ନିରାକାରପୁର, ୧୮/୧୨/୨୦୨୨ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଓ ଜଂକିଆ ଥାନା ଅଂଚଳରେ ବେଧଡକ ଗୋ ଚାଲାଣ ଚାଲିଛି । ଏଥିପାଇଁ ପ୍ରଶାସନର ଲଗାମ ନଥିବା ବେଳେ ଏହାକୁ ରୋକ ଲଗାଇବାକୁ ଅଣ୍ଟା ଭିଡିଛନ୍ତି ନିରାକାରପୁରର ଆଂଚଳିକ ହିନ୍ଦୁ ସଂଗଠନର ସଦସ୍ୟମାନେ । ଆଜି ସକାଳୁ ନିରାକାରପୁର ଥାନା ଲେଣ୍ଡୋ ପଂଚାୟତ ସାମନ୍ତରାୟପୁର ଠାରୁ ଗୋ ଚାଲାଣ ହେଉଥିବା ଖବର ପାଇ ଆଂଚଳିକ ହିନ୍ଦୁ ସଂଗଠନର କର୍ମକର୍ତ୍ତାଗଣ ସେଠାରେ ପହଞ୍ଚି ଗୋରୁ ବୋଝେଇ ଗାଡିକୁ ଅଟକାଇ ସେମାନଙ୍କୁ କାବୁ କରିନେଇଥିଲେ। ଗିରଫ ଅଭିଯୁକ୍ତ ମାନଙ୍କ ଗାଡିରୁ କଟୁରୀ ଲୁହାରଡ ଆଦି ମାରଣାସ୍ତ୍ର ଜବତକରାଯାଇଥିଲା। ଚାଲାଣ ହେଉଥିବା ଗୋରୁ ଗାଡି ଉଦ୍ଧାର କରି ଅଭିଯୁକ୍ତ ମାନଙ୍କୁ ନିରାକାରପୁର ବଜାରରେ ଚଲାଇ ଚଲାଇ ନିରାକାରପୁର ପୋଲିସ ଜିମା ଦେଇଥିଲେ।
ଏକ ଟାଟା ଏସିରେ ୪ ଟି ଗାଈ ଚାଲାଣ ହେଉଥିବା ସୂଚନା ମିଳିଛି। ଚାଲାଣ କରୁଥିବା ୩ ଜଣ ଅଭିଯୁକ୍ତ ଜଂକିଆ ଥାନା ଛଣଗିରି ଅଂଚଳର। ଗିରଫ ଅଭିଯୁକ୍ତ ମାନେ ହେଲେ ଏସ. କେ ସକୁନ,ଏସ.କେ କସିମ୍ ଓ ସେକ୍ ମତଲୁବ ଅଲ୍ଲି।ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖାଯାଇ ତଦନ୍ତ କରାଯାଉଛି । ପ୍ରମାଣ ମିଳିଲେ କୋର୍ଟ ଚାଲାଣ କରାଯିବ ବୋଲି ଥାନାଅଧିକାରିଣୀ ଗୀତାଞ୍ଜଳି ନାୟକ ସୂଚନା ଦେଇଛନ୍ତି।