Thursday , February 2 2023
Breaking News
Home / ବିଶେଷ / ଯାଜପୁର ଜିଲା ପରିଷଦର ୩ୟ ସ୍ଥାୟୀ କମିଟି ବୈଠକ ଅନୁଷ୍ଠିତ

ଯାଜପୁର ଜିଲା ପରିଷଦର ୩ୟ ସ୍ଥାୟୀ କମିଟି ବୈଠକ ଅନୁଷ୍ଠିତ

ଯାଜପୁର, ୧୭/୧୨/୨୦୨୨ (ଓଡ଼ିଶା ସମାଚାର)-ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସମ୍ପର୍କିତ ଜିଲା ପରିଷଦର ୩ୟ ସ୍ଥାୟୀ କମିଟି ବୈଠକ ଶୁକ୍ରବାର ପୂର୍ବାହ୍ନରେ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁୁଷ୍ଠିତ ହୋଇଯାଇଛି । ଜିଲା ପରିଷଦର ଉପସଭାପତି ତଥା ସ୍ଥାୟୀ କମିଟିର ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବରାଳଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ବୈଠକରେ ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଅଧ୍ୟକ୍ଷ ଶ୍ରୀ ବରାଳ ସମସ୍ତଙ୍କୁ ସ୍ୱାଗତ କରିବା ସହ କହିଲେ ଯେ, ସରକାର ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ପାଇଁ ପର୍ଯ୍ୟାପ୍ତ ଅନୁଦାନ ଯୋଗାଇ ଦେଉଛନ୍ତି । ଏଣୁ ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ମିଳିତ ସହଯୋଗରେ ଉକ୍ତ ପ୍ରକଳ୍ପ ଗୁଡିକୁ ଆଗେଇ ନେଇ ପାରିଲେ ଜିଲାରୁ ଜଳ କଷ୍ଟ ଦୂର ହୋଇ ପାରିବ । ଜିଲାରେ ୩୯ ଗୋଟି ଜୋନ୍ ରେ କାର୍ଯ୍ୟରତ ଥିବା ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ମାନଙ୍କୁ ସେ ଅଂଚଳର ପ୍ରକଳ୍ପର ଅଗ୍ରଗତି ବିଷୟରେ ଶ୍ରୀ ବରାଳ ପଚାରି ବୁଝିଥିଲେ ଏବଂ ଅଗ୍ରଗତିର ସମୀକ୍ଷା କରିଥିଲେ । ଅନେକାଂଶ ଯୋନ୍ ରେ କାର୍ଯ୍ୟ ଆରମ୍ଭର ବିଳମ୍ୱକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ତୁରନ୍ତ ସେହିସବୁ ଜୋନ୍ ମାନଙ୍କରେ ଏଷ୍ଟିମେଟ୍ ପ୍ରସ୍ତୁତ କରି କାର୍ଯ୍ୟ ଆରମ୍ଭ କରିବାକୁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବାରୁ ଜଳ ସମସ୍ୟା ଉପୁଜିବ । ଏଣୁ ଯଥା ପୂର୍ବରୁ କାର୍ଯ୍ୟ ଆରମ୍ଭ ସହ ଜିଲା ପରିଷଦ ସାଧାରଣ ବୈଠକ ପୂର୍ବରୁ ଯେପରି କାର୍ଯ୍ୟ ତ୍ୱରାନ୍ୱିତ ହୋଇଥାଏ ସେଥିପ୍ରତି ଧ୍ୟାନ ଦେବାକୁ ଶ୍ରୀ ବରାଳ ପରାମର୍ଶ ଦେଇଥିଲେ । ବୈଠକରେ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ ପଂଚାୟତ ସ୍ତରରେ ପାନୀୟ ଜଳର ସୁବନ୍ଦୋବସ୍ତ ପାଇଁ ସରକାର ଯଥେଷ୍ଟ ପଦକ୍ଷେପ ନେଉଛନ୍ତି । ସରକାରଙ୍କ ଅନୁଦାନ ଉଚିତ ମାର୍ଗରେ ଓ ଉଚିତ ସମୟରେ ସୁ ବିନିଯୋଗ ପାଇଁ ସଭ୍ୟ ମାନଙ୍କୁ ନିବେଦନ କରିଥିଲେ । ଜିଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ଶ୍ରୀମତୀ ରଶ୍ମିରେଖା ପ୍ରଧାନ ପରିମଳ ଉପରେ ବିସ୍ତୃତ ଆଲୋଚନା କରିବା ସହ ଜନ ପ୍ରତିନିଧି ମାନେ ଗ୍ରାମ୍ୟ ସ୍ତରରେ ସଜାଗ ରହିବାକୁ ନିବେଦନ କରିଥିଲେ । ପ୍ରାରମ୍ଭରେ ଜିଲା ପାନୀୟ ଜଳ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ଘଡାଇ ବିଭିନ୍ନ ଆର୍ଥିକ ବର୍ଷରେ ଜିଲା କୁ ମିଳିଥିବା ଅନୁଦାନ ଏବଂ ଏହାର ସୁବିନିଯୋଗ ଉପରେ ତଥ୍ୟ ଉପସ୍ଥାପନ କରିଥିଲେ । ଜିଲା ପରିଷଦ ସଭାପତି ଶ୍ରୀମତୀ ନଳିନୀ ପ୍ରଭା ଜେନା ଚଳିତ ଆର୍ଥôକ ବର୍ଷରେ ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ଯୋଜନା ପାଇଁ ଗ୍ରାମ ଓ ପଂଚାୟତ ସ୍ତରରେ ହାତକୁ ନିଆଯାଇଥିବା ସମସ୍ତ ପ୍ରକଳ୍ପ ଗୁଡିକ ନିର୍ଦ୍ଧାରିତ ସମୟରେ ସାରିବାକୁ ପରାମର୍ଶ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲା ପରିଷଦର ସମସ୍ତ ସଭ୍ୟ, ମନୋନିତ ସଭ୍ୟ, ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗର ସମସ୍ତ ଯନ୍ତ୍ରୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.