Friday , February 3 2023
Home / କୃଷି / ଧାନ କିଣାରୁ ମିଲରଙ୍କ ୫ ହଜାର କୋଟି ଲୁଟିବା ଲକ୍ଷ୍ୟ

ଧାନ କିଣାରୁ ମିଲରଙ୍କ ୫ ହଜାର କୋଟି ଲୁଟିବା ଲକ୍ଷ୍ୟ

ସିଧାସଳଖ ଧାନକ୍ରୟରୁ କଟନୀ ଓ ଛଟନୀ ୧୫୦୦ କୋଟି ଲୁଟ
ଭୁବନେଶ୍ୱର ୨୦/୧୨/୨୦୨୨ (ଓଡ଼ିଶା ସମାଚାର)-ବର୍ଷସାରା ଚାଷୀ ହାଡ଼ଭଙ୍ଗା ପରିଶ୍ରମ କରି କ୍ଷେତରୁ ଧାନ ଫଳାଉଛି । ହେଲେ ସେ କୁଇଂଟାଲରୁ ୧୦୦ଟଙ୍କା ଲାଭ ପାଉନି । ମାତ୍ର ମିଲରଙ୍କ ଗୋଡ଼ରେ କାଦୁଆ ନ ଲାଗି ସେ କୁଇଂଟାଲକେ ଲାଭ ଉଠାଉଛି ୬୦୦ରୁ ୭୦୦ ଟଙ୍କା । ସେହିଭଳି ଗୋଟିଏ କୁଇଂଟାଲରୁ ଖୁଦ ଓ କୁଣ୍ଡା ବାବଦ ମିଲର ପାଉଛନ୍ତି କୋଟି କୋଟି ଟଙ୍କା । ଏହା ପାଖାପାଖି ସମସ୍ତ ଧାନ କିଣାର ହିସାବ କଲେ ହାରାହାରି ୩୫୦୦ କୋଟି ପାଉଛନ୍ତି । କାରଣ ଗୋଟିଏ କୁଇଂଟାନ ଧାନରେ ୬୭ କେଜି ଚାଉଳ ପରେ ଖୁଦ ଓ କୁଣ୍ଡା ମିଲର ଫେରାନ୍ତି ନାହିଁ । ଟୋକନ ଆସିବା ନ ଆସିବାର ଭୟ, ଟୋକନ ଆସିଲେ ବି ଲାପ୍ସ ହେବାର ଭୟ ଯୋଗୁ ଚାଷୀ ମିଲର ପାଖରେ ଆତ୍ମ ସମର୍ପଣ କରୁଛି । ସେ ସମବାୟରେ ନାଁ ପଞ୍ଜିକୃତ କରିଥିଲେ ବି ସିଧା ଧାନ ପଠାଉଛି ମିଲ୍ କୁ । ସରକାରଙ୍କ ତଥାକଥିତ ସ୍ଥାନୀୟ ଟାସ୍କଫୋର୍ସ କେବେ ବି ମିଲରଙ୍କ ଷ୍ଟକ ଯାଂଚ କରନ୍ତି ନାହିଁ । ମିଲରଙ୍କ ଗୋଦାମ ଯାଂଚ ହେଉଥିଲେ ସେମାନେ ପ୍ରଶ୍ନର ସମ୍ମୁଖୀନ ହୁଅନ୍ତି ଯେ, ମଣ୍ଡି ଖୋଲାହେବା ପୂର୍ବରୁ ଆପଣଙ୍କ ଗୋଦାମ ଘର ଭରିଲା କେମିତି? ସେମିତି ମଣ୍ଡି ଖୋଲିଲା ପରେ କେବଳ ମିଲରଙ୍କ ଲାଭ ହିଁ ଲାଭ । ଡ଼ିଏଲପିସି ମିଟିଂରେ ଯେଉଁ ଚାଷୀମାନେ କମିଟି ସଭ୍ୟ ସେମାନେ ଶାସକ ବିଜେଡ଼ି ନେତା । ଜିଲାପାଳ ଓ ଉପଜିଲାପାଳ ସମସ୍ତେ ମିଲରଙ୍କ ସପକ୍ଷବାଦୀ । ଯିଏ ମନ୍ତ୍ରୀ ହେବେ, ସେ କେବଳ ବିବୃତି ଦେବେ କଟନୀ ଛଟନୀ କଲେ ମିଲର ବନ୍ଧା ହେବେ । ବାସ୍ ଏତିକିରେ କାମ ଶେଷ । ତେଣୁ ଚାଷୀଙ୍କୁ ଆଗୁଆ ଝୋଟ ଅଖା ଦେବା କିମ୍ବା ଲେବର ମଣ୍ଡି ଚାର୍ଜ କିଛିବି ମିଲରଙ୍କ ଉପରେ ବୋଝ ନାହିଁ । ଚାଷୀ ଯେତେ ଦାବି ଆନ୍ଦୋଳନ, ରାସ୍ତାରୋକ କଲେ ବି କଟନୀ ଛଟନୀ କଥାଟା ବନ୍ଦ କରି ହୁଏନାହିଁ । ଉଚ୍ଚତମ ନ୍ୟାୟାଳୟ ପୂବରୁ ରାୟ ଦେଇଥିଲେ ଯେ, ମଣ୍ଡିରେ ମିଲରଙ୍କ ଏଜେ ରହିପାରିବେ ନାହିଁ । କିନ୍ତୁ ପ୍ରକୃତପକ୍ଷେ ମିଲରଙ୍କ ଏଜେମାନେ ହିଁ ମଣ୍ଡି ଚଳାଉଛନ୍ତି । କଟନୀ ଛଟନୀରେ ବର୍ଷକୁ ୪୦୦ କୋଟି ଚାଷୀ ହରାଉଛନ୍ତି ବୋଲି ସିଏଜି ରିପୋର୍ଟ ଦେଲା ପରେ ବି ଏହାକୁ ନେଇ ସରକାରରେ ହଲଚଲ ହୁଏ ନାହିଁ । କାରଣ ମିଲରଙ୍କ ଲବି ଏତେ ମଜଭୁତ ଯେ, ଜିଲ୍ଲା ପ୍ରଶାସନ ଓ ସରକାରୀ କଳ କେବେ ବି ଚାଷୀଙ୍କ ପକ୍ଷ ନେବାକୁ ସାହସ କରିନ୍ତି ନାହିଁ । ସବୁଠୁ ବଡ଼କଥା ହେଉଛି ଯେ, ଏଫ୍ଏକୁ୍ୟ ନାମରେ ଚାଷୀଙ୍କୁ ଡ଼ରନ୍ତି ମିଲର । ଯଦି କୁଇଂଟାଲ ପିଛା କାଟ ନ ନେବୁ ତେବେ ଧାନ ଉଠାଇବୁ ନାହିଁ । ଯଦି ଉଠାଇବୁ ପୁରା ଏଫଏକୁ୍ୟ ମାନର ଧାନ ନେବୁ । ଏହି ଏଫଏକୁ୍ୟ ଶବ୍ଦର ଭୟ ଚାଷୀକୁ ଡ଼ରାଇଦିଏ । ଯଦିଓ ଗୋଟିଏ କୁଇଂଟାଲ ଧାନରେ ଧୁସ, ଅଗାଡ଼ି, କାଠି, କୁଟା, ବଙ୍କା, ପୋଲା, କୁଜା, ବେରଙ୍ଗୀ, ବେଙ୍ଗଫୁଲିଆ ସହ ଆଦ୍ରତା ରହିବ ବୋଲି ବ୍ୟାନରରେ ଲେଖାଥାଏ । ହେଲେ ଏସବୁ ମିଲର ଲବିରେ ଫୁ ହୋଇଯାଏ । ସେହିଭଳି ଯୋଗାଣ ବିଭାଗର ମାର୍ଗଦର୍ଶିକାରେ ଯେଉଁସବୁ ଆଇନ ସରକାର ଲିପିବଦ୍ଧ କରିଛନ୍ତି ତାହାକୁ ବିଡ଼ିଓ, ତହସିଲଦାର କେହିବି ମାନନ୍ତି ନାହିଁ । ନିୟମ ଅନୁଯାୟୀ ବିଡ଼ିଓ, ତହସିଲଦାର, ବ୍ଲକରେ ମଣ୍ଡିର ନୋଡ଼ାଲ ଅଫିସର । ସେମାନେ କେବେ ବି ମଣ୍ଡି ପରିଦର୍ଶନରେ ଯାଆନ୍ତି ନାହିଁ । ଏଆରସିଏସ୍ ମାନଙ୍କୁ ପାକ୍ସ ସମ୍ପାଦକ କବ୍ଚାରେ ରଖିଥାନ୍ତି । ଆରଏମସି ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଚାଷୀଙ୍କଠାରୁ କମିଶନ ପାଉଛି । ହେଲେ ଚାଷୀ ଧାନ ନେଇ ମଣ୍ଡିକୁ ଆସୁଛି ସେତେବେଳେ ଟ୍ରକ ନାହିଁ, ମିଲର ନାହାଁନ୍ତି ବୋଲି ଚାଷୀକୁ ଫେରାଇ ଦିଆଯାଏ । ପ୍ରକୃତ ପକ୍ଷେ ବାରି ଦିନ ପାକ୍ସ ଧାନ ସବୁକୁ ଚାଷୀ ଠାରୁ ରଖିବା କଥା । କିନ୍ତୁ ରାଜ୍ୟ ସରକାରଙ୍କ ମାନସିକତା ପାଇଁ ଧାନ କିଣାରେ ବାରମ୍ବାର ଅବ୍ୟବସ୍ଥା ଲାଗି ରହୁଛି । ଯେଉଁଥି ପାଇଁ ୨୦୪୦ରେ କୁଇଂଟାଲ ପିଛା ଧାନ ବିକ୍ରି କରିବା ଚାଷୀ ମାତ୍ର ୧୩୦୦ ପାଉଛି । ଏହି ମହାଘୋଟାଲା ରୋକିବା ପାଇଁ ସରକାର ଯଦି ନିଜ ଆଡ଼ୁ ସମୀକ୍ଷା ବୈଠକ ଡ଼ାକି ଅସାଧୁ, ମିଲର ଓ ପାକ୍ସ ସମ୍ପାଦକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ରାଜ୍ୟବାସୀ ଚାଷୀଙ୍କ ଆନ୍ଦୋଳନ ହେବ ଓ ଜିଲାପାଳ ଅଫିସ୍ ରେ ତାଲା ଝୁଲିବ ବୋଲି ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଏକ ପ୍ରେସ୍ ବିବୃତିରେ କହିଛନ୍ତି ।

Leave a Reply

Your email address will not be published.