Thursday , February 2 2023
Breaking News
Home / ବିଶେଷ /    ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବାରେ କୁଣ୍ଠା କାହିଁକି ? – ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡିଶା

   ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବାରେ କୁଣ୍ଠା କାହିଁକି ? – ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡିଶା

             ଭୁବନେଶ୍ୱର,୨୨/୧୨/୨୦୨୨ (ଓଡ଼ିଶା ସମାଚାର)- ଆନ୍ତର୍ଜାତିକ ବଜାରରେ ଚଳିତ ମାସରେ (୨୦୨୨ଡିସେମ୍ବର) ଅଶୋଧିତ ତୈଳର ଦର ବାରେଲ ପିଛା ୭୬ଡଲାରରୁ କମ ରହିଛି ।ତୈଳଦର ହ୍ରାସରେ ସାଧାରଣଲୋକ ଏହାର ସୁଫଳ ଭୋଗକରିବା କଥା ।କିନ୍ତୁ ବିଜେପି ସରକାରଙ୍କ ଗରିବ ମାରଣ ଓ କର୍ପୋରେଟ ତାରଣ ନୀତିଯୋଗୁଁ ଜନସାଧାରଣ ଆନ୍ତର୍ଜାତିକ ବଜାରରେ ତୈଳଦର ହ୍ରାସର ଲାଭ ପାଇପାରୁ ନାହାନ୍ତି ।

        ଏଠାରେ ଉଲେଖଯୋଗ୍ୟ, ୨୦୧୪ମସିହାରେ ମନମୋହନ ସିଂହଙ୍କଠାରୁ କ୍ଷମତା ପରିବର୍ତନ ସମୟରେ ଅଶୋଧିତତୈଳଦର ବାରେଲ ପିଛା୧୦୮ଡଲାର ଥିବାସତ୍ୱେ ପେଟ୍ରୋଲ ଲିଟର ପିଛା୭୧ଟଙ୍କା୪୧ ପଇସା ଓ ଡିଜେଲ ଦର ୫୫ଟଙ୍କା୬୦ ପଇସା ଥିଲା ।ଏବେ ଅଶୋଧିତ ତୈଳଦର ଆନ୍ତର୍ଜାତିକ ବଜାରରେ ୧୦୮ଡଲାରରୁ ଖସି ୭୬ ଡଲାରକୁ ପହଂଚିଥିଲାବେଳେ ଭୁବବନେଶ୍ୱର ସମେତ ଭାରତର ବହୁସ୍ଥାନରେ ପେଟ୍ରୋଲ ଲିଟର ପିଛା୧୦୩ଟଙ୍କାରୁ ଉର୍ଦ୍ଧ ଓ ଡିଜେଲ ଦର ୯୪ଟଙ୍କା ଉପରେ ରହିଛି ।

        ଫଳରେ, କେନ୍ଦ୍ରସରକାରଙ୍କ ବିଭିନ୍ନ ତୈଳ କର୍ପୋରେସନ (ଇଣ୍ଡିଆନ ଅଏଲ, ହିନ୍ଦୁସ୍ତାନ ପେଟ୍ରୋଲିୟମ, ଭାରତ ପେଟ୍ରୋଲିୟମ) ଓ ପ୍ରାଇଭେଟ କମ୍ପାନୀ ଯଥା ରିଲାଏନ୍ସ ଓ ଏସାର କମ୍ପାନୀ ଅଧିକ ଲାଭ କରୁଛନ୍ତି । ଏତଦବ୍ୟତୀତ, ତୈଳ ଦର ଉଚ୍ଚ ରହିବା ଦ୍ୱାରା ଉଭୟକେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାର ଅଧିକ ପରିମାଣର ଟିକସ ଅତି ସହଜରେ ଓ ଶୀଘ୍ର ପାଉଛନ୍ତି ।ସରକାର ନିଜର ଆୟର ଭରଣା କରିବାଲାଗି ଉଚ୍ଚ ତୈଳଦରକୁ ନିଜର ଅତି ସହଜ ମାଧ୍ୟମ କରିଦେଇଛନ୍ତି ।ଏହା ପଛରେ ସମସ୍ତ ସରକାର ମାନଙ୍କର ଓ ବୃହତ କର୍ପୋରେଟମାନଙ୍କ ଚକ୍ରାନ୍ତ ରହିଛି ।

        ତୈଳଦର ହ୍ରାସର ସୁଫଳ ଜନସାଧାରଣଙ୍କୁ ନମିଳିବା ଗୋଟିଏ ସରକାରଙ୍କ ଦ୍ୱାରା ଲୋକଙ୍କ ପକେଟମାର କରିବା ସହିତ ସମାନ । କାରଣ ପେଟ୍ରୋଲ /ଡିଜେଲ ଉପରେ ଲାଗୁହେଉଥିବା ଟିକସ ଏକ ପରୋକ୍ଷ ଟିକସ ।ଏହି ପ୍ରକାରର ଟିକସ ଯଦିଓ ଧନୀ ଓ ଗରିବ ଲୋକେ ସମାନ ପରିମାଣରେ ଦେଇଥାନ୍ତି କିନ୍ତୁ ଲୋକଙ୍କ ସମଗ୍ର ଆୟକୁନେଇ ହିସାବ କଲେ ଏହା ଗରିବ ଲୋକଙ୍କ ଉପରେ ଅଧିକ ବୋଝ ହୋଇଥାଏ ।ତେଣୁ ଏକ ଜନମଙ୍ଗଳକାରୀ ରାଷ୍ଟ୍ର ସାମାଜିକ ନ୍ୟାୟ ଦୃଷ୍ଟିରୁ ପ୍ରତକ୍ଷକର ଯଥା: ଆୟକର, ସମ୍ପତିକର, କର୍ପୋରେଟ /ବୃହତ କମ୍ପାନୀମାନଙ୍କ ଉପରେ କରବସାଇ ସମ୍ବଳ ସଂଗ୍ରହ କରିଥାନ୍ତି । ଫଳରେ ଟିକସର ବୋଝ ଧନୀମାନଙ୍କ ଉପରେ ପଡିଥାଏ ଓ ସମାଜରେ ଧନୀ-ଦରିଦ୍ର ବ୍ୟବଧାନ କମ ହୋଇଥାଏ ।

        ଭାରତୀୟ ଜନତା ପାର୍ଟି ସରକାର କ୍ରମାଗତ ଭାବରେ ଧନୀମାନଙ୍କ ଉପରେ ଟିକସର ପରିମାଣ କମ କରିବାରେ ଲାଗିଛନ୍ତି ଓ ଗରିବମାନଙ୍କ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଉପରେ ପରୋକ୍ଷ କର ଯଥା ଜି.ଏସ.ଟି. ବା ଦ୍ରବ୍ୟ ଓ ସେବାକର, ପେଟ୍ରୋଲ-ଡିଜେଲ ଉପରେ କର ଭାର ବୃଦ୍ଧି କରିବାରେ ଲାଗିଛନ୍ତି ।ଏହା ଅଧିକ ସ୍ପଷ୍ଟ ହୋଇଯାଉଛି ଯେବେ୨୦୧୩ ମସିହାରେ ଭାରତୀୟ କମ୍ପାନୀମାନଙ୍କ ନିମନ୍ତେ କର୍ପୋରେଟ ଟିକସ ଶତକଡା ୩୫ଥିବାବେଳେ୨୦୧୪ମସିହାରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଯେଟେଲି ଏହାକୁ ଶତକଡା ୩୦କୁ କମାଇ ଦେଇଥିଲେ ।୨୦୧୯ମସିହାରେ ଅର୍ଥମନ୍ତ୍ରୀ ନିର୍ମଲା ସିତାରମଣ ଏହାକୁ୨୫ଭାଗକୁ କମାଇଛନ୍ତି ।କର୍ପୋରେଟ ମାନଙ୍କ ଆୟରେ ଶତକଡା୧୦ଭାଗ ରିହାତି ସେମାନଙ୍କୁ ଅଧିକ ଧନୀ କରିଦେଇଛି । ଏ ପ୍ରକାରର ଆର୍ଥôକ ନୀତି ସମାଜରେ ଆଜି ଧନୀ-ଦରିଦ୍ର ତାରତମ୍ୟକୁ ଆକାଶପାତାଳ କରିଛି ।ସରକାର ବାହାସ୍ଫୋଟ ମାରୁଛନ୍ତି ଯେ ଦ୍ରବ୍ୟ ଓ ସେବାକର ବା ଜିଏସଟି ସଂଗ୍ରହ ସନ୍ତୋଷ ଜନକ ଓ ଏଥିରେ କ୍ରମଶ ବୃଦ୍ଧି ଘଟୁଛି  । ଏହାସତ୍ୱେ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଅତ୍ୟଧିକ କରଭାର ବୃଦ୍ଧି କରିବା ଗରିବଙ୍କୁ ଉପହାସ ସଦୃଶ୍ୟ ।

        ସରକାର ସବୁବେଳେ ଯୁକ୍ତି କରିଥାନ୍ତି ଯେ ଆନ୍ତର୍ଜାତିକ ବଜାରରେ ପେଟ୍ରୋଲିଅମ ଦ୍ରବ୍ୟର ଦରବୃଦ୍ଧି ହେତୁ ଦେଶରେ ଏହାର ଦରବୃଦ୍ଧି ଘଟୁଛି ।ସେଥିଲାଗି କେନ୍ଦ୍ରସରକାର ପ୍ରତିଦିନ ତୈଳଦରର ସମୀକ୍ଷା କରୁଥିଲେ ।କିନ୍ତୁ ଆଜି ଯେତେବେଳେ ଆନ୍ତର୍ଜାତିକ ବଜାରରେ ତୈଳଦର ବାରେଲ ପିଛା୭୬ଡଲାରରୁ କମ ଅଛି ଦେଶବାସୀ ଏହାର ଦର ହ୍ରାସ ଆଶାକରିବା କ’ଣ ନ୍ୟାୟସଙ୍ଗତ ନୁହେଁକି?

        ପ୍ରସଙ୍ଗକ୍ରମେ ଏକଥା ଉଲ୍ଲେଖଯୋଗ୍ୟ ଯେ ପାଶ୍ଚାତ୍ୟ ଦେଶମାନେ ରୁଷ –ୟୁକ୍ରେନ ଯୁଦ୍ଧ ହେତୁ ରୁଷିଆ ସହିତ ତୈଳକାରବାର ଉପରେ କଠୋର କଟକଣା ଲଗାଇଛନ୍ତି ।ୟୂରୋପିଆନ ଯୁନିଅନ ତରଫରୁ ବାରେଲ ପିଛା ତୈଳଦର ୬୦ଡଲାରର ତଳକୁ କୌଣସି ଦେଶ ନବିକିବା ଉପରେ କଟକଣା ରହିଥିବାସତ୍ୱେ ଭାରତକୁ ରୁଷ ତାହାଠାରୁ ବି କମ ଦରରେ ତୈଳଯୋଗାଇ ଦେଇଆସୁଛି ।ତେଣୁ ବଜାରରେ ତୈଳ ଦର ଆହୁରି ଶସ୍ତାହେବା କଥା ଓ ସମସ୍ତ ଖାଉଟି ଏହାର ଲାଭ ପାଇବା କଥା ।

        ଭାରତ ଶତକଡା ୮୫ଭାଗ ତୈଳ ବିଦେଶରୁ ଆମଦାନୀ କରିଥାଏ ।ରୁଷରୁ ଭାରତ ପେଟ୍ରୋଲ ଜାତ ଦ୍ରବ୍ୟର ଏକପଂଚମାଂସ ଆଣିଥାଏ । ଅବଶ୍ୟ ଇରାକ, ସାଉଦି ଆରବ ଓ ଆମେରିକା ମଧ୍ୟ ଭାରତକୁ ତୈଳ ରପ୍ତାନୀ କରିଥାନ୍ତି ।କିନ୍ତୁ ରିହାତି ଦରରେ କେବଳ  ରୁଷରୁହିଁ ତୈଳ ମିଳିଥାଏ ।କେବଳ ଏତିକି ନୁହେଁ, ରୁଷ ମଧ୍ୟ ଭାରତକୁ ତୈଳ ପରିବହନ ନିମନ୍ତେ ତୈଳବାହୀ ଜାହାଜ ଯୋଗାଇ ଦେଇଥାଏ ।ତେଣୁ ପରିବହନ ଖର୍ଚ୍ଚ ମଧ୍ୟ ଭାରତକୁ କମ ପଡିଥାଏ ।ତେଣୁ ଭାରତ ତୈଳଦର ନେଇ ଯେଉଁ ଲାଭଜନକ ସ୍ଥିତିରେ ରହିଛି ତା’ର ଲାଭ କର୍ପୋରେଟ ଜଗତର ତୈଳକମ୍ପାନୀ (ରିଲାଏନ୍ସ ଓ ଏସାର) ଓ ବିଜେପି ସରକାର ମଧ୍ୟରେ ସୀମିତ ନ ରହି ସର୍ବସାଧାରଣଙ୍କ ପାଖକୁ ଆସିବା ଦରକାର ।ରାଷ୍ଟ୍ରଠାରୁ ଜଣେ ନାଗରିକ ଏତିକି ଆଶା କରିବା ଅବାନ୍ତର ନୁହେଁ । ନାଗରିକକୁ ଏଥିରୁ ବଂଚିତ କରିବା ରାଷ୍ଟ୍ରଲାଗି ଏକ ଅପରାଧ ।

        ଉପରୋକ୍ତ ପରିପ୍ରେକ୍ଷୀରେ ‘ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡିଶା’ ସରକାରଙ୍କଠାରୁ ଆଶାକରେ ଯେ;

ପ୍ରଥମତଃ, ସରକାର ଆନ୍ତର୍ଜାତିକ ପେଟ୍ରୋଲ ଦର ହ୍ରାସ ଜନିତଲାଭ ଓ ରୁଷିଆରୁ ରିହାତି ଦରରେ ପାଉଥିବା ତୈଳର ଲାଭରେ ସର୍ବସାଧାରଣଙ୍କୁ ଭାଗୀଦାର କରନ୍ତୁ । ଦ୍ୱିତୀୟରେ, ସରକାର ପ୍ରତ୍ୟକ୍ଷ କର ଯଥା ଆୟକର ଓ କର୍ପୋରେଟ ଟିକସର ପରିସରକୁ ବୃଦ୍ଧି କରନ୍ତୁ ।ତୃତୀୟରେ, ପେଟ୍ରୋଲ – ଡିଜେଲକୁ ଦ୍ରବ୍ୟ ଓ ସେବାକର ବା ଜିଏସଟି ପରିସରକୁ ଆଣନ୍ତୁ ।

Leave a Reply

Your email address will not be published.