ନୂଆଦିଲ୍ଲୀ/ ଭୁବନେଶ୍ୱର, ୨୧/୧୨/୨୦୨୨ (ଓଡ଼ିଶା ସମାଚାର)- ଚୀନ, ଆମେରିକା ଓ ଜାପାନରେ କରୋନା ସଂକ୍ରମଣ ପୁଣି ଦ୍ରୁତ ଗତିରେ ବଢିଚାଲିଛି । ବିଶେଷକରି ଚୀନ ଅବସ୍ଥା ଚିନ୍ତା ସୃଷ୍ଟି କରିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସତର୍କ ହୋଇଉଠିଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭିଅ ବୁଧବାରଦିନ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ସ୍ଥିତିର ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ଏପର୍ୟ୍ୟନ୍ତ ଦେଶରୁ କୋଭିଡ ମୂଳପୋଛ ହୋଇନାହିଁ, ଏଣୁ ଯଥାଶୀଘ୍ର ସମସ୍ତେ କୋଭିଡ୍ ଟୀକା ନେଇଯାଆନ୍ତୁ । ଏହି ବୈଠକରେ ସ୍ବାସ୍ଥ୍ୟମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ସ୍ବାସ୍ଥ୍ୟମନ୍ତ୍ରୀ ସ୍ଥିତିର ସମୀକ୍ଷା କରିବା ସହ ଜନସ୍ବାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତି ତଦାରଖ କରିଥିଲେ । ଏହି ବୈଠକ ବେଳେ ବରିଷ୍ଠ ଅଧିକାରୀମାନେ ଜଣାଇଥିଲେ ଯେ, ଚୀନରେ ଦ୍ରୁତ ସଂକ୍ରମଣ ବୃଦ୍ଧି ପାଇଁ ଓମିକ୍ରନର ବିଏଫ.୭ ଭାରିଆଣ୍ଟ ଦାୟୀ । ତେବେ ଚୀନରେ ଏହି ଭାରିଆଣ୍ଟର ଦ୍ରୁତ ସଂକ୍ରମଣ ପାଇଁ ଚୀନ ଲୋକଙ୍କ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଦାୟୀ । ପୂର୍ବ ଲହରଗୁଡ଼ିକରୁ ଚୀନ ଲୋକମାନେ ମୁକ୍ତ ରହିଥିବାରୁ ଓମିକ୍ରନକୁ ସହ୍ୟ କରିବାକୁ ରୋଗ ପ୍ରତିରୋଧକ ଶକ୍ତି ସକ୍ଷମ ହୋଇନାହିଁ ।
ଏପର୍ୟ୍ୟନ୍ତ ଭାରତରେ ଏହି ବିଏଫ.୭ ଭାରିଆଣ୍ଟର ୩ଟି ମାମଲା ଚିହ୍ନଟ ହୋଇଛି । ତା ମଧ୍ୟରୁ ୨ଟି ଗୁଜରାଟରେ ଓ ଗୋଟିଏ ଓଡ଼ିଶାରେ ଚିହ୍ନଟ ହୋଇଛି । ମୋଟାମୋଟିଭାବେ ଦେଶରେ ସଂକ୍ରମଣ ହାର ସ୍ଥିର ରହିଛି । ତେବେ ସ୍ଥିତି ଉପରେ ନଜର ରଖାଯିବାର ଆବଶ୍ୟକତା ରହିଛି । ଓଡ଼ିଶାରେ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣକ ଖୋର୍ଦ୍ଧା ଜିଲାର ଜଣେ ମହିଳା । ସେ ଆମେରିକାରୁ ଫେରିଥିବା ସୂଚନା ।
ପାଞ୍ଚଟି ଦେଶରେ କୋଭିଡ ଉଗ୍ର ରୂପ ନେବା ପରେ କେନ୍ଦ୍ରର ରାଜ୍ୟକୁ ଚିଠି ହୋଇଛି। କେନ୍ଦ୍ରର ଚିଠି ପାଇଲା ପରେ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ଯେ, ଲୋକଙ୍କ ଠାରେ କୋଭିଡ ଲକ୍ଷଣ ଦେଖାଯିବା ମାତ୍ରେ ଟେଷ୍ଟିଙ୍ଗ କରାଯିବ। ଏଥି ପାଇଁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି। ଆକ୍ରାନ୍ତଙ୍କ ଜିନମ ସିକ୍ୟୁଏନସିଂ ହେବ। ଆମ ପାଖରେ ପର୍ୟ୍ୟପ୍ତ ପରିମାଣର ଜେନମ ସିକ୍ୟୁଏନସିଂ ଏବଂ ସର୍ଭିଲାନ୍ସ କରିବାକୁ ସୁବିଧା ଅଛି। ଏହାପରେ ମଧ୍ୟ ଯଦି ସଂକ୍ରମଣ ବଢେ ତାପରେ ଅନ୍ୟ ପଦକ୍ଷେପ ନିଆଯିବ। ହକି ବିଶ୍ୱକପରେ ଭିଡ଼କୁ ଦୃଷ୍ଟିରେ ରଖି ସେଠାରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯଦି କାହାର ଲକ୍ଷଣ ପ୍ରକାଶ ପାଇଲେ ସଂଗେ ସଂଗେ ତାର ସେଠାରେ ଟେଷ୍ଟ କରିବାର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ଓ ରାଉରକେଲାରେ ଟେଷ୍ଟିଙ୍ଗ ପାଇଁ ପର୍ୟ୍ୟାପ୍ତ ପରିମାଣର ବ୍ୟବସ୍ଥା କରାଯାଇଛି।