Friday , February 3 2023
Home / ଶିକ୍ଷା / ସେଂଟ ଯୋଶେଫ ବିଦ୍ୟାଳୟରେ ରଜତ ଜୟନ୍ତୀ ଓ ବାର୍ଷିକ ଉତ୍ସବ

ସେଂଟ ଯୋଶେଫ ବିଦ୍ୟାଳୟରେ ରଜତ ଜୟନ୍ତୀ ଓ ବାର୍ଷିକ ଉତ୍ସବ

କେନ୍ଦ୍ରାପଡ଼ା, ୨୧/୧୨/୨୦୨୨ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ଉପକଣ୍ଠ ତିନିମୁହାଣୀଠାରେ ଅବସ୍ଥିତ ସହରର ଏକମାତ୍ର ଆଇ.ସି.ଏସ.ଇ. ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ପବିତ୍ର ଅନୁଷ୍ଠାନ ସେଂଟ ଯୋଶେଫ ସ୍କୁଲର ୨୫ବର୍ଷ ପୂର୍ତି ଉପଲକ୍ଷେ ରଜତ ଜୟନ୍ତୀ ଓ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଫାଦର ନବ କିଶୋର, ଉପ ଅଧ୍ୟକ୍ଷ ଫାଦର ରମେଶ, ଅନୁଶାସନ ଓ ପରିଚାଳନା କମିଟିର ସଦସ୍ୟା ସୁଶ୍ରୀ ସିଷ୍ଟର ନାନ୍ସୀ, ସୁଶ୍ରୀ ସିଷ୍ଟର ସଙ୍ଗୀତା ଓ ସୁଶ୍ରୀ ସିଷ୍ଟର ଆଲଫୋନ୍ସା ପ୍ରମୁଖ ସଦସ୍ୟ ଓ ସଦସ୍ୟାମାନଙ୍କ ଉପସ୍ଥିତିରେ ଏହି ଉତ୍ସବ ମହାସମାରୋହରେ ଅତ୍ୟନ୍ତ ବର୍ଣ୍ଣାଢ୍ୟ ପରିବେଶରେ ଶୀତ କାକରଯୁକ୍ତ ରଜନୀରେ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଇଥିଲା । ଏହି ପବିତ୍ର ଉତ୍ସବରେ ଓଡିଶାର ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ସମ୍ମାନୀତ ଅତିଥି ଭାବରେ କଟକ ଭୁବନେଶ୍ୱର ଆର୍ଚ୍ଚ ବିଶପ ଓ କେନ୍ଦ୍ରାପଡା ସେଂଟ ଯୋଶେଫ ସ୍କୁଲର ଚେୟାରମ୍ୟାନ ଜନ୍ ବରୁଆ ଏସ.ଭି.ଡି., କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର କୁମାର ସୁଆର ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ନିମନ୍ତେ ଶୁଭେଛା ଜଣାଇବା ସହ ସାରଗର୍ଭକ ଭାଷଣ ରଖିଥିଲେ । ବିଦ୍ୟାଳୟର ଉନ୍ନତି ନିମନ୍ତେ ୨୦୨୧-୨୨ବର୍ଷରେ ବିଦ୍ୟାଳୟର ବେଷ୍ଟ ଯୋଶେଫାଇଟ ତଥା ଆଇ.ସି.ଏସ.ଇ.ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଟପ୍ପର ହୋଇଥିବା ଛାତ୍ର ଓମ୍ ବିଶ୍ୱାଳ ଓ ଛାତ୍ରୀ ସ୍ୱାତୀ ସାମନ୍ତରାୟ ତଥା ନବେ ପ୍ରତିଶତ ନମ୍ବରରୁ ଅଧିକ ନମ୍ବର ରଖିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କୃାର ବିତରଣ କରିଥିଲେ । ରଜତ ଜୟନ୍ତୀ ଉପଲକ୍ଷେ ୨୫ବର୍ଷ ମଧ୍ୟରେ ଅଧ୍ୟକ୍ଷ ଭାବରେ କାର୍ଯ୍ୟନିର୍ବାହ କରିଥିବା ଫାଦରମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା । ଉତ୍ସବରେ ବିଦ୍ୟାଳୟର ନର୍ସରୀ ଠାରୁ ଆରମ୍ଭ କରି ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅତି ଉଚ୍ଚ କୋଟୀର ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ଶୀତକାକର ଯୁକ୍ତ ଉନ୍ମୁୁକ୍ତ ଆକାଶ ତଳେ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ଅତ୍ୟନ୍ତ ଚିତାକର୍ଷକ ଥିଲା । ବାଦ୍ୟର ତାଳେ ତାଳେ ଶିଶୁମାନେ ଆନନ୍ଦ ମୁଖରିତ ହୋଇ ସେମାନଙ୍କ ଅନ୍ତର୍ନିହିତ କଳା ଓ କୌଶଳ ପଦର୍ଶନ କରିଥିଲେ । ବିଦ୍ୟାଳୟ ପ୍ରତିଷ୍ଠା ହେବା ପରେ ୨୫ବର୍ଷର ଶିକ୍ଷାଦାନ ସାଧନରେ ସଫଳତା ଲାଭ କରିଥିବା ଏହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ମଞ୍ଜୁଳା ସିଂଙ୍କୁ ରଜତ ଜୟନ୍ତୀ ଉତ୍ସବରେ ବିଶେଷ ସମ୍ମାନରେ ସମ୍ମାନିତ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ନବ କିଶୋର ବାର୍ଷିକ ବିବରଣୀ ପାଠ କରିଥିଲେ । ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇ ୨୦୨୨ମସିହାର ଆନନ୍ଦଦାୟକ, ଚିତାକର୍ଷକ ଓ ଭାବପୂର୍ଣ୍ଣ ରଜତ ଜୟନ୍ତୀ ଓ ବାର୍ଷିକ ଉତ୍ସବ ସମାହିତ ହୋଇଥିଲା ।

Leave a Reply

Your email address will not be published.