Friday , February 3 2023
Home / ବିଶେଷ / ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୨ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୨ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ୧୮/୧୨/୨୦୨୨ (ଓଡ଼ିଶା ସମାଚାର)-ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ମୟୂରଭଞ୍ଜର ଗୁଣଗ୍ରାହୀ ମହାରାଜା, ଉତ୍କଳ ସମ୍ମିଳନୀର ପ୍ରଥମ ଅଧ୍ୟକ୍ଷ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୨ତମ ଜୟନ୍ତୀ ଆଜି ପ୍ରତୁ୍ୟଷରେ ଭୁବନେଶ୍ୱର ପାୱରହାଉସ୍ ଛକ ସ୍ଥିତ ତାଙ୍କ ପ୍ରତିମୂର୍ତି ସ୍ଥଳୀରେ ଭକ୍ତିପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗ ଦେଇ ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବକ୍ତାମାନେ ନିଜ ବକ୍ତବ୍ୟରେ ପରାଧୀନ ଭାରତର ଓଡ଼ିଶାରେ ଥିବା ଅନ୍ୟ ଗଡ଼ଜାତ ରାଜାଙ୍କ ତୁଳନାରେ ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜ ଜଣେ ସୁଶାସକ, ପ୍ରଜାବତ୍ସଳ ରାଜା ଭାବେ ମୟୂରଭଞ୍ଜ ଗଡ଼ଜାତରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ରେଳ ଯୋଗାଯୋଗ, ଟେଲିଫୋନ୍ ସେବା, ଜଳସେଚନ ଓ ଆନୁସଙ୍ଗିକ ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତିଶୀଳ କାର୍ଯ୍ୟକ୍ରମ କରି ନିଜର ମହନୀୟତା ପ୍ରତିପାଦିତ କରିଛନ୍ତି । ସ୍ୱତନ୍ତ୍ର ଭାଷା ଭିତିିକ ଓଡ଼ିଶା ପ୍ରଦେଶ ଗଠନ ପାଇଁ ତାଙ୍କର ଅବଦାନ ଅତୁଳନୀୟ । କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ ପାଇଁ ଜମିଦାନ ସହିତ ଉତ୍କଳ ବିଶ୍ୱବିଦ୍ୟାଳୟକୁ ତାଙ୍କର ଛାପାଖାନାକୁ ମଧ୍ୟ ପ୍ରଦାନ କରିଥିଲେ । ଏତଦ୍ ବ୍ୟତୀତ ବାରିପଦା ସହରରେ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟ ସହ ଶିକ୍ଷାନୁଷ୍ଠାନ ପାଇଁ ନିଜର ରାଜବାଟିକୁ ମଧ୍ୟ ଦାନ କରିଛନ୍ତି ବୋଲି ବିଧାୟକ ପ୍ରଫୁଲ୍ଲ ସାମଲ, ପୂର୍ବତନ ମନ୍ତ୍ରୀ ତଥା ମୟୂରଭଞ୍ଜର ବର୍ତମାନର ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓ, ରାଣୀ ସାହେବା, ମୟୂରଭଞ୍ଜ ସାଂସ୍କୃତିକ ସଂସଦର କର୍ମକର୍ତା ଓ ସଭ୍ୟବୃନ୍ଦ, ଉତ୍କଳ ସମ୍ମିଳନୀ ପକ୍ଷରୁ ରାଧାନାଥ ପ୍ରହରାଜ, ବସନ୍ତ ତି୍ରପାଠୀ, ବିଜୁ ଜନତା ଦଳ, ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି, ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପ୍ରତିନିଧି ସବ୍ୟସାଚୀ ଗିରି, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସମ୍ପାଦିକା କସ୍ତୁରୀ ମହାପାତ୍ର, ଗିରିଜା ଶଙ୍କର ମହାପାତ୍ର, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ଉତ୍କଳ ସମ୍ମିଳନୀ ମଂଚେଶ୍ୱର ଶିଳ୍ପାଂଚଳ ଶାଖା ସଭାପତି ଦିଲ୍ଲୀପ ଦାଶଶର୍ମା, ସମାଜସେବୀ ଅନୁପମା ବେହେରା, ଉଇ ଫର ଭୁବନେଶ୍ୱରର କର୍ମକର୍ତା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ମୟୂରଭଞ୍ଜ ରାଜଦମ୍ପତିଙ୍କ ସହ ସବ୍ୟସାଚୀ ଗିରି, ସୁରେନ୍ଦ୍ର ଗୌଡ଼ଙ୍କ ସମେତ ଆଠ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ ମହାରାଜାଙ୍କ ବନ୍ଦନା ଗାନ କରିଥିଲେ ।

Leave a Reply

Your email address will not be published.