ଲକ୍ଷ୍ମୀପୁର, ୨୩/୧୨/୨୦୨୨ (ଓଡ଼ିଶା ସମାଚାର)- କୋରାପୁଟ ଜିଲ୍ଲା ଏକ ଆଦିବାସୀ ଜିଲ୍ଲା ଓ ପଛୁଆ ଅଞ୍ଚଳ ରୁପେ ସାରା ରାଜ୍ୟରେ ପରିଚିତ। ଏହି ଜିଲ୍ଲାର ବଣପାହାଡ ଘେରା ଦୁର୍ଗମ ଅଞ୍ଚଳରେ କାହିଁ କେଉଁ ଯୁଗରୁ ଆଦିବାସୀ ସମ୍ପ୍ରଦାୟ ବସତି ସ୍ଥାପନ କରି ରହି ଆସୁଛନ୍ତି। ପାହାଡ ଉପରେ ବିଭିନ୍ନ ରକମର ଚାଷ କରି ଜୀବନ ଯାପନ କରନ୍ତି। କିନ୍ତୁ ସବୁ କ୍ଷେତ୍ରରେ ତାଙ୍କ ନାମରେ ରାଜନୀତି କରାଯାଉଛି। ହେଲେ ସେମାନେ ରହୁଥିବା ସ୍ଥାନକୁ ଭଲ ରାସ୍ତାଟିଏ ନଥିବା ବେଳେ ପାନୀୟଜଳ,ବିଜୁଳି ଓ ଶିକ୍ଷା ଭଳି ମୌଳିକ ସୁବିଧା ସେମାନଙ୍କ ପାଇଁ ସାତ ସପନ ପାଲଟିଛି। ଯେକୌଣସି ଅଞ୍ଚଳକୁ ରାସ୍ତା ଖଣ୍ଡିଏ ତିଆରି ହେଉଛି, ତାହା ବେଶି ଦିନ ଯାଉନି । ଅଳ୍ପ ଦିନ ପରେ ଖଣ୍ଡିଆ ଖାବରା ରୁପେ ପଡି ରହୁଛି।କିନ୍ତୁ ରାଜ୍ୟ ସରକାର ଆଦିବାସୀ ଅଞ୍ଚଳର ବିକାଶ ନାମରେ ମିଛିମିଛିକିଆ ବାହାବା ଗୋଟାଇବାରେ ବ୍ୟସ୍ତ।ପ୍ରକୃତ ସତ୍ୟ କଣ ଯଦି ସରକାର ଖୋଦ ଘଟଣା ସ୍ଥଳ ପରିଦର୍ଶନ କରନ୍ତେ ତେବେ ଯାଇ ପ୍ରକୃତ ସତ୍ୟ କଣ ତାହା ଜାଣି ପାରନ୍ତେ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି।ଲକ୍ଷ୍ମୀପୁର ବ୍ଲକ ବୁର୍ଜା ପଞ୍ଚାୟତ ଅନ୍ତର୍ଗତ ବନ୍ଦିକାର ଗ୍ରାମ ଏଇଭଳି ସମସ୍ୟା ଦେଇ ଗତି କରୁଥିବା ଏକ ଜ୍ଵଳନ୍ତ ଉଦାହରଣ ପାଲଟିଛି।ରାସ୍ତା ଖଣ୍ଡିଏ ପାଇଁ ଅଭିଷପ୍ତର ଅନ୍ଧକାରରେ ଘାଣ୍ଟି ହେଉଛି ବନ୍ଦିକାର ଗ୍ରାମ। ବ୍ଲକ ସଦରଠାରୁ ଏହି ଗ୍ରାମର ଦୂରତା ମାତ୍ର ୫କିଲୋମିଟର। ଲକ୍ଷ୍ମୀପୁର ଠାରୁ ରାୟଗଡା ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥରେ ୫ କିଲୋମିଟର ଗଲା ପରେ ସେଠାରୁ ଡାହାଣ ପଟ ଗ୍ରାମ ଭିତରକୁ ଯାଉଥିବା ଗୋଟିଏ କିଲୋମିଟର ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇ ପଡି ରହିଛି।୧୦ ବର୍ଷରୁ ଉର୍ଦ୍ଧ ଦିନ ହେଲାଣି ଖଣ୍ଡିଆ ଖାବରା ଅବସ୍ଥାରେ ଥିବା ରାସ୍ତା ଉପର ଦେଇ ନିଇତି ଗ୍ରାମବାସୀ ଚଳ ପ୍ରଚଳ କରୁଛନ୍ତି।ହେଲେ ଆଜିଜାଏଁ କିନ୍ତୁ ରାଜନେତାଙ୍କଠୁ ଆରମ୍ଭ କରି ପ୍ରସାଶନ ପର୍ୟ୍ୟନ୍ତ କାହାର ଦୃଷ୍ଟି ପଡି ନାହିଁ।ବହୁବାର ପୁର୍ବତନ ସରପଞ୍ଚ ଗୋଲେଖ ମିଣିଆକା,ଦୁଃଖିଶ୍ୟାମ ମିଣିଆକା,କର୍ଣ ମାଣ୍ଡିଙ୍ଗା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମରେ ଅଭିଯୋଗ କରି ଆସୁଥିଲେ ମଧ୍ୟ କିଛି ଫରକ ପଡୁନଥିବା ସେମାନେ କହିଛନ୍ତି।
ଉକ୍ତ ଗ୍ରାମରେ ଘର ସଂଖ୍ୟା ୩ଶହ ଥିବା ବେଳେ ଲୋକ ସଂଖ୍ୟା ୧୫ଶହରୁ ଉର୍ଧ।ଗ୍ରାମରେ ତିନଟି ଅଙ୍ଗନାବାଡି କେନ୍ଦ୍ର ସହ ଗୋଟିଏ ପ୍ରାଥମିକ ବିଦ୍ୟାଳୟ,ଗୋଟିଏ ସ୍ଵାସ୍ଥ୍ୟ ସେବା ସବସେଣ୍ଟର ଓ ଗୋଟିଏ ଭେଟେନାରି ସବ ସେଣ୍ଟର ରହିଛି।ସେଇ ଗୋଟିଏ କିଲୋମିଟର ରାସ୍ତା ସବୁ କ୍ଷେତ୍ରରେ ସମସ୍ତିଙ୍କ ପାଇଁ ବଡ ସମସ୍ୟା ହୋଇ ଛିଡା ହୋଇଛି।ଅନେକ ଲୋକ ସେଇ ରାସ୍ତାରେ ପଡି ଖଣ୍ଡିଆ ଖାବରା ହୋଇ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇ ଘରକୁ ଫେରୁଛନ୍ତି।କିନ୍ତୁ ସରକାର କହୁଛନ୍ତି ସବୁ ଅଂଚଳକୁ ରାସ୍ତାଘାଟ ତିଆରି କରି ବ୍ଲକ ହେଡ କ୍ଵାଟର ସହ ସଂଯୋଗ କରାଯାଇଛି । ଏଠି କିନ୍ତୁ ବାସ୍ତବ ଚିତ୍ର ପୁରା ଅଲଗା।ତୁରନ୍ତ ଜିଲ୍ଲା ପ୍ରସାଶନ ଦୃଷ୍ଟି ଦେଇ ରାସ୍ତା ସମସ୍ୟାରେ ଘାଣ୍ଟି ହେଉଥିବା ବନ୍ଦିକାର ଗ୍ରାମ ପାଇଁ ନୁତନ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।