ଭୁବନେଶ୍ୱର, ୨୧/୧୨/୨୦୨୨ (ଓଡ଼ିଶା ସମାଚାର)- ବିଗତ ବର୍ଷ ସମଗ୍ର ଦେଶରେ ସ୍ୱାଧୀନତାର ୭୫ତମ ପୂର୍ତି ଉତ୍ସବକୁ ହର୍ ଘର ତ୍ରିରଙ୍ଗା ଓ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଥିବା ସ୍ଥଳେ ଓଡ଼ିଶାରୁ ବକ୍ସି ଜଗବନ୍ଧୁ ଓ ପାଇକ ମାନଙ୍କ ବୀରତ୍ୱ କାହାଣୀ ସମ୍ବଳିତ ପ୍ରଜ୍ଞାପନ ମେଢର ଚିତ୍ର ପଠାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଧେଶ ଥିଲା । ସେହି ଅନୁସାରେ ଗୁରୁ ଗଜେନ୍ଦ୍ର ସାହୁଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଜ୍ଞାପନ ମେଢର ବୃତଚିତ୍ର ପଠା ଯାଇଥିଲା । ଏହା ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ଚୟନକର୍ତମାନଙ୍କ ଦ୍ୱାରା ମନୋନୀତ ହୋଇଥିଲେ ମଧ୍ୟ ଶେଷ ପର୍ଯ୍ୟାୟରେ ବାଦ ପଡ଼ିଥିଲା । ସେତେବେଳେ ଓଡ଼ିଶା ପାଇକ ଏକାଡ଼େମୀ ପକ୍ଷରୁ ସଭାପତି ଡଃ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ନେତୃତ୍ୱରେ ଜୋରଦାର ଆନ୍ଦୋଳନ କରାଯାଇଥିଲା । ଚଳିତବର୍ଷ ଓଡ଼ିଶାର ପ୍ରଜ୍ଞାପନ ମେଢକୁ ସ୍ଥାନ ଦେବା ପାଇଁ ରାଜ୍ୟପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଅନୁରୂପ ଭାବେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଡଃ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ନେତୃତ୍ୱରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ରାଜଭବନ ସନ୍ନିକଟ ପ୍ରତିମୂର୍ତି ସ୍ଥାନରେ ପାଇକ ଆଖଡ଼ା ପ୍ରଦର୍ଶନ କରି ନିବେଦନ କରାଯାଇଥିଲା । ସେହି ଅନୁସାରେ କେନ୍ଦ୍ର ସରକାରଙ୍କ ନିକଟକୁ ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସମ୍ବଳିତ ଗୁରୁ ଗଜେନ୍ଦ୍ର ସାହୁଙ୍କ ଦ୍ୱାରା ପ୍ରସ୍ତୁତ କୋଣାର୍କ ହସ୍ତୀ, ଶ୍ରୀଜଗନ୍ନାଥ ମନ୍ଦିର, ଓଡ଼ିଶୀ ନୃତ୍ୟ ଓ ଓଡ଼ିଶାର ଲୋକନୃତ୍ୟକୁ ସମିଶ୍ରଣ କରି ପ୍ରଜ୍ଞାପନ ମେଢର ଏକ ବୃତଚିତ୍ର ଦିଲ୍ଲୀ ସରକାରଙ୍କ ନିକଟକୁ ପଠାଯାଇଥିଲା । ଏହା ପୂର୍ବ ବର୍ଷ ପରି ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ଚୟନକର୍ତମାନଙ୍କ ଦ୍ୱାରା ମନୋନୀତ ହୋଇଥିବା ସ୍ଥଳେ ଏଥିପାଇଁ ଆବଶ୍ୟକ ସଙ୍ଗୀତ ତଥା ଅନ୍ୟାନ୍ୟ ସମସ୍ତ ଉପକରଣ ପ୍ରସ୍ତୁତି ହୋଇ ସାରିଥିଲା । କିନ୍ତୁ ଶେଷ ମୁହୂର୍ତରେ ପଂଚମ ପର୍ଯ୍ୟାୟକୁ ଡ଼କା ନଯିବାରୁ ଚଳିତବର୍ଷ ଓଡ଼ିଶାର ପ୍ରଜ୍ଞାପନ ମେଢ ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ରେ ସ୍ଥାନ ପାଇବାର ଆଶା କ୍ଷୀଣ ହୋଇଯାଇଛି ।
ବୁଧବାର ଦିନ ସୂଚନା ଭବନ ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପାଇକ ଆଖଡ଼ା ଏକାଡ଼େମୀର ସଭାପତି ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରି ଦୃଢତାର ସହିତ କହିଛନ୍ତି ଯେ, ଯଦି ଚଳିତବର୍ଷ ଓଡ଼ିଶାର ପ୍ରଜ୍ଞାପନ ମେଢ ସାଧାରଣତନ୍ତ୍ର ଦିବସରେ ସ୍ଥାନ ନ ପାଏ ତେବେ ଆଗାମୀ ୨୩ ତାରିଖରୁ ସାରା ଓଡ଼ିଶାରେ ପ୍ରବଳ ଆନ୍ଦୋଳନ ମୁଣ୍ଡ ଟେକିବ । ଏଥିପ୍ରତି ରାଜ୍ୟ ସରକାର ଉଚିତ୍ ଧ୍ୟାନ ଦେଇ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗ କରିବାକୁ ଡଃ ଶ୍ରୀଚନ୍ଦନ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ମଧ ନିବେଦନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏକାଡ଼େମୀର ସମ୍ପାଦକ ଶ୍ରୀ ନରେନ୍ଦ୍ର ପୃଷ୍ଟି, ସଂଯୋଜକ ମୀର ଅହମ୍ମଦ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ ।
Home / ବିଶେଷ / ଦିଲ୍ଲୀର ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ରେ ଓଡ଼ିଶାର ପ୍ରଜ୍ଞାପନ ମେଢ ସ୍ଥାନ ପାଇବାକୁ ଦୃଢ ଦାବି, ନଚେତ ରାଜ୍ୟସାରା ବିପ୍ଲବ କରିବ ରାଜ୍ୟ ପାଇକ ଆଖଡ଼ା ଏକାଡ଼େମୀ