Friday , February 3 2023
Home / ବିଶେଷ / ବନବିହାରୀ ମହାନ୍ତି ସାର୍ ଙ୍କୁ ଶ୍ରଦ୍ଧାଞ୍ଜଳି

ବନବିହାରୀ ମହାନ୍ତି ସାର୍ ଙ୍କୁ ଶ୍ରଦ୍ଧାଞ୍ଜଳି

ବନ ସାର୍ ଏହି ନାମଟି ହିଁ ତାଙ୍କର ପରିଚୟ । ତାଙ୍କର ପୂରାନାମ ବନବିହାରୀ ମହାନ୍ତି । ବନ ସାର୍ ବୋଲି ତାଙ୍କୁ ସମସ୍ତେ ଜାଣନ୍ତି । ସେ ଜଣେ ଅମାୟିକ ବ୍ୟକ୍ତିତ୍ୱ ଥିଲେ । ତାଙ୍କ ପାଖରେ କେବେ କୌଣସି କଥାରେ ଭେଦଭାବ ନ ଥିଲା । ଜଣେ ବିରଳ ବ୍ୟକ୍ତିତ୍ୱ, ସବୁ ସମୟରେ ନିଜକୁ ଖପଖୁଆଇ ଚଳି ଯାଉଥିବା ମଣିଷ ଜଣେ । ନା ଥିଲା ପଦପଦବୀର ଲାଳସା ନା କୌଣସି କାମରେ କାହାକୁ ତୋଷାମଦ କରି କାର୍ଯ୍ୟ ହାତେଇବାର ଚକ୍ରାନ୍ତ । ସବୁବେଳେ ନିଜକୁ ପରିଚୟ ନଦେଇ ଅଜ୍ଞାତ ବାସରେ ରହିବାକୁ ଭଲ ପାଉଥିଲେ । ନିଜର ପରିଚୟକୁ କାହା ଆଗରେ ପ୍ରକାଶ କରୁନଥିଲେ । ନିଜର ପ୍ରତିଭା ପାଇଁ କେବେ କାହା ସହ ସାଲିସ୍ କରି ନାହାଁନ୍ତି ସେ । ନିଜର ଅସମାହିତ ଜ୍ଞାନ ବଳରେ ସେ ସମସ୍ତଙ୍କୁ ବାନ୍ଧି ରଖିପାରୁ ଥିଲେ । ସେ ନିଜର ବିଦ୍ୟା ପାଇଁ କାହା ପାଖରେ ମୁଣ୍ଡ ନୁଆଁଇ ପାରନ୍ତି, କିନ୍ତୁ ପଦ ପଦବୀ ପାଇଁ ନୁହେଁ । ତାଙ୍କର ଗୋଟିଏ ଗୋଟିଏ ଶବ୍ଦକୁ ଯଦି ବିଶ୍ଲେଷଣ କରାଯାଏ ତେବେ ଗୋଟିଏ ଗୋଟିଏ କ୍ଲାସ୍ ମଧ୍ୟ ନିଅଂଟ ପଡ଼ିବ । ନିଜର ସରଳ ଓ ଅମାୟିକ ଭାବନା ପାଇଁ ସେ ସର୍ବଦା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରି ଥିଲେ । ତାଙ୍କର ରୋକ୍ ଠୋକ୍ କଥା ପାଇଁ ତାଙ୍କୁ ବିଶେଷ ଆଗକୁ ଯିବାର ଦେଖିବାକୁ ମିଳିନାହିଁ । ତାଙ୍କର ଅନେକ ପ୍ରତିଭା ମଧ୍ୟରୁ ସାମ୍ବାଦିକ ଦୁନିଆରେ ଅନନ୍ୟ ପ୍ରତିଭା ଥିଲା । ସାମ୍ବାଦିକ ଭାବରେ ସେ ଅନନ୍ୟ ପରିଚୟ ସୃଷ୍ଟି କରିପାରିଥିଲେ । ମୋଟ ଉପରେ କହିବାକୁ ଗଲେ ସେ ଏକା ଧାରରେ ଜଣେ ସାମ୍ବାଦିକ, ଲେଖକ, ପ୍ରିନଟିଙ୍ଗ ପବ୍ଲିସର୍ସ ଏବଂ ଅଧ୍ୟାପକ ମଧ୍ୟ ଥିଲେ ।
ବୟସାଧିକ କାରଣରୁ କରୋନା ସମୟରେ ସେ ଅନେକ ରୋଗରେ ଆକ୍ରାନ୍ତ ଥିଲେ । ତାଙ୍କର ପ୍ରାୟ ୫୦ ବର୍ଷ ଅଧ୍ୟାପନା ସମୟ ମଧ୍ୟରେ ୨୦୦୩ ରୁ ୨୦୧୯ ପର୍ଯ୍ୟନ୍ତ ସେ ଏକାଡ଼େମି ଅଫ୍ ମ୍ୟାନେଜମେଂଟ ଆଣ୍ଡ ଇନଫରମେସନ ଟେକ୍ନୋଲୋଜି (ଅମିତ୍)ର ସେ ସାମ୍ବାଦିକ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ସେ ଦୈନିକ ଓଡ଼ିଆ ଖବର କାଗଜ ନ୍ୟାୟବତୀର ପ୍ରକାଶକ ସହ ଇଂରାଜୀ ପତ୍ରିକା ଦି ଜର୍ନାଲିଷ୍ଟର ସଂପାଦକ ଭାବେ କାର୍ଯ୍ୟ କରିଥିଲେ । ସେ ଭାରତ ସରକାରଙ୍କ ସଂସ୍ଥା ଦୂରଦର୍ଶନରେ ମଧ୍ୟ ଅସ୍ଥାୟୀ ସଂପାଦକ ଭାବରେ କାର୍ଯ୍ୟ କରିଛନ୍ତି । ୨୦୦୩ ମସିହା ପୂର୍ବରୁ ସେ ଦୈନିକ ଖବର କାଗଜ ପ୍ରଜାତନ୍ତ୍ର ରେ ସହ ସଂପାଦକ ଭାବରେ କାର୍ଯ୍ୟକରି ବେଶ୍ ସୁଖ୍ୟାତି ଅର୍ଜନ କରିଥିଲେ । ପରେ ପରେ ସତ୍ୟ ଅପରାଧ ଏକ ପତି୍ରକାରେ ସଂପାଦକ ଭାବେ କାର୍ଯ୍ୟ କରିଥିଲେ ।
ସେ ଜଣେ ଛାତ୍ର ବତ୍ସଳ, ଭଦ୍ର, ନମ୍ର ସ୍ୱଭାବର, ମେଳାପି ଏବଂ ଜ୍ଞାନୀ ଗୁଣୀ ଥିଲେ । ପ୍ରତ୍ୟେକ କାର୍ଯ୍ୟରେ ସେ ସଠିକ୍ ଭାବେ ଜାଣିବା ପାଇଁ ଇଚ୍ଛା ପ୍ରକଟ କରୁଥିଲେ । ସଠିକ୍ କଥା ଉପରେ କେବେ ଚୁପ୍ ହୋଇ ବସିବା ଲୋକ ସେ ନଥିଲେ । ସବୁ କଥାରେ ସତ୍ୟାସତ୍ୟ ନ ଜାଣିବା ଯାଏ ସେ କେବେ ସେ କଥାର ତର୍କ କରୁନଥିଲେ । ସେ ଅନେକ ସାମ୍ବାଦିକ ତିଆରି କରି ଓଡ଼ିଶା ତଥା ଭାରତ ବର୍ଷରେ ବିଭିନ୍ନ ଗଣମାଧ୍ୟମରେ ସୁନାମ ଅର୍ଜନ ପାଇଛନ୍ତି । ସେ କଟକରେ ସ୍ଥା୍ରୟୀ ବାସିନ୍ଦା ହୋଇଥିଲେ ମଧ୍ୟ ପରିଣତ ବୟସରେ ପ୍ରତ୍ୟେକ ଦିନ ସେ ଅମିତ୍ କଲେଜ ଆସୁଥିଲେ ଅଧ୍ୟାପନା କରିବା ପାଇଁ । ଅଧ୍ୟାପନା କରିବାରେ ସେ କେବେ ଖରା, ବର୍ଷା, ଶୀତ କୁ ଖାତିର୍ ନ କରି କଟକ ରୁ ଭୁବନେଶ୍ୱର ଆସୁଥିଲେ । ଦେହ ଖରାପ ଥିଲେ ମଧ୍ୟ ସେ ପିଲାଙ୍କୁ ପଢ଼ାଇବା ପାଇଁ ଆସୁଥିଲେ । ତାଙ୍କର ସମସ୍ତ ସହପାଠୀଙ୍କ ସହ ଉତମ ବ୍ୟବହାର ଥିଲା । ତାଙ୍କୁ ମଧ୍ୟ ସମସ୍ତେ ସମ୍ମାନ ଜଣାଉଥିଲେ । ସାମ୍ବାଦିକ ଜଗତ ପାଇଁ ସେ ଜଣେ ବିନ୍ଧାଣୀ କହିଲେ ଅତୁ୍ୟକ୍ତି ହେବନାହିଁ । ଆଜି ତାଙ୍କର ଶ୍ରାଦ୍ଧବାର୍ଷିକରେ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ।
ଟିକାୟତ ନାୟକ
ପୂର୍ବତନ ଅଧ୍ୟାପକ
ଅମିତ୍ କଲେଜ

Leave a Reply

Your email address will not be published.