ମା’ମାନେ ନିଜ ପିଲାମାନଙ୍କୁ ଭଲ ମଣିଷ ଭାବରେ ଗଢି ତୋଳିଲେ ସୁସ୍ଥ ସମାଜ ଗଠନ ହୋଇ ପାରିବ – ଅବସରପ୍ରାପ୍ତ ମୂଖ୍ୟ ବିଚାରପତି ଡଃ.ସଞ୍ଜୁ ପଣ୍ଡା
ଗରଦପୁର, ୨୦/୧୨/୨୦୨୨ (ଓଡ଼ିଶା ସମାଚାର)-ମା’ମାନେ ନିଜ ନିଜ ପିଲାମାନଙ୍କୁ ଭଲ ମଣିଷ ଭାବରେ ଗଢି ତୋଳିଲେ, ସୁସ୍ଥ ସମାଜ ଗଠନ ହୋଇ ପାରିବ, ସେହି ପିଲାମାନଙ୍କୁ ଶ୍ରବଣ କୁମାରଙ୍କ ଭଳି ହେବା ପାଇଁ ଶିକ୍ଷା ଦେବା ଆଜିର ଦିନରେ ଆବଶ୍ୟକ ବୋଲି ଓଡିଶା ହାଇକୋର୍ଟର ପୂର୍ବତନ ଅନ୍ତରିଣ ମୂଖ୍ୟ ବିଚାରପତି ଡଃ. ସଞ୍ଜୁ ପଣ୍ଡା ମତ ପ୍ରକାଶ କରିଛନ୍ତି । ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ୮୭ ତମ ଜନ୍ମ ଜୟନ୍ତୀ ସମାରୋହରେ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ଡଃ ପଣ୍ଡା ଆହୁରି ମଧ୍ୟ କରିଛନ୍ତି ଯେ, ମା’ମାଉଷୀମାନଙ୍କ ହାତରେ ସମାଜ ଗଠନର ଗୁରୁ ଦାଇତ୍ୱ ରହିଛି । ଆଜିର ଦିନରେ ସଂସ୍କୃତି ଓ ପରମ୍ପରା ଆବଶ୍ୟକ,ଏହାକୁ ଗୁରୁତ୍ୱ ଦେଇ ପିଲାମାନଙ୍କୁ ଛୋଟଛୋଟ ଉପଦେଶ ମାଧ୍ୟମରେ କାହାରି ଅନିଷ୍ଟ କଥା ଚିନ୍ତା ନ କରିବା ପାଇଁ ଶିକ୍ଷା ଦେବା ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ ।
ଗରଦପୁର ବ୍ଳକ ଅନ୍ତର୍ଗତ ତିକନପୁର ପଂଚାୟତର ଶ୍ରୀରାମ ମନ୍ଦିର ପଡିଆ ଠାରେ ‘ବେଦପ୍ରକାଶ ଅଗ୍ରୱାଲ ସ୍ମୃତି ପରିଷଦ’ପକ୍ଷରୁ ଆୟୋଜିତ ବେଦପ୍ରକାଶ ଜନ୍ମ ଜୟନ୍ତୀ ଉତ୍ସବରେ ସମ୍ମାନିତ ଅତିଥି ଭାବରେ କଟକ ମହାନଗର ନିଗମର ଅଧ୍ୟକ୍ଷ ତଥା ପୂର୍ବତନ ରାଜ୍ୟସଭା ସାଂସଦ ସୁବାଷ ସିଂ ମୂଖ୍ୟ ବକ୍ତା ଭାବରେ ଯୋଗ ଦେଇ କେନ୍ଦ୍ରାପଡା ଜିଲାର ବିକାଶ କଥା କହିବା ସହିତ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଜିଲାର ବିକାଶ ଦାଇତ୍ୱ ନିଜେ ନେଇଥିବାରୁ ଆଗାମୀ ଦିନରେ ଜିଲାର ରୂପରେଖ ବଦଳିବାକୁ ଯାଉଥିବା ସମ୍ପର୍କରେ ସୂଚନା ଦେଇଥିଲେ । ସ୍ମୃତି ପରିଷଦର ଅଧ୍ୟକ୍ଷା ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ସୁକନ୍ୟା ମଧୁମତୀ ଅଗ୍ରୱାଲ ସ୍ମୃତି ପରିଷଦ ପକ୍ଷରୁ ବିଗତ ବର୍ଷରେ କରାଯାଇଥିବା ବୃକ୍ଷରୋପଣ,ରକ୍ତଦାନ ଶିବିର,କରୋନାମହାମାରୀ ସମୟରେ ମାସ୍କ ଓ ସାନିଟାଇଜର ବଂଟନ ଭଳି କରାଯାଇଥିବା ବିଭିନ୍ନ ଜନହିତକର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । କେନ୍ଦ୍ରାପଡା ଜିଲା ଯୁବ ବିଜେଡି ସଭାପତି ରାଜେଶ ଦାସଙ୍କ ସଂଚାଳନରେ ଆୟୋଜିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ରବି ସାମଲ ଯୋଗ ଦେଇ ଛାତ୍ର ଜୀବନ ଠାରୁ ରାଜନୀତି ଜୀବନର ଶେଷ ପର୍ଯ୍ୟନ୍ତ ଲୋକମାନଙ୍କ ସେବା କରି ଆସିଥିବା ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲ ପ୍ରବାଦପୁରୁଷ ସ୍ୱର୍ଗତ ବିଜୁବାବୁଙ୍କ ଘନିଷ୍ଠ ସହଯୋଗୀ ଭାବରେ ରାଜ୍ୟର ବିକାଶ ଦିଗରେ କରିଥିବା କେତେକ କାର୍ଯ୍ୟ ସମ୍ପର୍କରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଡେରାବିଶ ବ୍ଳକ୍ର ଉପାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟ ସମ୍ପାଦକୀୟ ବିବରଣୀ ପାଠ କରିଥିବାବେଳେ ,ଗରଦପୁର ବ୍ଳକ୍ର ଅଧ୍ୟକ୍ଷ ଅଭୟ କୁମାର ମହାରାଜ,ସ୍ମୃତି ପରିଷଦର ଆବାହକ ପ୍ରହଲ୍ଲାଦ ସାହୁ,ଉପ-ସଭାପତି ନବଘନ ନାୟକ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ବିଭିନ୍ନ କାର୍ଯ୍ୟ ସମ୍ପର୍କରେ କହିଥିଲେ ।
ଏହି ଅବସରରେ ସ୍ମୃତି ପରିଷଦ ପକ୍ଷରୁ ଗତ ମାଟି୍ରିକ୍ ପରୀକ୍ଷାରେ ଜିଲାରେ ସର୍ବୋଚ୍ଚ ନମ୍ବର ରଖି ଉତୀର୍ଣ୍ଣ ହୋଇଥିବା ଛାତ୍ରୀ ମୋନାଶ୍ରୀ ବିଶ୍ୱାଳ ଓ ଅଙ୍କିତା ସାହୁଙ୍କୁ ଉତରିୟ,ମାନପତ୍ର ଓ ପୋତ୍ସାହନ ରାଶି ବାବଦରେ୫ହଜାର ୫ଶତ ଟଙ୍କା ଲେଖା ର ଚେକ୍ ମୂଖ୍ୟ ଅତିଥି ଡଃ.ପଣ୍ଡା ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସେହିପରି ଅଭିନ୍ନ ସୁନ୍ଦର ନାୟକ, ଜ୍ୟୋତିର୍ମୟୀ ଦାସ,ହିତେଶ୍ କୁମାର ରାଉତ, ଭଜକୃଷ୍ଣ ରାଉତ, କୁଞ୍ଜ ବିହାରୀ ପାଣି ,ଶ୍ରୀମତୀ ସ୍ୱପ୍ନା ସିଂ,ମାଧବ ଚରଣ ନାୟକ,ସୁବାଷ ଚନ୍ଦ୍ର ଖୁଂଟିଆ,ଅନାଦି ଚରଣ ମହାନ୍ତି,ଶେଖ୍ ଇର୍ଶାଦ୍ ଅଲ୍ଲୀ,ପ୍ରଭାତ ମିଶ୍ର,ଶାରଦା ପ୍ରସାଦ ଶତପଥୀ ଓ ପୁରୁଷୋତମ ତ୍ରୀପାଠୀ ପ୍ରମୁଖ ଜିଲାର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜ୍ଜନ କରିଥିବା ବ୍ୟକ୍ତିମାନଙ୍କୁ ମାନପତ୍ର,ଉପଢୌକନ ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ ।
କାର୍ଯ୍ୟକ୍ରମରେ ଶାନ୍ତି ଭୂୟାଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ,ଭବାନୀ ଓଝା ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପାଟକୁରା ତଥା ଜିଲାର ବିଭିନ୍ନ ସ୍ଥାନରୁ ବେଦ ପ୍ରକାଶ ଅଗ୍ରୱାଲଙ୍କୁ ଭଲ ପାଉଥିବା ଲୋକମାନେ ଉପସ୍ଥିତ ଥିଲେ ।