର ସରକାରୀ ମାନ୍ୟତା, ପ୍ରଗତି, ସଂସ୍କୃତି ଆଉ ପରମ୍ପରାର ସୁରକ୍ଷା ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ସହଯୋଗ କରିବାକୁ ‘ହୋ’ ଭାଷା କ୍ରିୟାନୁଷ୍ଠାନ କମିଟି ତରଫରୁ ଅନୁରୋଧ କରାଯାଇଅଛି ।